
କଟକ: ଗଞ୍ଜାମ ଦିଗପହଣ୍ଡି ଥାନାର ହୋମଗାର୍ଡ ବିନୋଦ ବିହାରୀ ପତି ଓ ତାଙ୍କ ପରିବାରକୁ ଚଣ୍ଡୀମନ୍ଦିର ସମ୍ମୁଖରେ ଭିକ୍ଷାବୃତ୍ତି କରୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ହୋମଗାର୍ଡ ଭାବେ ଶ୍ରୀ ପତି କାମ କରୁଥିବାବେଳେ ତାଙ୍କ ବିରୋଧରେ ମିଥ୍ୟା କେସ୍ ସହିତ ପାରିବାରିକ ସମସ୍ୟା ଯୋଗୁଁ ଦୀର୍ଘ ୯ ବର୍ଷ ଧରି ସେ କଟକ ଓ କୋରାପୁଟର ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି କରି ଆସୁଛନ୍ତି। ତାଙ୍କର ୩ଟି ଝିଅ ଓ ୨ଟି ପୁଅ ଅଛନ୍ତି। ବଡ଼ଝିଅକୁ ୧୨ ବର୍ଷ ହୋଇଥିବାବେଳେ ସାନପୁଅକୁ ୫ ମାସ ହୋଇଛି। ଶ୍ରୀ ପତି ଯୁକ୍ତଦୁଇ ପର୍ଯ୍ୟନ୍ତ ପଢ଼ିଥିବା ବେଳେ ଦିଗପହଣ୍ଡି ଥାନାରେ ହୋମଗାର୍ଡ ଭାବେ କାମ କରୁଥିଲେ। ମାତ୍ର ସାହିପଡ଼ିଶା ତାଙ୍କ ବିରୋଧରେ ମିଥ୍ୟା କେସ୍ ଦେବା ସହିତ ସହକର୍ମୀଙ୍କ ଅସହଯୋଗ ଯୋଗୁଁ ସେ ଚାକିରି ଓ ଦିଗପହଣ୍ଡିସ୍ଥିତ ନିଜ ଗ୍ରାମ ଗୋକୁନପୁର ଛାଡ଼ି ଦେଇଥିଲେ। ଚାକିରି ଫେରିପାଇବା ସହିତ ତାଙ୍କୁ ନ୍ୟାୟ ଦେବାକୁ ସେ ବହୁବାର ଉଚ୍ଚ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ।
ମାତ୍ର ତାଙ୍କ ପ୍ରତି କାହାର ସୁଦୃଷ୍ଟି ପଡ଼ି ନାହିଁ। ବାଲିଯାତ୍ରା ପଡ଼ିଆର ଖୋଲା ଆକାଶ ତଳେ ପରିବାର ସହିତ ସେ ରହୁଥିବାବେଳେ ଚଣ୍ଡୀମନ୍ଦିର ଆଗରେ ପରିବାରର ସଦସ୍ୟ ଭିକ୍ଷମାଗି ଚଳୁଥିଲେ। ଅସହାୟ ଅବସ୍ଥାରେ ବିନୋଦ ଓ ତାଙ୍କ ପରିବାରକୁ କିଛି ସାମାଜିକ କର୍ମୀ ଉଦ୍ଧାର କରି ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଏବେ ତାଙ୍କ ପରିବାକୁ ସିଡିଏସ୍ଥିତ ଏକ ସାମାଜିକ ସଂଗଠନରେ ରଖାଯାଇଛି।
The post ଚଣ୍ଡୀମନ୍ଦିର ଆଗରେ ହୋମଗାର୍ଡଙ୍କ ଭିକ୍ଷାବୃତ୍ତି first appeared on Sambad.
from ଜିଲ୍ଲା – Sambad https://ift.tt/3sI2ZzG
0 Comments