କଟକ: ବେତାର ବିଭାଗରେ କାର୍ଯ୍ୟରତ ପୁଲିସ ଏଏସଆଇଙ୍କ ପୁଅ କୁଖ୍ୟାତ ଲୁଟେରା। ବିଡାନାସୀ ଲୋୟର ପୁଲିସ କଲୋନିରେ ରହୁଥିବା ୨୯ ବର୍ଷିୟ ପ୍ରିୟ ରଞ୍ଜନ ପାତ୍ର ଏକ ଲୁଟ୍‌ ମାମଲାରେ ଲାଲବାଗ ଥାନା ପୁଲିସ ହାତରେ ଧରା ପଡିଛି। ପ୍ରିୟ ଏକ ୪ ଜଣିଆ ଗ୍ୟାଙ୍ଗରେ କାମ କରୁଥିବା ବେଳେ ଗିରଫ ଅନ୍ୟ ୩ ଜଣ ହେଉଛନ୍ତି ସଦର ଥାନା ମଙ୍ଗଳା ପଡ଼ିଆର ଟୁନା ଓରଫ ମୁନା ବେହେରା(୨୧), ଲାଲବାଗ କାଫଲାବଜାର ଅଞ୍ଚଳର ପୂର୍ଣ୍ଣ ଚନ୍ଦ୍ର ବେହେରା(୪୯) ଓ ସିଡିଏରେ ରହୁଥିବା ଖଣ୍ତଗିରି ଜାଗମରା ଅଞ୍ଚଳର ଜ୍ୟୋତି ଜେନା(୨୦)। ଏହି ଗ୍ୟାଙ୍ଗରେ ଜ୍ୟୋତି କିଙ୍ଗ୍‌ ପିନ କୁହାଯାଉଛି। ଲୁଟ୍‌ ଟଙ୍କା ଗ୍ୟାଙ୍ଗ ସଦସ୍ୟମାନେ ଜ୍ୟୋତିକୁ ଦେଉଥିବା ବେଳେ ପୂର୍ଣ୍ଣଚନ୍ଦ୍ରର ସତୀଚଉରା ମୁଥୁଟ୍‌ ଫାଇନାନ୍ସରେ ଥିବା ଆକାଉଣ୍ଟରେ ଲୁଟ୍‌ ସୁନା ବନ୍ଧକ ରଖି ଟଙ୍କା ଆଣିଥିଲା। ସେହିପରି ମୁନା ଛକ ବଜାରରେ ପ୍ରିୟ ସହିତ ମିଶି ଅଳଙ୍କାର ଲୁଟ୍‌ କରୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ପ୍ରିୟ ବିରୋଧରେ ପୁରୀଘାଟ, ଲାଲବାଗ, କ୍ୟାଣ୍ଟନମେଣ୍ଟ, ଦରଘାବଜାର ଓ କ୍ୟାଣ୍ଟନମେଣ୍ଟ ଥାନାରେ ୬ଟି ଚୋରି, ଲୁଟ୍‌ ଭଳି ସ˚ଗିନ ମାମଲା ଥିବା ସୂଚନା ମିଳିଛି। ଆହୁରି କେଉଁ ଥାନାରେ ମାମଲା ରହିଛି, ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ସେହିଭଳି ମୁନା ବିରୋଧରେ ମର୍କତନଗର ଥାନାରେ ଦୁଇଟି ଲୁଟ୍‌ ମାମଲା ରହିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଗଲା ୨ ତାରିଖ ସନ୍ଧ୍ୟାରେ ଲାଲବାଗ ତେଲଗୁ ଷ୍ଟ୍ରିଟ୍‌ର ଆକାସି ସୁନିତା ଶେଖର ମଙ୍ଗଳବାଗରୁ ଆକ୍ଟିଭାରେ ଘରକୁ ଫେରୁଥିଲେ। ଖଟବିନ୍‌ ସାହି ନିକଟରେ ୟୁନିକର୍ଣ୍ଣ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ପହଞ୍ଚି ତାଙ୍କ ସୁନା ଚେନ୍‌ ସମେତ ଲକେଟ୍‌ ଝାମ୍ପି ନେଇଥିଲେ। ତାହା ୩୦ ଗ୍ରାମ ଓଜନର ସୁନା ଅଳଙ୍କାର ହେବ ବୋଲି ଆକଳନ କରାଯାଉଛି। ଚେନ୍‌ ଛିଡ଼ିଯିବାରୁ ବଡ଼ ଭାଗ ଦୁର୍ବୃତ୍ତ ନେଇଯାଇଥିଲେ। ଦୁର୍ବୃତ୍ତଙ୍କୁ ଅଭିଯୋଗକାରୀ ଅଟକାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଦୁର୍ବୃତ୍ତମାନେ ଶେଖ ବଜାର ଆଡ଼କୁ ଦୃତ ଗତିରେ ପଳାଇଥିଲେ। ଏ ସ˚କ୍ରାନ୍ତରେ ଲାଲବାଗ ଥାନାରେ ଏତଲା ପରେ ପୁଲିସ ଗ୍ୟାଙ୍ଗକୁ ଧରିଥିଲା। ଏହି ଗ୍ୟାଙ୍ଗର ମୁଖ୍ୟ କାର୍ପଟଦାର ଜଣେ ଯୁବତୀ ଜ୍ୟୋତି ବୋଲି ଜଣାପଡ଼ିଥିଲା।

ଏହି ସୁନା ଅଳଙ୍କାର ଲୁଟ୍‌ ପରେ ଏଗୁଡ଼ିକ ସେମାନେ ମୁଥୁଟ ଓ ମାନାପୁରମ ଫାଇନାନ୍ସରେ ବନ୍ଧକ ରଖି ଟଙ୍କା ଆଣୁଥିଲେ। କିନ୍ତୁ ଏହି ନିର୍ଦ୍ଦିଷ୍ଟ ମାମଲାରେ ଲୁଟେରା ଦଳ ସତୀଚଉରାରେ ଥିବା ମୁଥୁଟ୍‌ ଫାଇନାନ୍ସ ଶାଖାରେ ଲୁଟ୍‌ ଅଳଙ୍କାର ଜମା ରଖିଥିଲେ। ଏହି ଟଙ୍କା ପୂର୍ଣ୍ଣଙ୍କ ନାଁରେ ଜମା କରି ୫୦ ହଜାର ଟଙ୍କାର ଋଣ ଉଠାଣ ହୋଇଥିଲା। ଏହି ଋଣ ଅର୍ଥରୁ ୫ ହଜାର ଟଙ୍କା ପୂର୍ଣ୍ଣ ରଖିଥିଲା। ଅବଶିଷ୍ଟ ଟଙ୍କା ଗ୍ୟାଙ୍ଗ୍‌ ସଦସ୍ୟଙ୍କୁ ଦେଇଥିଲା। ଏହି ଟଙ୍କାରେ ଗ୍ୟାଙ୍ଗ୍‌ରେ କାର୍ଯ୍ୟ କରୁଥିବା ମହିଳା ସଦସ୍ୟଙ୍କ ସହିତ ଦୁର୍ବୃତ୍ତମାନେ ଭୁବନେଶ୍ବର ନନ୍ଦନବିହାରରେ ଥିବା ଏକ ହୋଟେଲରେ ରହିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ପୁଲିସ ଏମାନଙ୍କ ନିକଟରୁ ଦୁଇଟି ବାଇକ୍‌ ସମେତ ୧୩ ହଜାର ଟଙ୍କା ଓ ଲୁଟ ବେଳେ ଛିଡ଼ିଯାଇଥିବା ସୁନା ଚେନ୍‌ ଜବତ କରିଛି।

The post ପୁଲିସ ଏଏସ୍‌ଆଇଙ୍କ ପୁଅ ଲୁଟେରା; ଗ୍ୟାଙ୍ଗଲିଡର୍‌ ଯୁବତୀ ସମେତ ୪ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/2Xn7mlq