ରାଜନଗର: ରାଜନଗର ବ୍ଲକ ଚାନ୍ଦିବାଉଁସମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଘରର ଗୁହାଳ ଏବଂ ରୋଷେଇ ଘର ପୋଡ଼ିଯିବା ସହିତ ୫ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗତକାଲି ଅଡ଼ାସଲ ଗାଁରେ ଧାନ ଖଳାରେ ଅଗ୍ନିକାଣ୍ଡ ଘଟି ୩ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲା। ଶିଶୁକନ୍ୟାର ବାପା, ମାଆ ଓ ଭଉଣୀ ନିଆଁରେ ପୋଡ଼ି ହୋଇ ଚିକିତ୍ସିତ ହେଉଛନ୍ତି। ଦୁଇ ଦିନରେ ଦୁଇଟି ଅଗ୍ନିକାଣ୍ଡ ରାଜନଗରବାସୀଙ୍କୁ ସ୍ତବ୍ଧ କରିଦେଇଛି।

ସୂଚନା ମୁତାବକ, ରାତି ପ୍ରାୟ ୧୨ଟାରେ ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟି ଯଦୁଚନ୍ଦ୍ରପୁର ଗ୍ରାମର ବଟକୃଷ୍ଣ ରାଉତ ଓ ପଞ୍ଚାନନ ରାଉତଙ୍କ ଗୁହାଳ ଘର ଓ ରୋଷେଇ ଘରେ ନିଆଁ ଲାଗିଥିଲା। ଗାଈର ଚିତ୍କାର ଶୁଣି ପରିବାର ଲୋକେ ନିଦରୁ ଉଠିବା ବେଳକୁ ନିଆଁ ବ୍ୟାପି ସାରିଥିଲା। ପଞ୍ଚାନନଙ୍କ ପୁଅ ପ୍ରଦୀପ ଗାଈଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଗୋଡ଼, ଜଙ୍ଘ, ହାତ ନିଆଁରେ ପୋଡ଼ି ଯାଇଛି। ଅଗ୍ନିକାଣ୍ଡରେ ବଟକୃଷ୍ଣଙ୍କ ୨ ଗାଈ ଓ ପଞ୍ଚାନନଙ୍କ ୩ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସବୁଠୁ ହୃଦୟ ବିଦାରକ ଘଟଣା ହେଲା ଗତକାଲି ପଞ୍ଚାନନଙ୍କ ଗାଈ ବାଛୁରୀକୁ ଜନ୍ମ ଦେଇଥିଲା। ଅଗ୍ନିକାଣ୍ଡରେ ବାଛୁରୀର ମଧ୍ୟ ମୃତ୍ୟୁ ଘଟିଛି।

The post ଯଦୁଚନ୍ଦ୍ରପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ; ୫ ଗାଈ ଜୀବନ୍ତ ଦଗ୍ଧ first appeared on Sambad.



from ଜିଲ୍ଲା – Sambad https://ift.tt/2Yri1ft