ଫୁଲବାଣୀ: ଆଦିବାସୀ ବହୁଳ ପଛୁଆ କନ୍ଧମାଳ  ମହଜୁତ ରହିଛି ଖଣିଜ ସମ୍ପଦ। ଗ୍ରାଫାଇଟ, ବକସାଇଟ, ଚୁପଥର ମାଙ୍ଗାନିଜ, ଲୁହାପଥର, କୋଇଲା, ଖାଦାନ ଆଦି ଖଣିଜ ସମ୍ପଦ ଭରପୁର ଥିଲେ ସୁଦ୍ଧା ଏସବୁର ଉପଯୋଗ ହୋଇ ପାରୁ ନାହିଁ। ସୁଯୋଗ ଓ ସମ୍ଭାବନା ଥିଲେ ବି ସରକାରଙ୍କ ଇଛାଶକ୍ତି ଅଭାବରୁ କନ୍ଧମାଳରେ ଶିଳ୍ପଟିଏ ପ୍ରତିଷ୍ଠା ହୋଇ ପାରୁ ନାହିଁ। କହିବାକୁ ଗଲେ ପର୍ଯ୍ୟାପ୍ତ  ସମ୍ପତ୍ତି ଥାଇ କନ୍ଧମାଳ ଗରିବ ହୋଇ ରହିଛି। ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଅବଶ୍ୟ ବଡ ପ୍ରତିବନ୍ଧକ ହେଉଛି ସଂରକ୍ଷିତ ଜଙ୍ଗଲ।

ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅନୁମତି ମିଳିବା ସମ୍ଭାବନା କମ ବୋଲି କୁହାଯାଉଛି। ହେଲେ ନିୟମର କିଛିଟା ପରିବର୍ତ୍ତନ ହେଲେ କନ୍ଧମାଳ ଶିଳ୍ପଭିତ୍ତିକ ଜିଲ୍ଲାରେ ସାମିଲ ହୋଇ ପାରନ୍ତା।  ଶିଳ୍ପଟିଏ ନଥିବାରୁ କନ୍ଧମାଳର ଅର୍ଥନୈତିକ ବିକାଶର ଉନ୍ନତି ହୋଇ ପାରୁ ନାହିଁ। ଏଥି ଯୋଗୁ କର୍ମସଂସ୍ଥାନ ଖୋଜି ଖୋଜି ଜିଲ୍ଲାର ଶିକ୍ଷିତ ଗୋଷ୍ଠୀ ନିରାଶ ହେଉଛନ୍ତି। ଆବଶ୍ୟକ ସ୍ଥଳେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗର ନିୟମ ଶିଳ୍ପ ପ୍ରତିଷ୍ଠାରେ ପ୍ରତିବନ୍ଧକ ସୃଷ୍ଟି କରୁଛି ସତ। ହେଲେ ଲୁଚାଛପାରେ ଖଣିଜ ସମ୍ପଦ ଲୁଟ ହେଉଛି।

ଜିଲ୍ଲାର ସମୁଦାୟ ୭ ହଜାର ୫୭୩ ବର୍ଗ କିଲୋମିଟର ଭୌଗଳିକ ଅଞ୍ଚଳରୁ ୫ହଜାର ୭୨୦ ବର୍ଗ କିଲୋମିଟର ଜଙ୍ଗଲ ରହିଛି। ସେଥି ମଧ୍ୟରୁ ୨ହଜାର ୧୫ ବର୍ଗ କିଲୋମିଟର କେବଳ ସଂରକ୍ଷିତ ଜଙ୍ଗଲ। ବହୁ ବର୍ଷ ପୂର୍ବେ ତୁମୁଡିବନ୍ଧ ବ୍ଲକ ମାଦାଗୁଡାଠାରେ ୧୨୬.୧୬୭ ହେକ୍ଟର ଜମିରେ ଏସିଆ ମହାଦେଶର ସର୍ବବୃହତ୍ତ ଗ୍ରାଫାଇଟ ଖଣି ଥିଲା। ସେଥିରୁ ଗତ ୧୯୮୩ ମସିହାରେ ଟିପି ମିନେରାଲସ ନାମକ ଏକ ଶିଳ୍ପସଂସ୍ଥାକୁ ୧୨.୭୫୦ ହେକ୍ଟର ଖଣି ଅଞ୍ଚଳ ଲିଜରେ ଦିଆଯାଇଥିଲା। ତାପର ବର୍ଷ ଖଣିରୁ ଗ୍ରାଫାଇଟ ଉତ୍ତୋଳନ ଆରମ୍ଭ ହୋଇଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୪ଶହରୁ ୫ଶହ ଲୋକ କାମଧନ୍ଦା ପାଇ ରୋଜଗାର କରୁଥିଲେ। ଆଉ ରାଜ୍ୟ ସରକାର ବର୍ଷକୁ ୫ହଜାର କୋଟି ରାଜସ୍ବ ପାଉଥିଲେ। ୨୦୦୩ରେ ଖଣିର ଲିଜ ଅବଧି ଶେଷ ହୋଇଥିଲା। କୌଣସି କାରଣରୁ ଲିଜ ନବୀକରଣ ଆଉ ହୋଇ ପାରି ନଥିଲା। ପରେ ସଂପୃକ୍ତ ଖଣି ଅଞ୍ଚଳକୁ ଜଙ୍ଗଲ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଥିଲା। ତାପରଠୁ ଖଣି ଉତ୍ତୋଳନ ବନ୍ଦ ହୋଇ ଯାଇଥିଲା। ତାପରଠୁ କନ୍ଧମାଳରେ ଶିଳ୍ପ ପ୍ରତିଷ୍ଠା ଆଶା ମଉଳି ଯାଇଛି।

ଶିଳ୍ପ ବିହୀନ ଜିଲ୍ଲା କନ୍ଧମାଳରେ ନିଯୁକ୍ତିର ସୁଯୋଗ ନାହିଁ। ଯଦିଓ ବିଭିନ୍ନ ବିକାଶ କାର୍ଯ୍ୟ ନିମନ୍ତେ ସରକାର କୋଟିକୋଟି ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି। ହେଲେ ଏସବୁ ଅନୁଦାନରେ ରାସ୍ତା, ପାନୀୟ ଜଳ, ବିଦ୍ୟୁତକରଣ ଏବଂ ଅନ୍ୟାନ୍ୟ କାର୍ଯ୍ୟ ହେଉଛି। ମନରେଗା ଯୋଜନାରେ ଶ୍ରମିକଙ୍କୁ କାମ ଯୋଗାଇ ଦିଆଯାଉଛି। ହେଲେ ଯେ‌ତେ ଯୋଜନା କାର୍ଯ୍ୟକାରୀ ହେଉ ଥିଲେ ଶିକ୍ଷିତଙ୍କ ପାଇଁ କର୍ମସଂସ୍ଥାନର କୌଣସି ବ୍ୟବସ୍ଥା ନାହିଁ। ଯାହା ଫଳରେ ଅଧିକ ପାଠ ପଢି ଶିକ୍ଷିତ ଯୁବଗୋଷ୍ଠୀ ମଧ୍ୟରୁ କିଏ ବାହାର ରାଜ୍ୟକୁ ଦାଦାନ ଖଟିବାକୁ ଯାଉଛନ୍ତି ତ ଆଉ କିଏ ଦିପଇସା ରୋଜଗାର ଆଶାରେ ଗଂଜେଇ ଚୋରା ଚାଲାଣ କରିବାକୁ ବାଧ୍ୟ ହେଉଛନ୍ତି। ସବୁ ପ୍ରକାର ସମ୍ପଦ ଥାଇ ଗରୀବ ଥିବା କନ୍ଧମାଳକୁ ଆଗୁଆ ଭାବେ ଗଢି ତୋଳିବାକୁ ହେଲେ ଏଠାରେ ଶିଳ୍ପ ପ୍ରତିଷ୍ଠା ଜରୁରୀ। ଏହା ହେଲେ କନ୍ଧମାଳର ଅର୍ଥନୈତିକ ବିକାଶ ହେବା ସହ ଯୁବଗୋଷ୍ଠୀ ଆତ୍ମନିଯୁକ୍ତି ପାଇ ପାରନ୍ତେ। ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୃଷ୍ଟି ଦେଇ ଆବଶ୍ୟକ ପଦ‌କ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

The post ସୁଯୋଗ ଓ ସମ୍ଭାବନା ଅଛି, ସରକାରଙ୍କ ଇଛାଶକ୍ତି ନାହିଁ; ଖଣିଜ ସମ୍ପଦ ପର୍ଯ୍ୟାପ୍ତ ଥାଇ ବି କନ୍ଧମାଳ ଗରିବ first appeared on Sambad.



from ଜିଲ୍ଲା – Sambad https://ift.tt/38aUe8Z