ଚିତ୍ରଡ଼ା : ମୟୂରଭଞ୍ଜ ଜିଲ୍ଲା ମୋରଡ଼ାରେ ଲଜ୍ଜା। ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ହୋଇଛି ଅଭିଯୋଗ। ସାରାରାତି ଦୁଷ୍କର୍ମ କରିବା ପରେ ଭୋର୍‌ ସମୟରେ ଗାଡ଼ିରୁ ଠେଲିଦେଇ ଫେରାର ହୋଇଯାଇଥିଲେ ୪ଦୁଷ୍କର୍ମକାରୀ। ଘଟଣାରେ ପୁଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର୍‌ ଅଛନ୍ତି।

ଅଭିଯୋଗ ଅନୁଯାୟୀ, ମହିଳା ଜଣକ ଗତ ୧୫ ତାରିଖରେ ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଘରୁ ଚାଲିଚାଲି ଶିଳଦା-ଚିତ୍ରଡ଼ା ରାସ୍ତାରେ ଯାଉଥିଲେ। ବାଟରେ ଗୋପୀନାଥପୁର ଗ୍ରାମର ଜଣେ ଯୁବକ ତାଙ୍କୁ ବାଇକ୍‌ରେ ନେଇ ଛାଡ଼ିଦେବ ବୋଲି କହିଥିଲା। ଉକ୍ତ ଯୁବକ ପେସାରେ ରାଜମିସ୍ତ୍ରୀ ଓ ମହିଳାଜଣକ ପୂର୍ବରୁ ତା ପାଖରେ ଶ୍ରମିକ ଭାବେ କାର୍ଯ୍ୟ କରିଥିଲେ। ତେଣୁ ବିଶ୍ବାସ କରି ବାଇକ୍‌ରେ ବସିଥିଲେ ପୀଡ଼ିତା।

ବ୍ୟାଙ୍କ୍‌ ରାସ୍ତାରେ ନଯାଇ ମହିଳାଙ୍କୁ ଧମକଚମକ ଦେଇ ପଡ଼ୋଶୀ ପଶ୍ଚିମବଙ୍ଗର ନିଜ ଭଉଣୀ ଘରକୁ ନେଇ ଯାଇଥିଲା ଅଭିଯୁକ୍ତ। ସେଠାରେ ପୀଡ଼ିତାଙ୍କ ଫୋନ ବନ୍ଦ କରିଦେଇଥିଲା। ଜୀବନରୁ ମାରିଦେବାକୁ କହି ଦୁଷ୍କର୍ମ କରିଥିଲା। ସେହି ରାତିରେ ଅଭିଯୁକ୍ତର ଆଉ ୨ଜଣ ସାଙ୍ଗ ଏକ ଧଳାରଙ୍ଗର କାର୍‌ରେ ଆସି ପହଞ୍ଚିଥିଲେ। ମହିଳାଙ୍କୁ କାର୍‌ରେ ବସାଇ ଚିତ୍ରଡ଼ା ଫେରିବା ବେଳେ ରାସ୍ତାରେ କାର୍‌ ଅଟକାଇ ଡ୍ରାଇଭର ସମେତ ଜଣକ ପରେ ଜଣେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ପୁଲିସ୍‌ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନେ ଫେରାର୍‌ ହୋଇଯାଇଛନ୍ତି।

The post ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ: ଜଣେ ଗିରଫ, ୩ ଫେରାର first appeared on Sambad.



from ଜିଲ୍ଲା – Sambad https://ift.tt/3swMrux