
ବ୍ରହ୍ମପୁର : ନକଲି, ଅପମିଶ୍ରଣର ବିଶାଳ ବଜାର ପାଲଟିଛି ବ୍ରହ୍ମପୁର ସହର। ପ୍ରଥମେ ନକଲି ଇଂଜିନ୍ ଅଏଲ୍, ତା’ପରେ ଗତକାଲି ଅପମିଶ୍ରିତ ହଳଦୀ, ଲଙ୍କାଗୁଣ୍ଡ କାରଖାନା, ଗୋଦାମ, ମିଲ୍ ଠାବ ହୋଇଥିଲା। ଆଜି ଠାବ ହୋଇଛି ଅପମିଶ୍ରିତ ଚା’ ପତି ପ୍ରସ୍ତୁତି କାରଖାନା। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନିରେ ଚାଲିଥିବା ଏହି କାରଖାନାରୁ ବିପୁଳ ପରିମାଣ ଅପମିଶ୍ରିତ ଚା ପତି ଜବତ ହୋଇଛି। ବିଭିନ୍ନ କମ୍ପାନିର ପ୍ୟାକେଟ୍ ପ୍ରସ୍ତୁତ କରି ସେଥିରେ ଅତ୍ୟନ୍ତ ନିମ୍ନମାନର ଚା ପତି ଭର୍ତ୍ତି କରି କମ୍ ଦାମରେ ବିକ୍ରି କରା ଯାଉଥିଲା ବୋଲି ପୁଲିସ କହିଛି। ଏ ସଂକ୍ରାନ୍ତରେ ବୈଦ୍ୟନାଥପୁର ଥାନାରେ କେସ୍ ନମ୍ବର ୨୫/୨୧ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପ୍ରମୋଦ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେଠାରୁ ବିପୁଳ ପରିମାଣ ଚା ପତି ଜବତ ହୋଇଛି।
ପଣ୍ଡା କଲୋନିର ଏକ ଘରେ ନକଲି ଚା ପତି ପ୍ୟାକେଟ୍ ପ୍ରସ୍ତୁତ ହେଉଥିବା ନେଇ ଖବର ମିଳିଥିଲା। ସେ ନେଇ ପୁଲିସର ଏକ ଟିମ୍ ସେଠାରେ ଚଢ଼ଉ କରିଥିଲା। ଯାଞ୍ଚ ପରେ ସେଠାରୁ ବିଭିନ୍ନ କମ୍ପାନିର ଚା ପତି ଜବତ ହୋଇଥିଲା। ସେହିପରି ଆଲୁମିନିଅମ କନ୍ଣ୍ଟେନର୍ରେ ଥିବା ବିପୁଳ ଚା ପତି ମଧ୍ୟ ଜବତ ହୋଇଥିଲା। ଆସାମ କଡ଼କ ଚା ୨୬୦କେଜି ଜବତ ହୋଇଥିବା ବେଳେ ସୂର୍ଯ୍ୟ ଗୋଲ୍ଡ ୨୯୦କେଜି, ଡନ୍-ଟି ୭୫କେଜି ଜବତ ହୋଇଛି। ଏ ସବୁ କମ୍ପାନିର ନାଁରେ ଚା ପ୍ୟାକେଟ୍ ଏଠାରେ ପ୍ରସ୍ତୁତ କରି ବିଭିନ୍ନ ଅଞ୍ଚଳରେ କମ୍ ଦାମରେ ବିକ୍ରି କରାଯାଉଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ସେହି ପ୍ୟାକେଟ୍ରେ ବାର୍କୋଡ୍, ବ୍ୟାଚ୍ ନମ୍ବର, ପ୍ୟାକେଜିଂ ତାରିଖ ପ୍ରଭୃତି ରହୁ ନଥିଲା। ଦାମୀ କମ୍ପାନିର ପଲିଥିନ୍ ପ୍ୟାକେଟ୍ରେ ନିମ୍ନମାନର ଚା ପତି ଭର୍ତ୍ତି କରି ତାହା ବିକ୍ରି କରାଯାଉଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ପୁଲିସ ଘଟଣାସ୍ଥଳରୁ ପଲିଥିନ୍ ପ୍ୟାକେଟ୍, ଓଜନ ମେସିନ୍, ସିଲ୍ ଓ ପ୍ୟାକେଜିଂ ମେସିନ୍ ସହିତ ବିଭିନ୍ନ କମ୍ପାନିର ଚା ବ୍ୟାଗ୍ ପ୍ରଭୃତି ଜବତ କରିଛି। ଏହି କାରବାର ପଛରେ ଆଉ କିଏ ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ଦିଗରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
The post ବ୍ରହ୍ମପୁରରେ ଅପମିଶ୍ରିତ ଚା’ କାରଖାନା; ଜଣେ ଗିରଫ, ବିପୁଳ କଞ୍ଚାମାଲ୍ ଜବତ first appeared on Sambad.
from ଜିଲ୍ଲା – Sambad https://ift.tt/3oiqcVX
0 Comments