
କଟକ/ମାହାଙ୍ଗା: ସାରା ରାଜ୍ୟରେ ହଟଚମଟ ସୃଷ୍ଟି କରିଛି ମାହାଙ୍ଗା ଡବଲ ମର୍ଡର। ଗତକାଲି ରାତିର ମର୍ଡର୍କୁ ନେଇ ଆଜି ଦିନତମାମ ଏସ୍ସିବି ମେଡିକାଲଠାରୁ ଆରମ୍ଭ କରି ଦୁଇ ମୃତକଙ୍କ ଗାଁ ପର୍ଯ୍ୟନ୍ତ ଲମ୍ବିଥିଲା ରାଜନେତାଙ୍କ ଭିଡ଼। ଡିଆଇଜିଙ୍କଠାରୁ ଆରମ୍ଭ କରି ଏସ୍ପି ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଗାଁରେ ଡେରା ପକାଇଛନ୍ତି। ରାଜ୍ୟ ମନ୍ତ୍ରିମଣ୍ଡଳର ହେଭିୱେଟ୍ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମଧ୍ୟ ଏହି ଘଟଣାରେ ଟାଣିଛନ୍ତି ମୃତକଙ୍କ ପରିବାର। ଅଭିଯୋଗକୁ ଭିତ୍ତି କରି ପୁଲିସ ମନ୍ତ୍ରୀ ପ୍ରତାପଙ୍କ ସମେତ ୧୪ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଦୁଇବର୍ଷ ତଳେ ଘଟିଥିବା ରାଜନୈତିକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ପୁଲିସ ଅସଫଳ ରହିବାରୁ ପୁଣି ଦୁଇଟି ମୁଣ୍ଡ ଗଡ଼ିଲା ବୋଲି ଅଭିଯୋଗ ହୋଇଛି। ହତ୍ୟା ମାମଲା ସହ ରାଜନୀତି ଯୋଡ଼ି ହୋଇଥିବାରୁ ଅପରାଧୀଙ୍କୁ ଧରିବା ପୁଲିସ ପାଇଁ ବଡ଼ ଚାଲେଞ୍ଜ୍ ଭାବେ ଉଭା ହୋଇଛି।
ନେତାଙ୍କ ଭିଡ଼
ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା, ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନ, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ପ୍ରଭାତୀ ପରିଡା, ଅମର ନାୟକ, ଦିଲ୍ଲୀପ ମଲିକ, ଗୌତମ ରାୟ, ପିଙ୍କି ପ୍ରଧାନଙ୍କ ସମେତ ମାହାଙ୍ଗାର ବହୁ ବିଜେପି ନେତା ଓ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର କୁମାର ସାହୁ, କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ରଂଜନ ଚୌଧୁରୀ, ସାଲେପୁରର ବରିଷ୍ଠ କଂଗ୍ରେସ ନେତା ରବୀନ୍ଦ୍ରନାଥ କର, ଆଇନଜୀବୀ ପ୍ରବୀଣ କୁମାର କାନୁନ୍ଗୋ, କଂଗ୍ରେସ ଯୁବ ନେତା ଡକ୍ଟର ସନ୍ତୋଷ ବଳ, ଆକାଶ ଭୂୟାଁ, ଆଇନଜୀବୀ ପ୍ରଦୀପ କିଶୋର ଭୂୟାଁ, ଭାସ୍କର ବେହେରା ପ୍ରମୁଖ ସ୍ବର୍ଗତ ବରାଳଙ୍କ ବାସଭବନରେ ପହଂଚି ପରିବାରକୁ ସମବେଦନା ଜଣାଇବା ସହ କୁଆଁପାଳଠାରେ ମରଶରୀରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ସେହିପରି ଖନ୍ଦୋଳଠାରେ ପିସିସିର ପୂର୍ବତନ ସଂପାଦକ ପ୍ରଦୀପ୍ତ କୁମାର ଦାସ, ମସୁଦ ଅଲ୍ଲି, ଆଇନଜୀବୀ ଦୀପକ ମହାନ୍ତି, ଅକ୍ଷୟ ମହାନ୍ତି, ଶିକ୍ଷାବିତ୍ ଉମେଶ ସାହୁ ପ୍ରମୁଖ ପୁଷ୍ପଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ବାଉଁଶ ଠେଙ୍ଗା ପାଇଲା ସାଇଣ୍ଟିଫିକ୍ ଟିମ୍
ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ବାଉଁଶ ଠେଙ୍ଗା, ବାଇକ୍, ଚପଲ ଓ ରକ୍ତଛିଟା ଆଦି ପାଇଥିଲା। ତେବେ, ଅନ୍ୟ କୌଣସି ମାରଣାସ୍ତ୍ର ମିଳି ନଥିଲା। ହତ୍ୟା ପରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଧରି ଫେରାର ହୋଇଯାଇଥିବା କୁହାଯାଉଛି। ସେମାନେ ଭାଗ ଭାଗ ହୋଇ କଟକ, ଭୁବନେଶ୍ବର ଓ କେନ୍ଦ୍ରାପଡ଼ାର ନିର୍ଦ୍ଦିଷ୍ଟ ସ୍ଥାନରେ ଆତ୍ମଗୋପନ କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଦୁର୍ବୃତ୍ତମାନେ ବାରମ୍ବାର ମୁଣ୍ଡ ଓ ବେକକୁ ଆକ୍ରମଣ କରିଥିବା ଜଣାପଡିଛି। ଏହି ଘଟଣାରେ ଡିଆଇଜି ଆଶିଷ ସି˚ହ, କଟକ ଗ୍ରାମଞ୍ଚଳ ଏସ୍ପି ବି. ଯୁଗଳ କିଶୋର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପି.କେ ଜେନା,ଏସ୍ଡିପିଓ ର˚ଜିତ ପୃଷ୍ଟି ପ୍ରମୁଖ ମାହାଙ୍ଗାରେ ଡେରା ପକାଇଛନ୍ତି। ସାଲେପୁର, ନିଶ୍ଚିନ୍ତକୋଇଲି, ନେମାଳ, କିଶନନଗର ଓ ଟାଙ୍ଗି ଥାନା ଅଧିକାରୀଙ୍କ ସମେତ ବହୁ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି।
ବିକାଶ ହତ୍ୟାକାଣ୍ଡରେ ୨ଜଣଙ୍କୁ ଗିରଫ କରି ଚୁପ୍ ବସିଥିଲା ପୁଲିସ
୨୦୧୮ ଡିସେମ୍ବର ୧୩ ତାରିଖ ରାତିରେ ମାହାଙ୍ଗା ନୃତ୍ତାଙ୍ଗ ପଞ୍ଚାୟତର ବିଜେପି ସହ ପ୍ରମୁଖ ଥିବା ଯଁକୋଟି ଗ୍ରାମର ବିକାଶ ଜେନାଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଯଁକୋଟି ଶୁକ ନଈବନ୍ଧ ରାସ୍ତାପାର୍ଶ୍ବ ବିଲରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏଥିରେ ପରେଶ ଜେନା ଆହତ ହୋଇଥିଲେ। ପଞ୍ଚାୟତ ନିର୍ବାଚନ ସମୟରେ ରାଜନୈତିକ ବିବାଦରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଘଟଣାରେ ସରପଞ୍ଚ ସୁଶ୍ରୀ ନାୟକଙ୍କ ଶ୍ବଶୁର ନିରଂଜନ ବିଶ୍ବାଳ ଓ ଯଁକୋଟି ଗ୍ରାମର ମାନସ ରଂଜନ ପାଣିଙ୍କୁ ଗିରଫ କରାଯାଇଥିଲା। ହେଲେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସରପଂଚଙ୍କ ସ୍ବାମୀ ସ୍ଥାନୀୟ ଅଞ୍ଚଳର ଆଗଧାଡିର ବିଜେଡି କର୍ମୀ ପ୍ରଫୁଲ୍ଲ ବିଶ୍ବାଳଙ୍କୁ ପୁଲିସ ଆଜିଯାଏ ଗିରଫ କରି ପାରି ନାହିଁ। ଯା’ଫଳରେ ପୁଲିସ ତାଲିକାରେ ଫେରାର ଥିବା ଅଭିଯୁକ୍ତମାନେ ପୁଣି ଏଭଳି ଜଘନ୍ୟ କାଣ୍ଡ ଘଟାଇ ଏକାଥରକେ ଦୁଇ ଦୁଇଟି ମୁଣ୍ଡ ନେଇଗଲେ। ଦୁଇବର୍ଷର ବ୍ୟବଧାନରେ ଏଭଳି ରାଜନୈତିକ ବିବାଦରୁ ୩ଟି ମୁଣ୍ଡ ଗଡ଼ିବା ଘଟଣା ଏହି ଅଞ୍ଚଳରେ ତୀବ୍ର ଉତ୍ତେଜନାର କାରଣ ହୋଇଛି।
ପୁଲିସ ପାଇଁ ଚାଲେଞ୍ଜ୍ ଥିଲା ଜୁଇରେ ଶବ ପହଞ୍ଚାଇବା
କଟକରୁ ନୃତ୍ତାଙ୍ଗ ପର୍ଯ୍ୟନ୍ତ ସବୁଠି ନେତା, ପୁଲିସ ମାଳ ମାଳ। ପ୍ରତି ଛକରେ କୁଳମଣି ଓ ତାଙ୍କ ସହଯୋଗୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଅପେକ୍ଷା କରିଥିଲେ କର୍ମୀ, ଶୁଭେଚ୍ଛୁ। ବିଜେପିର ପୂରା ଟିମ୍ ବି ଶୋଭାଯାତ୍ରାରେ। ଏଭଳି ସ୍ଥିତିରେ କାଳେ କିଛି ଅପ୍ରୀତିକର ବା ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସବୁଆଡ଼େ ପୁଲିସ ଛାଉଣୀ। ଡିଆଇଜି, ଏସ୍ପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ପୂରା ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଥିବାବେଳେ କେମିତି ଜୁଇ ଜଳିବ ଓ ଅଶାନ୍ତ ପରିବେଶ ସୃଷ୍ଟି ହେବନି ସେଥିପାଇଁ ଚିନ୍ତାରେ ଥିଲା ପୁଲିସ ଓ ପ୍ରଶାସନ। ଖାନ୍ଦୋଳଠାରେ ଏସ୍ପି ବି. ଯୁଗଳକିଶୋର ଅପେକ୍ଷା କରିଥିବାବେଳେ ବିଜେପିର ପୂରା ଟିମ୍ ସେଠାରେ ଶବ ରଖି ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ନେଇ ଦାବି ରଖିଥିଲେ। ଏସ୍.ପି ମଧ୍ୟ ୭ଦିନ ଭିତରେ ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଶବ ଯାଇଥିଲା ଶେଷକୃତ୍ୟ ପାଇଁ।
ସପ୍ତାହକ ତଳେ ଘରକୁ ଆସି ଟ୍ରେଲର ଦେଖାଇଥିଲେ
ସପ୍ତାହକ ତଳେ ୫/୭ଜଣ ବାଇକ୍ରେ ଘରକୁ ଆସିଥିଲେ। ସେମାନଙ୍କ ହାତରେ ଥିଲା ଖଣ୍ଡା। ଘରେ କୁଳମଣି ବରାଳ କି ତାଙ୍କ ପୁଅ ସମିତିସଭ୍ୟ ରମାକାନ୍ତ ନଥିଲେ। ଘରେ ଥିବା ଅନ୍ୟ ସଦସ୍ୟଙ୍କୁ ଧମକ ଦେଇ ‘ଦେଖିନେବୁ…, ରାସ୍ତାରୁ ସଫା କରିଦେବୁ’ ଆଦି କହି ଧମକ ଦେଇ ପଳାଇଥିଲେ ଦୁର୍ବୃତ୍ତମାନେ। ଯାହାକୁ ନେଇ ରମାକାନ୍ତଙ୍କ ପରିବାର ପକ୍ଷରୁ ମାହାଙ୍ଗା ଥାନାରେ ଏତଲା ଦିଆଯାଇଥିଲା। ଏହାପରେ ଘରକୁ ଆସି ଧମକ ଦେଇଥିବା ଦୁର୍ବୃତ୍ତମାନେ ବି ପାଲଟା ଏତଲା ଦେଲେ। ପୁଲିସ ଦୁଇଟି ମାମଲା ରୁଜୁ କରି ଦେଇ ଚୁପ୍ ବସିଗଲା। ଖାଲି ସେତିକି ନୁହେଁ, ଯେଉଁମାନେ ଆସି ଘରେ ଧମକ ଦେଲେ ସେମାନଙ୍କ ନାଁରେ କୋହଳ ଦଫା ଲଗାଇ ରମାକାନ୍ତଙ୍କ ପରିବାର ନାଁରେ ଜାତିଆଣ ଆକ୍ଷେପର କଡ଼ା ଦଫା ଲଗାଗଲା ବୋଲି ଅଭିଯୋଗ ଆଣିଛନ୍ତି ରମାକାନ୍ତ ବରାଳ।
ହତ୍ୟାକାଣ୍ଡ ସ୍ଥାନ ଛାଡ଼ି ସବୁଠି ଲାଇଟ୍ ଜଳୁଥିଲା
ଦିନେ କି ଦୁଇଦିନର ଯୋଜନା ନୁହେଁ। ବେଶ୍ କିଛିଦିନ ହେଲା ପ୍ରସ୍ତୁତ କରାଯାଇଥିଲା କୁଳମଣି ବରାଳ ହତ୍ୟାକାଣ୍ଡର ମାଷ୍ଟର ପ୍ଲାନ୍। ଯେହେତୁ ଯଁକୋଟି ରାସ୍ତାଦେଇ କୁଳମଣି ପ୍ରତିଦିନ ତାଙ୍କ ଘର ନୃତ୍ତାଙ୍ଗକୁ ଫେରନ୍ତି, ସେଥିପାଇଁ ରାତି ସମୟରେ ଘଟଣାକୁ ରୂପ ଦେବା ଯୋଜନା ପ୍ରସ୍ତୁତ କରିଥିଲେ ଅଭିଯୁକ୍ତମାନେ। ଅଞ୍ଚଳର ସବୁ ଷ୍ଟ୍ରିଟ୍ ଲାଇଟ୍ ଜଳୁଥିବାବେଳେ ଯେଉଁ ସ୍ଥାନରେ ହତ୍ୟାକାଣ୍ଡ ଘଟିଥିଲା, ସେ ସ୍ଥାନ ଅନ୍ଧାର ଥିଲା। ସେଠି ଜଳୁଥିବା ବିଦ୍ୟୁତ୍ ବଲ୍ର ତାରକୁ କେହି ଛିଣ୍ଡାଇ ନେଇଥିଲେ। ଅନ୍ଧାରୁଆ ରାସ୍ତାରେ ଯୋଜନାକୁ ରୂପାୟନ କରିବା ହତ୍ୟାକରୀଙ୍କ ପାଇଁ ସୁବିଧା ହୋଇଥିଲା।
ଅଡିଓକୁ ନେଇ ଚର୍ଚ୍ଚା
ହତ୍ୟାକାଣ୍ଡ ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା ବ୍ଲୁ-ପ୍ରିଣ୍ଟ। କେମିତି କରାଯିବ, କ’ଣ କରାଯିବ ସେ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ବିକାଶ ଜେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିବା ସରପଞ୍ଚଙ୍କ ସ୍ବାମୀ ଓ ଜଣେ ତୁଙ୍ଗ ଜନପ୍ରତିନିଧିଙ୍କ ମଧ୍ୟରେ ହୋଇଥିଲା ଆଲୋଚନା। ଏହି କଥାବାର୍ତ୍ତାର ଏକ ଅଡିଓ ଟେପ୍ ପୁଲିସ ହାତରେ ଲାଗିଥିବା ଚର୍ଚ୍ଚା ହେଉଛି। କେବଳ ସେତିକି ନୁହେଁ, ହତ୍ୟା ମାମଲାରେ ଜଣଙ୍କୁ ପୁଲିସ ଅଟକ ରଖିଥିବା ନେଇ ବି ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି। ତେବେ, ଅଡିଓ ଟେପ୍ ଓ କାହାକୁ ଅଟକ ରଖାଯିବା ଘଟଣାକୁ ପୁଲିସ ଅସ୍ବୀକାର କରିଛି।
ମାମୁଁଘରୁ ଫେରୁଥିଲେ
ଶନିବାର ପ୍ରାୟ ସାଢେ ୪ଟାହେଲେ ଘରୁ ବାହାରିଥିଲେ କୁଳମଣି। ଏକୁଟିଆ ବାଇକ୍ରେ କୁଆଁପାଳ, ତ୍ରିବେଣୀଶ୍ବର ବଜାର ହୋଇ ଗାଁକୁ ଆସିଥିଲେ। ଘରକୁ ନପଶି ତାଙ୍କ ଘନିଷ୍ଠ ସହଯୋଗୀ ଦାଦା ଦିବ୍ୟସିଂହକୁ ଡାକି ବାଇକ୍ରେ ବସି ଯଁକୋଟିରେ ଥିବା ତାଙ୍କ ମାମୁଁଘରକୁ ଯାଇଥିଲେ। ସବୁଦିନ ଯାଆନ୍ତି, ସେଠାରେ ଖଟି କରନ୍ତି, ଲୋକଙ୍କ ଭଲମନ୍ଦ ଚର୍ଚ୍ଚା ବି ହୁଏ। ଯେହେତୁ ଏବେ ଶୀତଦିନ ତେଣୁ ସେ ଡେରି ନ କରି ସଂଧ୍ୟା ସାଢେ ୭ଟା ଭିତରେ ଘରକୁ ଫେରିଥିଲେ। ସବୁଦିନ ସମାନ ସମୟରେ ପ୍ରାୟ ଘରକୁ ଫେରୁଥିବାରୁ ଏହାକୁ ଟାର୍ଗେଟ କରିଥିଲେ ହତ୍ୟାକାରୀ। ଫେରିବା ବାଟରେ ହିଁ ସବୁଦିନ ପାଇଁ ସଫା କରିଦେବାର ଯୋଜନା ଥିଲା, ଯାହା ଗତକାଲି ସଫଳ ହୋଇଥିଲା।
୭ଦିନ ଭିତରେ ଗିରଫ, ନଚେତ୍ ଥାନା ଘେରାଉ
କୁଳମଣି ବରାଳ ହତ୍ୟା ଘଟଣା ଏକ ଯୋଜନାବଦ୍ଧ ରାଜନୈତିକ ଷଡ଼ଯନ୍ତ୍ର। ବିକାଶ ଜେନା ହତ୍ୟା ଘଟଣାରେ ଆଜି ପର୍ଯ୍ୟନ୍ତ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଧରି ପାରିଲାନି। ଯା’ଫଳରେ ଫେରାର ଥିବା ଅଭିଯୁକ୍ତମାନେ ପୁଣି ଥରେ ଦୁଇଜଣଙ୍କ ମୁଣ୍ଡ ନେବାକୁ ସାହସ କଲେ। ବାରମ୍ବାର ଦାବି ସତ୍ତ୍ବେ ପୁଲିସ ରାଜନୈତିକ ଚାପର ଶିକାର ହୋଇ ବିକାଶ ଜେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସରପଂଚଙ୍କ ସ୍ବାମୀଙ୍କୁ ଗିରଫ କରି ନଥିଲା। ଯଦି କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତମାନଙ୍କୁ ପୁଲିସ ୭ଦିନ ଭିତରେ ଗିରଫ ନକରେ ତା’ହେଲେ ଥାନା ଘେରାଉ କରାଯିବ ବୋଲି ବିଜେପି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା ଚେତାବନୀ ଦେଇଛନ୍ତି।
The post ସପ୍ତାହକ ତଳେ ଘରେ ପଶି ଧମକ ଦେଇଥିଲେ; ଦୁଇବର୍ଷ ପରେ ପୁଣି ନେଲେ ଦୁଇ ମୁଣ୍ଡ! first appeared on Sambad.
from ଜିଲ୍ଲା – Sambad https://ift.tt/38aKrzN
0 Comments