ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଧୀନ ସୋରଳ ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ତାଙ୍କ ଗଳାକାଟି ହତ୍ୟା ଉଦ୍ୟମ କରାଯାଇଥିଲା। ଏହି ଘଟଣାକୁ ନେଇ ସାରାରାଜ୍ୟରେ ଚର୍ଚ୍ଚା ହୋଇଥିଲାବେଳେ ଅଭିଯୁକ୍ତଙ୍କ ବର୍ବରତାର ଆଉ ଏକ ସଙ୍ଗୀନ ଚିତ୍ର ସାମ୍‌ନାକୁ ଆସିଛି। ପ୍ରତିରୋଧ କରିବାରୁ ୨ ଅଭିଯୁକ୍ତ ଇଟାଖଣ୍ଡରେ ନାବାଳକଙ୍କ ୩ଟି ଦାନ୍ତ ଭାଙ୍ଗି ଦେଇଥିଲେ। ୨ ଅଭିଯୁକ୍ତଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଋତୁ ବେହେରା ଓ ହେମନ୍ତ ବେହେରା।

ଗତ ୨୮ ତାରିଖରେ ତୃତୀୟ‌ ‌ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ କରାଯାଇଥିଲା। ଏହିଭଳି ଏକ ଅମାନୁଷିକ ଘଟଣାକୁ ନେଇ ଯେତିକି ଚର୍ଚ୍ଚା ହୋଇଥିଲା, ଏବେ ପୁଲିସ୍‌ ତଦନ୍ତରୁ ଅଭିଯୁକ୍ତଙ୍କ ବର୍ବରତାର ଆହୁରି ସଙ୍ଗୀନ ଚିତ୍ର ସାମ୍‌ନାକୁ ଆସିଛି। ସୂଚନା ଅନୁସାରେ, ଉଭୟ ନିଶାସକ୍ତ ଅବସ୍ଥାରେ ନାବାଳିକାଙ୍କୁ ବଳପୂର୍ବକ ଏକ ଅବ୍ୟବହୃତ ଓଡ଼ିଆର୍‌ପି ଘରକୁ ନେଇ ଦୁଷ୍କର୍ମ କରିଥିଲେ। ପ୍ରତିବାଦ କରିବାରୁ ଇଟା ଖଣ୍ଡରେ ନାବାଳିକାର ମୁଣ୍ଡ, ମୁହଁ ଓ କାନକୁ ଛେଚି କ୍ଷତାକ୍ତ କରି ଦେଇଥିଲେ। ଏଥିରେ ନାବାଳିକାଙ୍କ ତିନିଟି ଦାନ୍ତ ମଧ୍ୟ ଭାଙ୍ଗି ଯାଇଥିଲା। ଧାରୁଆ ଅସ୍ତ୍ରରେ ଗଳାକୁ ବି କାଟି ହତ୍ୟା ଉଦ୍ୟମ କରିଥିଲେ ଅଭିଯୁକ୍ତ। ପୁଲିସ ଘଟଣାସ୍ଥଳରୁ ରକ୍ତଭିଜା ଲୁଗା, ଭଙ୍ଗା ଇଟାଖଣ୍ଡ ଓ ତିନିଟି ଭଙ୍ଗାଦାନ୍ତ ଜବତ କରିଛି। ଉଭୟ ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଧାରା ବ୍ୟତୀତ ଆଇପିସିର ଏସ୍ ୩୬୫/୩୬୬, ୩୭୬ ଡିବି, ୩୦୭ ଏବଂ ୩୪୧ ଧାରାରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି। ଅନ୍ୟପକ୍ଷରେ, ନାବାଳିକାଜଣକ ଗୁରୁତର ଥିବାବେଳେ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଛି।

The post ନାବାଳିକାଙ୍କୁ ଗଣଦୁଷ୍କର୍ମ, ଗଳା କାଟିବା ମାମଲାରେ ୨ ଗିରଫ : ଇଟା ଖଣ୍ଡରେ ଦାନ୍ତ ଭାଙ୍ଗିଥିଲେ ଅଭିଯୁକ୍ତ first appeared on Sambad.



from ଜିଲ୍ଲା – Sambad https://ift.tt/3pFPkqY