
ଛତ୍ରପୁର : ‘ଲିଙ୍ଗାନୁପାତ ସର୍ଭେ ରିପୋର୍ଟ ଅନୁସାରେ, ଗଞ୍ଜାମ ଜିଲ୍ଲାରେ ୧୦୦୦ ପୁଅ ତୁଳନାରେ ୯୩୦ ଝିଅ ଅଛନ୍ତି। ପୁରୁଷୋତ୍ତମପୁର ବ୍ଲକ୍ରେ ପୁଅ ତୁଳନାରେ ଝିଅ ସଂଖ୍ୟା ସର୍ବାଧିକ ରହିଥିବା ବେଳେ ବେଲଗୁଣ୍ଠା ବ୍ଲକରେ ପୁଅ ତୁଳନାରେ ଝିଅ ସଂଖ୍ୟା ସର୍ବନିମ୍ନ ରହିଛି। ପୁରୁଷୋତ୍ତମପୁରରେ ୧୦୦୦ ପୁଅ ତୁଳନାରେ ଝିଅ ସଂଖ୍ୟା ୧୧୫୭ ଓ ବେଲଗୁଣ୍ଠାରେ ୧୦୦୦ ପୁଅ ତୁଳନାରେ ଝିଅ ସଂଖ୍ୟା ୮୪୨ ହାର ରହିଛି। ୨୦୧୯ ଜାନୁଆରି ୧୪ ତାରିଖରୁ ଜିଲ୍ଲାରେ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ ଆରମ୍ଭ ପରେ ପୁଅ ତୁଳନାରେ ଝିଅ ସଂଖ୍ୟା ବୃଦ୍ଧିରେ କିଛିଟା ପରିବର୍ତ୍ତନ ଆସିପାରିଛି। କନ୍ୟାସନ୍ତାନଙ୍କୁ ଶିକ୍ଷା ଓ ମୌଳିକ ସୁବିଧା ଯୋଗାଇବା ସହ ସେମାନଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା ରହିଛି। ମହିଳାଙ୍କୁ ସଶକ୍ତୀକରଣ କରିବା ଲାଗି ବିଭିନ୍ନ ଯୋଜନା ହାତକୁ ନିଆଯାଇଛି।
ତଥାପି ସ୍ବାସ୍ଥ୍ୟ, ଶିକ୍ଷା ଓ ସାମାଜିକ ମଙ୍ଗଳ ବିଭାଗର ମିଳିତ ଉଦ୍ୟମରେ ଜିଲ୍ଲାରେ ପୁଅ ଓ ଝିଅ ହାରରେ ସମାନତା ଆସିପାରିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।
୨୦୧୮ରେ ୧୦୦୦ ପୁଅ ତୁଳନାରେ ଝିଅ ସଂଖ୍ୟା ୯୨୦ ରହିଥିଲା। ୨୦୧୯ରେ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ ପରେ ଏହି ହାରରେ ପରିବର୍ତ୍ତନ ଆସିଛି। ୨୦୧୯ରେ ୧୦୦୦ ପୁଅ ତୁଳନାରେ ଝିଅ ସଂଖ୍ୟା ୯୩୯କୁ ବୃଦ୍ଧି ପାଇଥିବା ବେଳେ ୨୦୨୦ ସେପ୍ଟେମ୍ବର ସୁଦ୍ଧା ସଂଗ୍ରହ ହୋଇଥିବା ରିପୋର୍ଟ ଅନୁସାରେ ୧୦୦୦ ପୁଅ ତୁଳନାରେ ଝିଅ ସଂଖ୍ୟା ୯୩୦ ରହିଛି।
ଆଗକୁ ମୋ’ ଗେହ୍ଲା ଝିଅ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ଦିଗରେ ପଦକ୍ଷେପ ନିଆଯିବ। ଏଥିପାଇଁ ଫେବ୍ରୁଆରି ୧୪ ତାରିଖ ଭାଲେଣ୍ଟାଇନ୍ସ୍ ଡେ’ରେ ନବଦମ୍ପତି ଶପଥ ନେବେ। ପୁଅ କି ଝିଅ ଜନ୍ମ ହେଉ, ସେମାନଙ୍କୁ ମୌଳିକ ସୁବିଧା ଯୋଗାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ଦୁହେଁ ମିଳିମିଶି କାର୍ଯ୍ୟ କରିବା ଲାଗି ଦମ୍ପତିଙ୍କୁ ଶପଥ ପାଠ କରାଯିବ। ୫୦୩ ପଞ୍ଚାୟତ ଓ ୧୮ଟି ସହରାଞ୍ଚଳରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ସେହିପରି ପ୍ରତି ମାସ ୧୪ ତାରିଖରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଆୟୋଜନ ସହ ନବଜାତ ଶିଶୁକନ୍ୟାଙ୍କ ବାପାମାଆଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
The post ଗଞ୍ଜାମରେ ୧୦୦୦ ପୁଅ ତୁଳନାରେ ୯୩୦ ଝିଅ; ମୋ’ ଗେହ୍ଲା ଝିଅ କାର୍ଯ୍ୟକ୍ରମ ହେବ ଅଧିକ କ୍ରିୟାଶୀଳ first appeared on Sambad.
from ଜିଲ୍ଲା – Sambad https://ift.tt/3659Zx3
0 Comments