
ଭବାନୀପାଟଣା, (ଦେବେନ୍ଦ୍ର ବିଶି): ଚାଷ କ୍ଷେତ୍ରରେ କ୍ରମଶଃ ମହିଳା ମାନଙ୍କ ଭାଗିଦାରୀ ବୃଦ୍ଧି ପାଉଛି। ରାଜ୍ୟରେ ଅନେକ ମହିଳା ଚାଷକାର୍ଯ୍ୟ କରି ନିଜକୁ ଆତ୍ମନିର୍ଭର କରିବା ସହ ପରିବାରର ଅର୍ଥନୈତିକ ସଶକ୍ତୀକରଣ ଦିଗରେ କାମ କରୁଛନ୍ତି। କିନ୍ତୁ ଏମିତି ବି କିଛି ମହିଳା ଅଛନ୍ତି ଯେଉଁମାନେ ନିଜେ ଚାଷ କରିବା ସହ ଅନ୍ୟ ମହିଳାମାନଙ୍କୁ ମଧ୍ୟ ଚାଷ କରିବା ପାଇଁ ପ୍ରେରିତ କରୁଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଜୈବିକ ଚାଷ ଲାଗି ପ୍ରୋତ୍ସାହନ ଦେଉଛନ୍ତି। ସେ ଭଳି ଏକ ପରିଚୟ ସୃଷ୍ଟି କରିଥିବା ମହିଳା ହେଲେ କାମିନୀ ପଟେଲ। କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୨୨୪ ପରିବାରକୁ ରୋଜଗାରର ରାହା ଦେଖାଇଛନ୍ତି କାମିନୀ।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ମେଦିନୀପୁର ନିକଟସ୍ଥ ସରଲାଞ୍ଜି ଗ୍ରାମର କାମିନୀ ପଟେଲ ଜୈବିକ ଖତ ଦେଇ କିଭଳି ପନିପରିବା ଚାଷ କରାଯିବ ସେଥିନେଇ ମହିଳାମାନଙ୍କୁ ପ୍ରଶିକ୍ଷଣ ଓ ପ୍ରେରଣା ଯୋଗାଇଛନ୍ତି। ଭବାନୀପାଟଣା ସଦର ବ୍ଲକର ଗୁଡ଼ିଆଳି ପଦର ଓ ବଳରାମପୁର ପଞ୍ଚାୟତର ସରଲାଞ୍ଜି, ମେଦିନୀପୁର, ବଳରାମପୁର ସମେତ ୫ ଟି ଗାଁର ମହିଳା ମାନଙ୍କୁ ପନିପରିବା ଚାଷ ପାଇଁ ଉତ୍ସାହିତ କରିଛନ୍ତି। ସେ ୨୦୧୮ ମସିହା ଅଗଷ୍ଟ ମାସରେ ମାଟିପୁତ୍ର ମହିଳା କୃଷକ ଉତ୍ପାଦନକାରୀ କମ୍ପାନୀ ଗଠନ କରିଥିଲେ । ଏଥିରେ ୨୨୪ ଜଣ ମହିଳା ସଦସ୍ୟ ଅଛନ୍ତି। ସମସ୍ତଙ୍କ ଠାରୁ ପନିପରିବା ସଂଗ୍ରହ କରି ଭବାନୀପାଟଣା ସହରକୁ ଆଣି ସେ ବିକ୍ରି କରୁଛନ୍ତି ।
୨୦୨୦ ମସିହା ଫେବ୍ରୁଆରୀ ମାସରେ କାମିନୀ ଭବାନୀପାଟଣା ଇରିଗେସନ ଛକ ଠାରେ ମାଟିପୁତ୍ର ସତେଜ ପରିବା ବିକ୍ରୟ କେନ୍ଦ୍ର ଆରମ୍ଭ କରିଥିଲେ । ଦେଶୀଖତ ଓ ଜୈବିକ ଔଷଧ ପ୍ରୟୋଗ କରି ଉତ୍ପାଦିତ ତାଙ୍କ ପରିବା କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ବେଶ୍ ଆଗ୍ରହ ପ୍ରକାଶ ପାଉଛି। ନାବାର୍ଡ ଓ ଦାପ୍ତା ପକ୍ଷରୁ ତାଲିମ ପାଇ ପନିପରିବା ଚାଷ ଓ ମାର୍କେଟିଂ ଉପରେ ଇତିମଧ୍ୟରେ ସେ ନିଜର ଦକ୍ଷତା ବୃଦ୍ଧି କରିଛନ୍ତି। ୨୨୪ ମହିଳା ପରିବା ଚାଷୀଙ୍କ ସହିତ ଯୋଗସୂତ୍ର ରଖି ସେମାନଙ୍କ ଦ୍ବାରା ଉତ୍ପାଦିତ ପନିପରିବାକୁ ଗାଁରୁ ଆଣି ସହରରେ ବିକ୍ରି କରିବା ପରେ ଲାଭ ଟଙ୍କାକୁ ସମସ୍ତଙ୍କ ମଧ୍ୟରେ ବଣ୍ଟା ଯାଉଥିବା କହିଛନ୍ତି ସେ। ଭବିଷ୍ୟତରେ ଜିଲ୍ଲା ବାହାରକୁ ପରିବା ରପ୍ତାନି ନିମନ୍ତେ ଯୋଜନା କରୁଥିବା ନେଇ କାମିନୀ ସୂଚନା ଦେଇଛନ୍ତି ।
The post ପନିପରିବା ବିକ୍ରି ପାଇଁ କଂପାନି ଖୋଲିଛନ୍ତି କାମିନୀ, ୨୨୪ ମହିଳା ଚାଷୀଙ୍କୁ ଦେଲେ ରୋଜଗାରର ରାହା first appeared on Sambad.
from ଜିଲ୍ଲା – Sambad https://ift.tt/3j0Cjpx
0 Comments