
ରାଉରକେଲା: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଚିକଟମାଟି ନିକଟ ଶଙ୍ଖ ନଦୀରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି l ଅନ୍ୟ ତିନି ଯୁବକ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ମୃତ ଯୁବକ ଜଣକ ହେଲେ ମଧୁସୂଦନପାଲିର ତ୍ରିଲୋଚନ ମହାକୁଡ଼ । ପିକନିକରେ ଆସି ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ତ୍ରିଲୋଚନ ମହାକୁଡ଼ ବୁଡିଯାଇଥିବା ସୂଚନା ମିଳିଛି । ଫାୟାର ବ୍ରିଗେଡ ଟିମ ନଦୀ କୂଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଖବର ପାଇ ବ୍ରହ୍ମଣୀ ତରଙ୍ଗ ଥାନା ପୁଲିସ ମଧ୍ୟ ସେଠାରେ ପହଞ୍ଚିଛନ୍ତି ।
କିଛିଦିନ ତଳେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତଗର୍ତ କୋଏଲ ନଦୀର ତେଟରକେଲା ଘାଟରେ ପିକ୍ନିକ କରୁଥିବା ବେଳେ ୨ ଜଣ ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ। ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁସାରେ ରାଉରକେଲା ଟିମ୍ବର କଲୋନିରୁ ୯ ଜଣ ସାଙ୍ଗ କୋଏଲ ନଦୀର ତେଟରକେଲା ଘାଟକୁ ପିକନିକ କରିବାକୁ ଯାଇଥିଲେ। ଏମାନେ ସମସ୍ତେ ପିକନିକ ସ୍ଥଳୀକୁ ପହଂଚିବା ପରେ ମଜାମସ୍ତି କରିଥିଲେ। ଅପରାହ୍ନ ସାଢ଼େ ୨ଟାରେ ଭୋଜି ଖାଇଥିଲେ।
ଏହା ପରେ ସେମାନେ ସମସ୍ତେ ଗାଧୋଇବାକୁ ପାଣିରେ ପଶିଥିଲେ। ଗାଧୋଇବା ସମୟରେ ୨ ଜଣ ସାଙ୍ଗ ନିଖୋଜ ହୋଇଯାଇଥିଲେ। ବିକି ଶର୍ମା (୧୭) ଓ ଦୀପକ ଖଣ୍ଡୁଆଳ (୨୨) ପାଣିରେ ବୁଡ଼ି ଯାଇଥିଲେ। ୯ ଜଣଙ୍କ ମଧ୍ୟରୁ ଜଣେ ପହଁରି ଜାଣିଥିଲେ। ସେ ଦୀପକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। କିନ୍ତୁ ବିକିଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା। ଅଧ ଘଣ୍ଟା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଁଚି ବିକିର ମୃତଦେହ ଉଦ୍ଧାର କରିଥିଲା।

ସେହିପରି ଗତ ଡିସେମ୍ବର ମାସ ୨୦ ତାରିଖରେ ରାଉରକେଲା ସେକ୍ଟର-୫ସ୍ଥିତ ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲର ୧୦ମ ଶ୍ରେଣୀର ୯ ଜଣ ଛାତ୍ର ବଣଭୋଜି କରିବାକୁ କୋଏଲ ନଦୀର ଜାମସେରା ଘାଟକୁ ଯାଇଥିଲେ। ଗାଧୋଉଥିବା ସହ ପ୍ଲାଷ୍ଟିକ୍ ବୋତଲ୍ ଫିଙ୍ଗାଫିଙ୍ଗି ଖେଳୁଥିବାବେଳେ ଭୁବେଶ ପ୍ରସାଦ, କୌଶିକ, ସୁଜନ ଓ କୌଶିକ ବୁଡି ଯାଇଥିଲେ। ସ୍ଥାନୀୟ କେର୍କେଟା ଗାଁର ସୁରେନ୍ଦ୍ର କଚ୍ଛପ ଜଣେ ଛାତ୍ରଙ୍କୁ ଉଦ୍ଧାର କରିଥିବାବେଳେ ଭୁବେଶ, କୌଶିକ, ସୁଜନ୍ ବୁଡି ନିଖୋଜ ହୋଇଯାଇଥିଲେ। ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିବାର ଘଣ୍ଟାକ ପରେ ଭୁବେଶ, ସୁଜନଙ୍କ ଶବ ଉଦ୍ଧାର କରିଥିଲେ। ପରଦିନରେ କୌଶିକର ଶବ ଉଦ୍ଧାର ମିଳିଥିଲା।
ସେହିପରି ଗତ ନଭେମ୍ବର ମାସରେ ମୋବାଇଲ ମରାମତି କରୁଥିବା ରାଉରକେଲାର ୫ ଜଣ ସାଙ୍ଗ ତେଟରକେଲା ଘାଟକୁ ପିକନିକ କରିବାକୁ ଯାଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଯୁବକ ପାଣିରେ ବୁଡ଼ିଯିବାରୁ ମୃତ୍ୟୁ ହୋଇଥିଲା।
The post ପୁଣି ପିକନିକ ନେଲା ଜୀବନ; ଶଙ୍ଖ ନଦୀରେ ବୁଡି ଜଣେ ମୃତ, ତିନି ଯୁବକ ଉଦ୍ଧାର first appeared on Sambad.
from ଜିଲ୍ଲା – Sambad https://ift.tt/3qtVA57
0 Comments