
ଖୁଣ୍ଟୁଣୀ: କୋଭିଡ୍ କଟକଣା ଯୋଗୁଁ ୯ ମାସ ହେଲା ଭକ୍ତଙ୍କ ପାଇଁ ବନ୍ଦ ରହିଥିବା କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବ କ୍ଷେତ୍ର ଧବଳେଶ୍ବର ପୀଠ ଆଜି ଖୋଲାଯାଇଛି। ପ୍ରଶାସନ ତରଫରୁ ସାଧାରଣ ଦର୍ଶନ ନିମନ୍ତେ ଜାରି ହୋଇଥିବା ନିୟମ ଅନୁଯାୟୀ ଶ୍ରଦ୍ଧାଳୁମାନେ ପୀଠକୁ ଆସି ପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଦୀର୍ଘ ୯ମାସ ପରେ ପ୍ରଭୁ ଧବଳେଶ୍ୱରଙ୍କୁ ସ୍ବଚକ୍ଷୁରେ ଦର୍ଶନ କରି ଭକ୍ତମାନେ ଭାବବିହ୍ବଳ ହୋଇ ପଡ଼ିଥିବା ଲକ୍ଷ୍ୟ କରାଯାଇଥିଲା।
ପ୍ରକାଶଥାଉ କି, ଧବଳେଶ୍ବର ମନ୍ଦିର ଖୋଲିବା ପାଇଁ ଚାରିଦିନ ତଳେ ଆଠଗଡ଼ ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରଶାସନ ଓ ମନ୍ଦିର ସେବାୟତଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକର ନିଷ୍ପତ୍ତି ମୁତାବକ କୋଭିଡ୍ ନିୟମ ଅନୁଯାୟୀ ୮ତାରିଖ ଦିନ ପୂଜକ ପରିବାର, ୯ ଓ ୧୦ତାରିଖରେ ମଞ୍ଚେଶ୍ୱର ପଞ୍ଚାୟତବାସୀ ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ କରିଥିଲେ। ଆଜି ୧୧ତାରିଖରୁ ସର୍ବସାଧାରଣ ଦର୍ଶନ ପାଇଁ ପୀଠ ଖୋଲା ଯାଇଥିଲା।
ଝୁଲାପୋଲ ପ୍ରବେଶ ପୂର୍ବରୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଇଥିଲା। ସେହିପରି ଗୋଟିଏ ଥରରେ ୫୦ଜଣ ଶ୍ରଦ୍ଧାଳୁଙ୍କୁ ୬ଫୁଟ୍ ବ୍ୟବଧାନ ରଖି ପୀଠକୁ ଦର୍ଶନ ନିମନ୍ତେ ଛଡ଼ାଯିବାର ବ୍ୟବସ୍ଥା କରାଯାଇଛି। ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ମାସ୍କ ପରିଧାନ ଓ ହାତ ସାନିଟାଇଜ୍ କରିବା ବାଧ୍ୟତାମୂଳକ କରାଯାଇଛି। ଏହାଛଡ଼ା ୬ଫୁଟ ଦୂରତାରେ ଛିଡ଼ା ହୋଇ ଦର୍ଶନ କରିବା, ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ଲାଗି ଏସ୍ଓପି ନିୟମକୁ କଡ଼ାକଡ଼ି କରାଯାଇଥିଲା। ପ୍ରଥମ ଦିବସରେ ପ୍ରାୟ ୧ ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ କରିଥିବା ପୂଜକ ସମିତିର ସଭାପତି ବିଷ୍ଣୁ ଚରଣ ପତ୍ରି ସୂଚନା ଦେଇଛନ୍ତି। ଆଜି ନୀତି ପାଳିଆ ସେବକ ମନୋରଂଜନ ପତ୍ରି ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ କରିଥିଲେ। ସେହିପରି ଦେବୋତ୍ତର ବିଭାଗ ସୁପର୍ଭାଇଜର୍ ଭବାନୀଶଙ୍କର ପଣ୍ଡା, ଧବଳେଶ୍ବର ଫାଣ୍ଡି ଅଧିକାରୀ ବସନ୍ତ ସାଠୁଆଙ୍କ ସମେତ ଗୁରୁଡ଼ିଝାଟିଆ ଥାନାର ପୁଲିସ କର୍ମଚାରୀଙ୍କ ସହ ଏକ ସେକ୍ସ ଫୋର୍ସ ଉପସ୍ଥିତ ଥିଲେ।
The post ଧବଳେଶ୍ୱରଙ୍କ ସାଧାରଣ ଦର୍ଶନ ଆରମ୍ଭ first appeared on Sambad.
from ଜିଲ୍ଲା – Sambad https://ift.tt/3qbQU3Q
0 Comments