ବଡ଼ସାହି : ବଡ଼ସାହି ଥାନା ତଥା ବ୍ଲକ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ପ୍ରତାପପୁର ଘାଟରେ ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଗତକାଲି ରାତି ପ୍ରାୟ ୮ ଟା ପରେ ସେହି ପୋଲ ନିକଟରେ ଆକସ୍ମିକ ମୃତ୍ୟୁ ଘଟିଥିବା ଜାଣାଯାଇଛି। ମୃତ ଜଗୁଆଳି ଜଣକ ହେଲେ ସେହି ପ୍ରତାପପୁର ଗ୍ରାମ ବଙ୍ଗଳା ସାହିର ବାଇଧର ସିଂ (୪୮)। ବାଇଧର ଉକ୍ତ ନିର୍ମାଣାଧୀନ ପୋଲରେ ରାତ୍ର ଜଗୁଆଳି ଭାବେ କାମ କରିଆସୁଥିଲେ।

ସବୁଦିନ ଭଳି ଗତକାଲି ମଧ୍ୟ ସନ୍ଧ୍ୟାରେ ପୋଲ ଜଗିବାପାଇଁ ଘାଟକୁ ଯାଇଥିଲେ। ମାତ୍ର କିଛି ସମୟ ପରେ ବାଇଧର ତଳେ ସଂଜ୍ଞାହୀନ ଅବସ୍ଥାରେ ପଡିଥିବାର ଅନ୍ୟ ଶ୍ରମିକମାନେ ଦେଖିବାକୁ ପାଇଥିଲେ। ଖବର ପାଇ ପରିବାର ଲୋକେ ସଙ୍ଗେସଙ୍ଗେ ପ୍ରାୟ ରାତି ୯ ଟା ବେଳକୁ ବଡ଼ସାହି ଡାକ୍ତରଖାନାକୁ ତାଙ୍କୁ ଆଣିଥିଲେ। ମାତ୍ର ଡାକ୍ତର ବାଇଧରଙ୍କୁ ମୃତ ଘୋଷଣା କରିଥିଲେ।

ଏ ସମ୍ପର୍କରେ ବଡ଼ସାହି ଥାନାରେ ଖବର ଦିଆଯାଇଥିଲା। ପୁଲିସ ଡାକ୍ତର ଖାନାରେ ପହଞ୍ଚି ଶବକୁ ଜବତ କରିଥିଲା। ଆଜି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଯାଇଛି। ରାତ୍ର ଜଗୁଆଳିଙ୍କ ମୃତ୍ୟୁ ନେଇ ସ୍ଥାନୀୟ ଲୋକେ ସନ୍ଦେହ ପ୍ରକଟ କରୁଥିବାର ଗୁଞ୍ଜରଣ ହେଉଛି। ମୃତକଙ୍କ ପରିବାରକୁ ପୋଲ ନିର୍ମାଣ କରୁଥିବା ସଂସ୍ଥା ବା କମ୍ପାନି ସହାୟତା ରାଶି ଯୋଗାଇଦେବାକୁ ଦାବି ହେଲାଣି।

The post ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ first appeared on Sambad.



from ଜିଲ୍ଲା – Sambad https://ift.tt/2LQcuw8