ଜଗତସିଂହପୁର: ପାରାଦୀପ ସମୁଦ୍ର ବେଳାଭୂମିରେ ଗତ ରବିବାର ଦିନ ଯେମିତି ଭିଡ଼ ହୋଇଥିଲା, ଏହାକୁ ଦେଖିଲେ ଯେକେହି କାହିଁକି ଆଶ୍ଚର୍ଯ୍ୟ ହୋଇଯିବ। ଲାଗୁଥିଲା ସତେ ଯେମିତି କରୋନା କଟକଣା ଆଉ ନାହିଁ। ଛୁଟି ଦିନ ଥିବାରୁ ଦୂର ଦୂରାନ୍ତରୁ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ବେଳାଭୂମିରେ ଦେଖିବାକୁ ମିଳିଥିଲା। ମାତ୍ର ବେଳାଭୂମିରେ ଛୋଟ ଛୋଟ ପିଲାମାନଙ୍କ ପାଇଁ ଥିବା ବିଭିନ୍ନ ଉପକରଣକୁ ପାରାଦୀପ ପୌରପାଳିକା ପକ୍ଷରୁ ଖୋଲି ଦିଆଯାଇଛି। ଏହି ସ୍ଥାନରେ ଖେଳ ଉପକରଣ ରହିଲେ ପିଲମାନଙ୍କର ଭିଡ଼ ଜମିବ ଭାବି ଏମିତି ପଦକ୍ଷେପ ନିଆଯାଇଛି ବୋଲି ପୌରପାଳିକା କାର୍ଯ୍ୟ ନିର୍ବାହୀ ସୌରିନ୍ଦ୍ର କୁମାର ରାଉତରାୟ କହିଛନ୍ତି। ସେହିପରି ଜନ ସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପାର୍କ ଗୁଡ଼ିକ ମଧ୍ୟ ଏପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲାଯାଉ ନାହିଁ।

ପାରାଦୀପରେ କରୋନା କଟକଣା କିଛି ରହିଛି ବୋଲି କହିବା ଭୁଲ୍ ହେବ। ସବୁ ମନ୍ଦିର ପ୍ରବେଶ ଦ୍ବାର ବନ୍ଦ ସତ। ମାତ୍ର ପ୍ରସ୍ଥାନ ଦ୍ବାର ବାଟରେ ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି। ବେଳାଭୂମି ଓ ନେହେରୁ ବଙ୍ଗଳା ପଥର ବନ୍ଧରେ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଜମା ହେଉଛନ୍ତି। ସେଠାରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ପ୍ରସଙ୍ଗରେ ଆଲୋଚନା କରିବା ଭୁଲ୍। ସବୁ କିଛି ସମସ୍ତଙ୍କ ଆଖି ସାମ୍ନାରେ ଘଟୁଛି। ମାତ୍ର ଏହା ଉପରେ ରୋକ୍ ଲଗାଇବା ପାଇଁ ପ୍ରଶାସନ ଆଦୌ ପଦକ୍ଷେପ ନେଉ ନାହିଁ। ମାତ୍ର ପଥର ବନ୍ଧ ନିକଟରେ ବଣଭୋଜି କରିବା, ପାର୍କରେ ବୁଲାବୁଲି ଓ ଛୋଟ ପିଲାଙ୍କ ଖେଳ ଉପରେ ପ୍ରଶାସନ କଟକଣା ଲଗାଉଛି। ଏଣୁ ପ୍ରଶାସନର ଏହି ନିୟମ କାହା ପାଇଁ କରାଯାଉଛି, ଏହା ସାଧାରଣ ଲୋକ ବୁଝି ପାରୁ ନାହାନ୍ତି। ଛକ, ବଜାର, ଦୋକାନ, ମଲ୍ ଓ ମନ୍ଦିର ସବୁଠି ଲୋକଙ୍କ ଭିଡ଼। ସେଠାରେ କାହିଁକି ପ୍ରଶାସନ କଟକଣା କରାଯାଉ ନାହିଁ ବୋଲି ଏକ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି। ବେଳାଭୂମିରେ ପ୍ଲାଷ୍ଟିକ ଖେଳଣା ସହ ଦୋଳି ଲଗାଯାଇଥିଲା। ମାତ୍ର ସେଗୁଡ଼ିକ ଭାଙ୍ଗି ଯାଇଛି। ଦୋଳି ଗୁଡ଼ିକୁ ଖୋଲି ନିଆଯାଇଛି।

ଏହାସହ ପିଲାମାନେ ବୋଟିଂ କରିବା ପାଇଁ ସେଠାରେ ଏକ ପାଣିକୁଣ୍ତ ତିଆରି କରାଯାଇଥିଲା। ମାତ୍ର କୋଭିଡ୍ ଆରମ୍ଭ କଟକଣା ଆରମ୍ଭ ହେବା ସମୟରେ ହିଁ ଏହାକୁ ବନ୍ଦ କରି ଦିଆଯାଇଛି। ଏହି ଉପକରଣ ରଖାଯାଉଥିବା ଏକ ଅସ୍ଥାୟୀ ଆଜ୍‌ବେଷ୍ଟସ୍‌ ଘର ଛାତ ଉଡ଼ି ଯାଇଥିବା ବେଳେ ଏହି ଖେଳଣାକୁ ପୌରପାଳିକା ପକ୍ଷରୁ କେଉଁଠାରେ ରଖାଯାଇଛି, ତାହା ଜଣା ନାହିଁ। ଏଣୁ ପୁଣି ଥରେ ବେଳାଭୂମିର ଏହି ସୌନ୍ଦର୍ଯ୍ୟ କରଣ କେବେ ଫେରିବ, ତାହା କାହାକୁ ଜଣା ନାହିଁ। କରୋନା କଟକଣା ସମୟରେ ପାରାଦୀପ ପୌରପାଳିକା ଏଥିପ୍ରତି ଆଦୌ ଧ୍ୟାନ ଦେଲା ନାହିଁ କି ରକ୍ଷଣାବେକ୍ଷଣ କଲା ନାହିଁ। ଏଣୁ ପୂର୍ବ ଅବସ୍ଥା ଫେରାଇ ଆଣିବା ପାଇଁ ହେଲେ ପୌରପାଳିକାକୁ ଏବେ ଅଧିକ ବ୍ୟୟ କରିବାକୁ ହେବ। ପର୍ଯ୍ୟଟକମାନେ ମଧ୍ୟ ଏହି ସୁବିଧା ସୁଯୋଗ ନ ପାଇ ହଇରାଣ ହେବା ସହ ଅସନ୍ତୁଷ୍ଟ ଅଛନ୍ତି। ଏଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଜିଲ୍ଲା ଓ ପୌର ପ୍ରଶାସନକୁ ନିବେଦନ କରିଛନ୍ତି।

The post କରୋନା ପ୍ରତିବନ୍ଧକ ପ୍ରହସନ; ବେଳାଭୂମିରେ ମାଳମାଳ, କଟକଣାରେ ପିଲାଙ୍କ ଖେଳ first appeared on Sambad.



from ଜିଲ୍ଲା – Sambad https://ift.tt/3rVkoEG