ବ୍ରହ୍ମପୁର: ୨୦୨୨ରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। କିନ୍ତୁ, ଏହାର ଢେର୍‌ ପୂର୍ବରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନମଣ୍ଡଳୀ ରାଜନୀତି ଉଷ୍ମ ହୋଇଉଠିଛି । ଛତ୍ରପୁର ବ୍ଲକ୍‌ର ପ୍ରାୟ ୧୦ଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଏକାଠି ହୋଇ ଦଳୀୟ ନେତୃତ୍ବ ବିରୋଧରେ ସ୍ବର ଉଠାଇଛନ୍ତି। ଖାଲି ଏହି ନିର୍ଦ୍ଦିଷ୍ଟ କେତେକ ପଞ୍ଚାୟତ ନୁହେଁ, ଏହି ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବା ଗଞ୍ଜାମ ବ୍ଲକ୍‌ର ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ଅନୁରୂପ ଭାବେ ମେଳି ବାନ୍ଧିବାକୁ ସଜବାଜ ହେଉଛନ୍ତି। ଗୋଟିଏ ପଟେ ପଞ୍ଚାୟତ ପ୍ରତିନିଧି ଏକାଠି ହେଉଥିବାବେଳେ ଅନ୍ୟପଟେ ଦୀର୍ଘ ୨ବର୍ଷ ପରେ ପୂର୍ବତନ ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ ହଠାତ୍‌ ସକ୍ରିୟ ହୋଇଉଠିଛି। ଯାହାକି ଖାଲି ଛତ୍ରପୁର ନିର୍ବାଚନମଣ୍ଡଳୀରେ ନୁହେଁ, ସାରା ଗଞ୍ଜାମ ଜିଲ୍ଲା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ଗତ ୧୭ତାରିଖରେ ଛତ୍ରପୁର ସହର ଉପକଣ୍ଠ ମାରାମଚଣ୍ଡି ପୀଠରେ ଛତ୍ରପୁର ବ୍ଲକ୍‌ର ପ୍ରାୟ ୧୦ଟି ପଞ୍ଚାୟତର ଲୋକ ପ୍ରତିନିଧି ଓ ୨ ଜିଲ୍ଲା ପରିଷଦ ସଭ୍ୟ ବନ୍ଧୁମିଳନ ଆଳରେ ଏକାଠି ହୋଇଥିଲେ। ସେମାନଙ୍କୁ ବ୍ଲକ୍‌ ପ୍ରଶାସନ ଓ ଦଳ ଅଣଦେଖା କରୁଥିବା ଅଭିଯୋଗ ଆଣିଥିଲେ। ଗୁରୁତ୍ବପୂର୍ଣ୍ଣ ହେଲା, ମେଳି ବାନ୍ଧିଥିବା ଲୋକ ପ୍ରତିନିଧିଙ୍କ ମଧ୍ୟରୁ ଅଧିକାଂଶ ପୂର୍ବତନ ବିଧାୟକ ପ୍ରିୟାଂଶୁଙ୍କ ଅନୁଗତ ବୋଲି କୁହାଯାଉଛି। ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ପ୍ରିୟାଂଶୁ ବିଧାୟକ ଥିଲେ। ଏମାନଙ୍କ ପ୍ରତି ବିଧାୟକଙ୍କ ସହଯୋଗ ରହିଥିଲା। ଅନ୍ୟପକ୍ଷରେ ଗଞ୍ଜାମ ବ୍ଲକ୍‌ରେ ମଧ୍ୟ ପଞ୍ଚାୟତ ପ୍ରତିନିଧିମାନେ ମେଳି ବାନ୍ଧିବାକୁ ସଜବାଜ ହେଉଥିବା ଜଣାପଡ଼ିଛି। କିଛି ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ଆସନ୍ତା ୨୭ତାରିଖରେ ଏକ ବୈଠକ ଥିବା ସୂଚନା ମିଳିଛି। ଗଞ୍ଜାମ ବ୍ଲକ୍‌ ଅଧ୍ୟକ୍ଷ ବିଜେପି ସମର୍ଥିତ ଅଟନ୍ତି। ଗତ ସାଧାରଣ ନିର୍ବାଚନ ପରେ ବ୍ଲକ୍‌ ଅଧ୍ୟକ୍ଷଙ୍କୁ ପଦଚ୍ୟୁତ କରିବା ଲାଗି କିଛି ପଞ୍ଚାୟତ ପ୍ରତିନିଧି ମେଳି ବାନ୍ଧିଥିଲେ। ମେଳି ବାନ୍ଧିଥିବା ପଞ୍ଚାୟତ ପ୍ରତିନିଧିଙ୍କ ଗୋଷ୍ଠୀ ପାଖରେ ସଂଖ୍ୟା ନ ଥିବାରୁ ଓ ସ୍ଥାନୀୟ ବିଧାୟକ ଏଥିପ୍ରତି ଦୃଷ୍ଟି ନ ଦେବାରୁ ଯୋଜନା ଫସର ଫାଟିଗଲା। ସେହିଦିନ ଠାରୁ ଅସନ୍ତୋଷ ରହିଆସିଥିଲା। ତାମ୍ପରା ଠାରେ ଛତ୍ରପୁର ବିଧାୟକ ବିଜେଡି ପ୍ରତିଷ୍ଠା ଦିବସ ପାଳିଥିଲେ। ସେଥିରେ ୪ଶହରୁ ଊର୍ଦ୍ଧ୍ବ କର୍ମୀଙ୍କ ସମାଗମ ହୋଇଥିଲେ ହେଁ ଗଞ୍ଜାମ ବ୍ଲକ୍‌ ଓ ଏନ୍‌ଏସି ବିଜେଡିର କିଛି ପୁରୁଖା ନେତା ଓ ସେମାନଙ୍କ ସମର୍ଥକ ସେଠାକୁ ଆସି ନ ଥିବା କୁହାଯାଉଛି।

ଅନ୍ୟପକ୍ଷରେ, ୨ ବର୍ଷର ନିରବତା ପରେ ପୂର୍ବତନ ବିଧାୟକ ପ୍ରିୟାଂଶୁଙ୍କୁ ଏବେ ଛତ୍ରପୁର ନିର୍ବାଚନମଣ୍ଡଳୀ ଇଲାକାରେ ଦେଖିବାକୁ ମିଳୁଛି। ବିଜେଡିର ଦଳୀୟ କାର୍ଯ୍ୟକ୍ରମ ଓ କୌଣସି ସରକାରୀ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକଙ୍କୁ ଦେଖିବାକୁ ମିଳୁ ନ ଥିଲେ ହେଁ ବିଭିନ୍ନ ବିବାହ, ବ୍ରତ ଆଦି ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି। ପ୍ରିୟାଂଶୁ ନିଜ ଲୋକସମ୍ପର୍କ ଅତୁଟ ରଖିବା ଲାଗି ଏ ସବୁ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା କୁହାଯାଉଥିବାବେଳେ ରାଜ‌ୈନତିକ ମହଲରେ କିନ୍ତୁ ଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗୋପାଳପୁର ବିଧାୟକ ଛନ୍ଦି ହୋଇ ଜେଲ୍‌ ଯିବା ପରେ ତାଙ୍କର ଘନିଷ୍ଠ ଛତ୍ରପୁର ବିଧାୟକଙ୍କୁ ନେଇ ମଧ୍ୟ ନାନା ଚର୍ଚ୍ଚା ଚାଲି ଆସିଛି। ଅନ୍ୟପକ୍ଷରେ ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ। ଏତିକିବେଳେ ଛତ୍ରପୁର ନିର୍ବାଚନମଣ୍ଡଳୀ ବିଜେଡି ଶିବିରରେ ପ୍ରିୟାଂଶୁଙ୍କ ପୁଣି ଅବିର୍ଭାବ ଏବଂ ନେତୃତ୍ବ ବିରୋଧରେ ନିର୍ବାଚିତ ପ୍ରତିନିଧିଙ୍କ ସ୍ବର ଉତ୍ତୋଳନ ରୋଚକ ସ୍ଥିତି ସୃଷ୍ଟି କରିଛି।

The post ନିର୍ବାଚନ ଆଗରୁ ପଞ୍ଚାୟତ ପ୍ରତିନିଧିଙ୍କ ମେଳି, ଦଳୀୟ ନେତୃତ୍ବ ବିରୋଧରେ ସ୍ବର ଉଠାଇଲେ first appeared on Sambad.



from ଜିଲ୍ଲା – Sambad https://ift.tt/3sA2WGd