ଚିତ୍ରଡ଼ା: ମୟୂରଭଂଜ ଜିଲ୍ଲା ମୋରଡ଼ା ବ୍ଲକ ତଥା ମୋରଡ଼ା ତହସିଲ ଅଧିନ ମହୁଲବଣି ପଞ୍ଚାୟତର କାଳିଆନାଳ ଠାରେ ଆଜି ସନ୍ଧ୍ୟାରେ ହାତୀ ଆକ୍ରମଣରେ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଖବରରୁ ପ୍ରକାଶ କି କାଳିଆନାଳ ଗ୍ରାମର କାଙ୍ଗାଳୀ ଦେହୁରୀଙ୍କ ପୁଅ ରାମ ଦେହୁରୀ (୫୦) ଆଜି ସାଇକେଲରେ କୌଣସି ସ୍ଥାନକୁ ଯାଇ ଫେରୁଥିବା ସମୟରେ ହଠାତ କାଳିଆନାଳ ବାଙ୍କ ପାଖରେ ଏକ ଦନ୍ତା ହାତୀ ହଠାତ ଆକ୍ରମଣ କରିଥିଲା। ଯାହାଫଳରେ ବୃଦ୍ଧ ରାମ ସାଇକଲେରୁ ପଡିଯାଇଥିଲେ। ଏହାପରେ ଦନ୍ତାଟି ହଠାତ ଶୁଣ୍ଢରେ ଟେକି କଚାଡି ଦେଇଥିଲା, ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଯାଇଥିଲା।

ଖବର ପାଇ ବେତନଟୀ ରେଞ୍ଜ ବନବିଭାଗ ର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଯାଇଥିବା ବେଳେ ଡାକ୍ତରଖାନାରେ ପହଞ୍ଚିବାବେଳକୁ ମୃତ୍ୟୁ ଘଟିଯାଇଥିବାର ଡାକ୍ତର ପ୍ରକାଶ କରିଥିଲେ। ତେବେ ମୋରଡ଼ା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହୁଥିବା ବେଳେ ହାତୀପଲ ଯୋଗୁଁ ବ୍ୟାପକ ପରିମାଣର କ୍ଷୟକ୍ଷତି ଏବଂ ଧନ ଜୀବନ ହାନୀ ଘଟୁଥିବା ବେଳେ ହାତୀପଲକୁ ଘଉଡାଇବା ପାଇଁ ବନବିଭାଗ ଏବଂ ସରକାରଙ୍କ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଦିନକୁ ଦିନ ହାତୀ ଉପଦ୍ରବରେ କ୍ଷୟକ୍ଷତି ବୃଦ୍ଧି ପାଇଚାଲିଥିବାର ଅଭିଯୋଗ ସାଧାରଣରେ ହୋଇଛି।

ତେବେ ଏହି ବ୍ଲକ ଅଞ୍ଚଳରେ ଶିମିଳିପାଳ ହାତୀପଲଟି ଦୀର୍ଘ ଦିନରୁ ଆସି ଏହି ଅଞ୍ଚଳରେ ଘୁରିବୁଲୁଥିବା ବେଳେ ଝାଡ଼ଖଣ୍ଡି ହାତୀପଲ ଅନୁପ୍ରବେଶ ମଧ୍ୟ ଜାରୀରହିଛି। ଯାହା ଫଳରେ ଆଜି ନୂତନ ବର୍ଷର ଆରମ୍ଭ ଦିନରେ ହିଁ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟିଯାଇଛି। ତେବେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି।

The post ଘରକୁ ଫେରୁଥିଲେ ଜନୈକ ବ୍ୟକ୍ତିଙ୍କୁ ଶୁଣ୍ଢରେ ଟେକି କଚାଡି ଦେଲା ଦନ୍ତା first appeared on Sambad.



from ଜିଲ୍ଲା – Sambad https://ift.tt/3hyCbN0