କଟକ: ସଚିବାଳୟରେ ରାଜ୍ୟ ଅର୍ଥ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ତିନି ଜଣ ଡ୍ରାଇଭରଙ୍କ ଚାକରି ନିୟମିତ କରିବା ପ୍ରସଂଗରେ ୨୦୨୦, ସେପ୍ଟେମ୍ବର ୧୦ରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ଜାନୁଆରି ୨୧ ତାରିଖ ସୁଦ୍ଧା କାର୍ଯ୍ୟକାରୀ କରାଯିବ। ଯଦି ଏଥିରେ ଅବହେଳା ହୁଏ ତେବେ ଜାନୁଆରି ୨୨ରେ ମାମଲାର ଶୁଣାଣି ସମୟରେ ରାଜ୍ୟ ଅର୍ଥ ସଚିବ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହେବେ। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗ ନେଇ ଅଜୟ ସାହୁ ଓ ଅନ୍ୟ ଦୁଇ ଜଣଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ‌ଯେ ଅର୍ଥ ବିଭାଗ ଅଧିନରେ ୧୫ ବର୍ଷରୁ ଅଧିକ ସମୟ ଧରି ଅସ୍ଥାୟୀ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ତିନି ଆବେଦନକାରୀ ଚାକରି ନିୟମିତ ପ୍ରସଂଗ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତିନି ଆବେଦନକାରୀ ଡିଏଲଆର ଭାବେ ନିୁଯୁକ୍ତି ପାଇଥିବା ବେଳେ ଲଗାତାର ଭାବେ ୧୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ଆସୁଥିଲେ। ସାଧାରଣ ପ୍ରଶାସନ ବିଭାଗର ୨୦୧୩, ସେପ୍ଟେମ୍ବର ୧୭ର ବିଜ୍ଞପ୍ତି ସହିତ ସୁପ୍ରିମକୋର୍ଟଙ୍କ କର୍ଣ୍ଣାଟକ ସରକାର ବନାମ ଉମାଦେବୀ ମାମଲାରେ ପ୍ରଦାନ କରିଥିବା ରାୟ ଆଧାରରେ ଚାକିରି ନିୟମିତ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ୨୦୨୦, ସେପ୍ଟେମ୍ବର ୧୦ରେ ହାଇକୋର୍ଟ ମାମଲାର ଶୁଣାଣି କରି ଆବେଦନକାରୀଙ୍କ ଚାକିରି ନିୟମିତ କରିବା ପ୍ରସଂଗରେ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଅର୍ଥ ବିଭାଗ ଆବେଦନକାରୀଙ୍କ ଚାକିରି ନିୟମିତ ସଂପର୍କିତ ଦାବିକୁ ଅଗ୍ରାହ୍ୟ କରିଥିଲା। ଏପରି ନିଷ୍ପତ୍ତି ହାଇକୋର୍ଟଙ୍କ ୨୦୨୦, ସେପ୍ଟେମ୍ବର ୧୦ର ଉଲ୍ଲଂଘନ ବୋଲି ଅଦାଲତ ଅବମାନନା ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା।

ଏହାପରେ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ଜାନୁଆରି ୬ରେ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ମଧ୍ୟ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନଥିବା ଜଣା ପଡିଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବି.ଏସ.ତ୍ରିପାଠୀ ଓ ଅମିତ କୁମାର ସାହୁ ମାମଲା ପରିଚାଳନା କରୁଛନ୍ତି।

The post ଜାନୁଆରି ୨୧ ସୁଦ୍ଧା ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେଲେ ୨୨ରେ ହାଇକୋର୍ଟରେ ହାଜର ହେବେ ଅର୍ଥ ସଚିବ first appeared on Sambad.



from ଜିଲ୍ଲା – Sambad https://ift.tt/3qz2INv