କଟକ : କନ୍ଧମାଳରୁ କୋଲକାତା ଭା‌ୟା କଟକ। ଅନ୍ତଃରାଜ୍ୟ ଗଂଜେଇ କାରବାରର ଚେର ଏଭଳି ମାଡ଼ିଛି ଯେ ଏବେ ତାହାକୁ ଉପାଡ଼ି ଫିଙ୍ଗିବା ବି କଷ୍ଟକର ହୋଇପଡ଼ିଛି। ଏହି ରୢାକେଟରେ ନୂଆନୂଆ ଲୋକଙ୍କ ସଂପୃକ୍ତି ସାମ୍‌ନାକୁ ଆସୁଛି। ଆଜି କଟକରେ ଗୋଟିଏ ଦିନରେ ଦୁଇଟି ଗଞ୍ଜେଇ ଗ୍ୟାଙ୍ଗ୍‌ର ୫ ଜଣ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଧରାପଡ଼ିଛନ୍ତି। ଏମାନେ କନ୍ଧମାଳରୁ ବାଲେଶ୍ବର ଓ ପଶ୍ଚିମବଙ୍ଗ ଗଞ୍ଜେଇ ଚାଲାଣ କରି ଆସୁଥିଲେ। ୬ ଲକ୍ଷ ୧୦ ହଜାର ଟଙ୍କା ମୂଲ୍ୟର ମୋଟ ୭୬ କେଜି ଓଜନର ଗଞ୍ଜେଇ, ଦୁଇଟି ଦାମି ଚାରିଚକିଆ ଗାଡ଼ି ସେମାନଙ୍କ ନିକଟରୁ ଅବକାରୀ ବିଭାଗ ଜବତ କରିଛି।

ସୂଚନା ଅନୁଯାୟୀ, ପ୍ରାୟ ୪ଟା ବେଳେ ନିର୍ଗୁଣ୍ତି ଚେକ୍‌ ଗେଟ୍‌ ନିକଟରେ ଯୋଜନାବଦ୍ଧ ଭାବେ ଛକି ଥିବା ଅବକାରୀ ବିଭାଗର ଅଧିକାରୀ ଉକ୍ତ ଗାଡ଼ିକୁ କାବୁ କରିଥିଲେ। ଏହି ଚାଲାଣରେ ସମ୍ପୃକ୍ତ ହୋଣ୍ତା ଭେନୁ ଗାଡ଼ି ମାଲିକ କୋଲକାତା ନଦିଆର ସ୍ବସ୍ତିକ୍‌ ବିଶ୍ବାସ୍‌(୨୨), ଗାଡ଼ିର ଡ୍ରାଇଭର‌୍‌ ପରିମଳ ମଣ୍ତଳ(୩୪)କୁ ଗିରଫ କରିଥିଲେ। ଚାଲାଣରେ ବ୍ୟବହାର ହୋଇଥିବା ହୁଣ୍ତାଇ ଭେନୁ(ଡବ୍ଲୁ ୫୨ଏଵାଇ ୩୩୪୪) ଗାଡ଼ିକୁ ପୁଲିସ୍‌ ଜବତ କରିଛି। ଗାଡ଼ିରୁ ମୋଟ ୫୪ କେଜି ଓଜନର ଗଞ୍ଜେଇ ଜବତ କରାଯାଇଛି, ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଗ୍ୟାଙ୍ଗ୍‌ କନ୍ଧମାଳରୁ କୋଲକାତା ଗଞ୍ଜେଇ ଚାଲାଣ ବାବଦରେ ଗାଡ଼ି ଭଡ଼ା ୯୦ ହଜାର ଟଙ୍କା ନେଉଥିବା ଜଣାପଡ଼ିଛି। ସେହିଭଳି ଭାବେ ଆଉ ଏକ ଗଞ୍ଜେଇ ମାଫିଆ ଗ୍ୟାଙ୍ଗ୍‌କୁ କାବୁ କରିଥିଲା ରାଜ୍ୟ ଅବକାରୀ ଫ୍ଲାଇ˚ ସ୍କ୍ବାଡ୍‌। କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ବାଲେଶ୍ବର ଚାଲାଣ ହେଉଥିବା ଏକ ଗ୍ୟାଙ୍ଗ୍‌କୁ କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଛକ ନିକଟରେ ଆଜି ସକାଳ ପ୍ରାୟ ୬ଟା ବେଳେ କାବୁ କରାଯାଇଥିଲା। ଗଞ୍ଜେଇ ଚାଲାଣ କାରବାରରେ କଳାହାଣ୍ତିର ଉଦୟ କୁମାର ସାହୁ(୪୦), ଧୀରଜ ଗଡ଼ତିୟା(୩୨), ବାଳଗୋପାଳ ଥାନପତି(୩୪) ଧରାପଡ଼ିଥିଲେ। ମୋଟ ୨୨ କେଜି ଓଜନର ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ମୂଲ୍ୟ ୧ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଉଛି।

The post ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୫ ମାଫିଆ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/35SdTZI