
କଟକ: ଫନି ବାତ୍ୟାକୁ ଦେଢ ବର୍ଷରୁ ଅଧିକ ବିତିଲାଣି। ମାତ୍ର ରେଭେନ୍ସା ବିଶ୍ବବିଦ୍ୟାଳୟର ହେରିଟେଜ୍ ହଲ୍ର ମରାମତି କାମ ଆଜି ସୁଦ୍ଧା ହୋଇପାରିଲା ନାହିଁ। ୧୯୩୬ରେ ଓଡ଼ିଶାର ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାପରେ ଓଡ଼ିଶା ପ୍ରାଦେଶିକ ସଭା ଏହି ଠାରେ ହୋଇଥିଲା। ଓଡ଼ିଶାର ଇତିହାସରେ ଏହି ହଲ୍ର ଏକ ସ୍ବତନ୍ତ୍ରତା ରହିଥିବା ବେଳେ ଦୀର୍ଘ ମାସ ଧରି ଏହାର ମରାମତି ନ ହେବା ଓ ତାଲା ପଡି ରହିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବର ପରିଚୟ ଦେଉଛି। ବିଶ୍ବବିଦ୍ୟାଳୟର ସେଭେନ୍ ପିଲାର୍ସର ମୁଖ୍ୟ ସମ୍ମିଳନୀ କକ୍ଷ କାର୍ଯ୍ୟକ୍ଷମ ହେବାଠାରୁ ଏହାକୁ ଏକ ପ୍ରକାର ଭୁଲିଯାଇଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ। ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାପରେ ୧୯୩୭ରୁ ୧୯୫୨ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ ଧରି ରେଭେନ୍ସା ବିଶ୍ବବିଦ୍ୟାଳୟର ହେରିଟେଜ୍ ହଲ୍ଠାରେ ଓଡ଼ିଶା ପ୍ରାଦେଶିକ ସଭା ଅନୁଷ୍ଠିତ ହୋଇଥିଲା। ନୂତନ ଓଡ଼ିଶା ଗଠନ ପାଇଁ ଏହି ଗୃହରେ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇ ତାହାକୁ ବାସ୍ତବ ରୂପ ଦିଆଯାଇଥିଲା।
ଓଡ଼ିଶାର ଅନେକ ମହାନ ଓ ବିଶିଷ୍ଟ ବ୍ୟକ୍ତି ଏହି ଗୃହରେ ବସି ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ ବହୁ କିଛି କରିବାର ସୁଯୋଗ ପାଇଥିଲେ। ବିଶ୍ବବିଦ୍ୟାଳୟର ହେରିଟେଜ୍ ହଲ୍ଟି କେବଳ ରେଭେନ୍ସା ପାଇଁ ନୁହେଁ ଏହା ସମଗ୍ର ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଗୌରବର ପ୍ରତୀକ। ମାତ୍ର ଏହାର ମରାମତି କାମ ଦୀର୍ଘମାସ ଧରି ରେଭେନ୍ସା କର୍ତ୍ତୃପକ୍ଷ ନକରି ଏହାକୁ ପକାଇ ରଖିବା ଘଟଣା ଅସନ୍ତୋଷର କାରଣ ହୋଇଛି। ୨୦୧୯ ମେ’ ୩ ତାରିଖରେ ଆସିଥିବା ଫନି ବାତ୍ୟାରେ ଉକ୍ତ ହଲର କାଚ କବାଟ ଗୁଡିକ ଭାଙ୍ଗି ଯାଇଥିଲା। ବର୍ଷା ଦିନେ ହଲର ଉପର ଭାଗରୁ ପାଣି ଝରି ଏହାର କାନ୍ଥ ଓ ଚଟାଣକୁ ନଷ୍ଟ କରୁଛି। ବାତ୍ୟାରେ କାଚ କବାଟ ଭାଙ୍ଗିବା ପରେ ଏହାକୁ ତାଲା ପକାଇ ରଖାଯାଇଛି। ପୂର୍ବରୁ ହଲ୍ର ଚଟାଣ କାମ କରାଯାଇଥିଲା। ମାତ୍ର ଏବେ ଏହା ୨୦ ମାସରୁ ଅଧିକ ଦିନ ଧରି ବନ୍ଦ ଥିବାରୁ ଏହାର ସ୍ଥିତିକୁ ନେଇ ଆଶଙ୍କା ପ୍ରକାଶ ପାଉଛି। ଦୀର୍ଘ ମାସ ଧରି କାଚ କବାଟ କିମ୍ବା ଛାତର ମରାମତି ଦିଗରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଉଦ୍ୟମ କରାଯାଇ ନାହିଁ। ବିଶ୍ବବିଦ୍ୟାଳୟର ସେଭେନ୍ ପିଲାର୍ସର ମୁଖ୍ୟ ସମ୍ମିଳନୀ କକ୍ଷ ହେବା ଦିନଠାରୁ ଏହାକୁ କର୍ତ୍ତୃପକ୍ଷ ଗୁରୁତ୍ବ ଦେଉ ନଥିବାର ଅଭିଯୋଗ ହୋଇଛି। ଅନ୍ୟପଟେ ଏହାର ସ୍ଥିତିକୁ ଅନୁଧ୍ୟାନ କରି ଏହାର ମରାମତି ଦିଗରେ ପଦକ୍ଷେପ ନିଆଯିବ ବୋଲି ନୂତନ ଭାବେ କୁଳସଚିବ ଦାୟିତ୍ବ ନେଇଥିବା ଡକ୍ଟର ଭକ୍ତଚରଣ ପ୍ରଧାନ କହିଛନ୍ତି।
The post ଫନି ବାତ୍ୟାରେ ହୋଇଥିଲା ବ୍ୟାପକ କ୍ଷତି; ୨୦ ମାସ ହେଲା ମରାମତି ନହୋଇ ପଡ଼ି ରହିଛି ରେଭେନ୍ସା ହେରିଟେଜ୍ ହଲ୍ first appeared on Sambad.
from ଜିଲ୍ଲା – Sambad https://ift.tt/2YzbiQl
0 Comments