
ବରଗଡ଼ : ଦୀର୍ଘ ତିନି ବର୍ଷ ହେଲା ଠପ୍ ପଡ଼ିଥିବା ବରଗଡ଼ ଚିନିକଳର ପୁନରୁଦ୍ଧାରର ଆଉ ଆଶା ନାହିଁ। ଫଳରେ ବରଗଡ଼ର ଅନ୍ୟତମ ପରିଚୟ ଏହି ଚିନି କଳ ସଂପୂର୍ଣ୍ଣ ବନ୍ଦ ହେବ ବୋଲି ବୁଦ୍ଧିଜୀବୀ ଏବଂ କର୍ମଚାରୀମାନେ ଅନୁମାନ କରିସାରିଲେଣି। ନିକଟ ଅତୀତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ବରଗଡ଼ ଗସ୍ତ କରିଥିଲେ। ତାଙ୍କ ଗସ୍ତକାଳରେ ଚିନି କଳ ପୁନରୁଦ୍ଧାର ପ୍ରସଂଗ ରଖାଯାଇଥିଲା। ତେବେ ଘରୋଇକରଣ ଦ୍ବାରା ଏହାକୁ ପୁଣି କାର୍ଯ୍ୟକ୍ଷମ କରିହେବ ବୋଲି ଶ୍ରୀ ତ୍ରିପାଠୀ ମତ ରଖିଥିଲେ। କିନ୍ତୁ ଏହି ପ୍ରକ୍ରିୟା ଏତେ ସହଜ ନୁହେଁ।

କାରଖାନାର ଘରୋଇକରଣକୁ କର୍ମଚାରୀ କିଭଳି ଗ୍ରହଣ କରିବେ, ତାହା କହିବା ମୁସ୍କିଲ। ତେବେ ଏହି ପ୍ରକ୍ରିୟା ପାଇଁ ଏଯାଏଁ କିଛି ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ। ଫଳରେ ଚିନି କଳ ଏବଂ କର୍ମଚାରୀଙ୍କ ଭବିଷ୍ୟତ ସେଭଳି ଅନ୍ଧାରରେ ରହିଛି। ପୂର୍ବରୁ ରାଜଧାନୀରେ ଉଚ୍ଚସ୍ତରୀୟ ବୈଠକ ବସିଥିଲେ ହେଁ କିଛି ଫଳ ମିଳିନାହିଁ। ବୈଠକରେ ଏକ ଟିମ୍ ଆସି ଚିନି କଳର ତଦାରଖ କରିବାକୁ ନିଷ୍ପତ୍ତି ହୋଇଥିଲା। ତଦାରଖ ପରେ ଟିମ୍ ବିସ୍ତୃତ ରିପୋର୍ଟ ସରକାରଙ୍କ ପାଖରେ ଦାଖଲ କରିବା ପରେ ଚିନି କଳର ପୁନରୁଦ୍ଧାର ପାଇଁ ଠୋସ୍ ପଦକ୍ଷେପ ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଉକ୍ତ ଟିମ୍ର ଦେଖାଦର୍ଶନ ନାହିଁ। ବର୍ଷବର୍ଷ ଧରି ବନ୍ଦ ଥିବା ଚିନିକଳର କର୍ମଚାରୀଙ୍କୁ ପାଉଣା ବି ମିଳିନାହିଁ। ବାରମ୍ବାର ଦାବି କରିଥିଲେ ହେଁ ଦରମା ମିଳିବା ତ ଦୂରର କଥା ପର୍ଯ୍ୟାପ୍ତ ଟଙ୍କା ଥିବା ସତ୍ବେ କାରଖାନା କାର୍ଯ୍ୟକ୍ଷମ ପାଇଁ ମଧ୍ୟ ସରକାର ଦୃଷ୍ଟି ଦେଉନଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି।
କାରଖାନାର ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଏବେ ଖତ ଖାଉଛି। ଖରା-ବର୍ଷା ମାଡ଼ରେ ସବୁ ନଷ୍ଟ ହେବାକୁ ଲାଗିଛି। ଇତିମଧ୍ୟରେ ଯନ୍ତ୍ରାଂଶ ଏବଂ କାରଖାନା ପରିସରରେ ଥିବା ସାମଗ୍ରୀ ଚୋରି ହେବାକୁ ଲାଗିଛି। ସୁରକ୍ଷା ପାଇଁ କର୍ମଚାରୀ ଏବଂ ବୁଦ୍ଧିଜୀବୀମାନେ ଦାବି କରିଥିଲେ ହେଁ ପୁଲି୍ସ୍ ପ୍ରଶାସନ ପକ୍ଷରୁ କିଛି ଠୋସ୍ ବ୍ୟବସ୍ଥା ନାହିଁ। ୨୦୧୫ ମସିହାରୁ ୭ଜଣ ଅଧିକାରୀ ଚିନିକଳର ପରିଚାଳନା ଦାୟିତ୍ବରେ ଥିଲେ ହେଁ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ କିଛି ପଦକ୍ଷେପ ହୋଇନାହିଁ।
The post ବରଗଡ଼ ଚିନି କଳ ଚାଲିବ ତ? ଘରୋଇକରଣ ହିଁ ବିକଳ୍ପ! first appeared on Sambad.
from ଜିଲ୍ଲା – Sambad https://ift.tt/39rG0RS
0 Comments