
ଯୁବକଙ୍କ ଘର କେନ୍ଦ୍ରାପଡ଼ା, ଶିକ୍ଷୟିତ୍ରୀଙ୍କ ଘର ପୁରୀ
ଉଭୟ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ନୟାଗଡ଼ : ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଧୀନ ଗୋଡ଼ିପଡ଼ା ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। କେନ୍ଦ୍ରାପଡ଼ା ଅଞ୍ଚଳର ଯୁବକ ସୁକାନ୍ତ ବେହେରା ଗୋଡ଼ିପଡ଼ାସ୍ଥିତ ସର୍ଦ୍ଦାର ପଟେଲ ବିଦ୍ୟାପୀଠର ଶିକ୍ଷୟିତ୍ରୀ ଲିଲିମା ବେହେରାଙ୍କ ତଣ୍ଟି କାଟି ଦେଇଛି। ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିବା ପରେ ସୁକାନ୍ତ ନିଜ ତଣ୍ଟି ମଧ୍ୟ କାଟି ଦେଇଛି। ଏଥିରେ ଲିଲିମାଙ୍କ ତଣ୍ଟି, ବେକର ପଛ ଭାଗରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଲିଲିମା କଥା କହିପାରୁଥିବା ବେଳେ, ଯୁବକ ଜଣକ କଥା କହିପାରୁନାହିଁ। ଉଭୟ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ତେବେ ଯୁବକ ଜଣକ କାହିଁକି ଏଭଳି କଲା, ତାହା ଜଣାପଡ଼ିନାହିଁ। ଲିଲିମାଙ୍କ ଘର ପୁରୀ ଜିଲ୍ଲା ଆଳୁପାଟଣାରେ ହୋଇଥିବା ବେଳେ, ସେ ଗୋଡ଼ିପଡ଼ା ସର୍ଦ୍ଦାର ପଟେଲ ବିଦ୍ୟାପୀଠରେ ୮ ବର୍ଷ ହେଲା ଶିକ୍ଷକତା କରୁଥିଲେ। ଶିକ୍ଷୟିତ୍ରୀ ବିବାହିତ, ତାଙ୍କ ସ୍ବାମୀ ନାରାୟଣ ଜେନା ବାହାରେ ରହି କାମ କରୁଥିବା ଜଣାପଡ଼ିଛି। ଯୁବକର ଘର କେନ୍ଦ୍ରାପଡ଼ା ପଟ୍ଟମୁଣ୍ଡାଇ ଅଞ୍ଚଳରେ ବୋଲି ଜଣାଯାଇଛି। ଲିଲିମାଙ୍କ ସହିତ ଉକ୍ତ ଯୁବକର ପୂର୍ବ ପରିଚୟ ଥିବା ଅନୁମାନ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଅପରାହ୍ଣ ପାଖାପାଖି ୪ଟା ସମୟରେ ଲିଲିମା ରହୁଥିବା ଗୋଡ଼ିପଡ଼ାସ୍ଥିତ ଭଡ଼ାଘର ନିକଟରେ ସୁକାନ୍ତ ପହଞ୍ଚିଥିଲା। ଘର ମାଲିକ ସନ୍ତୋଷ କୁମାର ସାହୁଙ୍କ ମା’ଙ୍କୁ ଲିଲିମାଙ୍କ ବାବଦରେ ପଚାରିଥିଲା। ଲିଲିମା ସ୍କୁଲ୍ରେ ଥିବା ଜାଣିବା ପରେ ସ୍କୁଲ୍ ନିକଟକୁ ଯାଇଥିଲା। ସ୍କୁଲ ଓ ଲିଲିମାଙ୍କ ଭଡ଼ା ଘର ମଧ୍ୟରେ ଅଳ୍ପ ଦୂରତା ରହିଛି। ସୁକାନ୍ତ ସ୍କୁଲ ନିକଟକୁ ଯାଇ ଛୁଟି ସମୟକୁ ଅପେକ୍ଷା କରି ରହିଥିଲା। ଲିଲିମା ସ୍କୁଲ୍ରୁ ବାହାରିବା ପରେ ତାଙ୍କୁ କିଛି ପଚାରିବା ସହିତ ପିଛା କରିଥିଲା। ଏହା ପରେ ଲିଲିମା ଭଡ଼ା ଘରକୁ ପ୍ରବେଶ କରିବା ପରେ ଯୁବକ ଜଣକ ଉକ୍ତ ଘର ମଧ୍ୟକୁ ପ୍ରବେଶ କରିଯାଇଥିଲା। କିଛି ସମୟ ଲିଲିମାଙ୍କ ସହ କଥା ହେବା ପରେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି।
ଲିଲିମାଙ୍କ ଚିତ୍କାର ଶୁଣି ଘର ମାଲିକଙ୍କ ପରିବାର ସଦସ୍ୟ ଘର ମଧ୍ୟକୁ ଯାଇ ଯୁବକଙ୍କୁ ପ୍ରତିରୋଧ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିଫଳ ହୋଇଥିଲେ। ଘର ମାଲିକଙ୍କ ପରିବାରର ୪ ଜଣ ସଦସ୍ୟ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ପବନ ବେଗରେ ଏହି ଖବର ଖେଳିଯିବା ପରେ, ସ୍ଥାନୀୟ ଲୋକେ ଓ ଗୋଡ଼ିପଡ଼ା ଫାଣ୍ଡି ପୁଲିସ ଉଭୟଙ୍କୁ ଆଣି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଶିକ୍ଷୟିତ୍ରୀଙ୍କ ଅପେକ୍ଷା ଯୁବକଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ଥିବା ଦେଖାଯାଇଛି। ଗୋଡ଼ିପଡ଼ା ଫାଣ୍ଡି ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଘଟଣା ନେଇ ସବିଶେଷ ତଦନ୍ତ କରୁଥିବା ଜଣାପଡ଼ିଛି।
The post ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିବା ପରେ ନିଜ ତଣ୍ଟି କାଟିଲା ଯୁବକ first appeared on Sambad.
from ଜିଲ୍ଲା – Sambad https://ift.tt/3j4wJCg
0 Comments