ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ତେଇ ପଞ୍ଚାୟତ ପାଇଲୋ ଗ୍ରାମର ନାରାୟଣ ମହାନ୍ତି। ବୟସ ପାଖାପାଖି ୫୫। ପତ୍ନୀ ମମତା ଓ ପୁଅଝିଅଙ୍କୁ ନେଇ ପରିବାର। ପିତୃଅର୍ଜିତ ସଂପତ୍ତି ନାହିଁ କହିଲେ ଚଳେ। ଦୀର୍ଘଦିନ ଧରି ଗଞ୍ଜାମ ବ୍ରହ୍ମପୁରରେ ବନଉନ୍ନୟନ ନିଗମରେ ଜଣେ ଠିକା କର୍ମଚାରୀ ଭାବେ କାମ କରି ଆସୁଥିଲେ। ମାସିକ ସ୍ବଳ୍ପ ବେତନ ମିଳୁଥିଲେ ହେଁ ସେଥିରେ ଯଥାକଥା ସଂସାର ଚଳିଯାଉଥିଲା। କରୋନା ବଢିବା ପରେ ତାଙ୍କୁ କାର୍ଯ୍ୟରୁ ବିଦା କରିଦିଆଗଲା। ମହାମାରୀ ତାଙ୍କ ବଞ୍ଚିବାର ରାହା ବଦଳାଇ ଦେଲା ବୋଲି କହିଛନ୍ତି ସେ। ବହୁକଷ୍ଟରେ ଭିଟାମାଟିରେ ପହଞ୍ଚି ପରିବାର ଚଳାଇବାର ପନ୍ଥା ଖୋଜିଲେ। ଆର୍ଥିକ ସ୍ବଚ୍ଛଳତା ନ ଥିବାରୁ ଶେଷରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ୍‌ ବ୍ଳକ ସାମନ୍ତରାପୁର ପଞ୍ଚାୟତ ସିରସ୍ତା ହାଟରେ ଏକ ପରିବା ଦୋକାନ କଲେ।

ମଙ୍ଗଳବାର ଓ ଶନିବାର ହାଟପାଳିରୁ ବେଶ୍ ଦି’ ପଇସା ରୋଜଗାର ହେଉଛି ବୋଲି ସେ କହିଛନ୍ତି। ଅନ୍ୟ ଦିନମାନଙ୍କରେ ଅଳ୍ପ ପରିବା ସାଙ୍ଗକୁ ଅଦା, ପିଆଜ, ରସୁଣ ଓ ପେ‌ଟ୍ରୋଲ ଆଦିର ବିକ୍ରିବଟା ହୁଏ। ଘରେ ଏକମାତ୍ର ପୁଅ ବିଶ୍ବଜିତ(୨୦)। ଯୁକ୍ତ ଦୁଇ ପାସ୍‌ କରି ଅର୍ଥାଭାବରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ଥିବାବେଳେ ଝିଅ ରୋଜାଲିନ୍ + ୩ କଳାର ପ୍ରଥମ ବର୍ଷ ଛାତ୍ରୀ। ସରକାରୀ ସାହାଯ୍ୟ ମିଳିଲେ ଆଉ ପ୍ରବାସୀ ନ ହୋଇ ନିଜ ଭିଟାମାଟିରେ କରିଥିବା ଏହି ପରିବା ଦୋକାନକୁ ବଢାଇ ଅଧିକ ରୋଜଗାର କରିପାରନ୍ତେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

The post ବନ ଉନ୍ନୟନ ନିଗମ କର୍ମଚାରୀରୁ ପରିବା ଦୋକାନୀ first appeared on Sambad.



from ଜିଲ୍ଲା – Sambad https://ift.tt/3hFdgr9