
ଜଗତସିଂହପୁର: ପାରାଦୀପ ଲକ୍ ଥାନା ଅଧୀନ ଉଦୟବଟ ମହାବୀର ହୋଟେଲ ପଛରୁ ପୁଲିସ ଚଢ଼ଉ କରି ଏକ ବଡ଼ ଧରଣର ଚୋରା ତେଲ ରାକେଟ୍ର ପର୍ଦ୍ଦାଫାସ କରିଛି। ପ୍ରାୟ ୩୩ ବ୍ୟାରେଲ ଡିଜେଲ ସହ ଗୋଟିଏ ତେଲ ଟ୍ୟାଙ୍କର ଓ ଗୋଟିଏ ମିନିଟ୍ରକ୍ ଜବତ ହୋଇଛି। ଜବତ ତେଲ ଟ୍ୟାଙ୍କରଟି ଇଣ୍ତିଆନ ଅଏଲରେ ହୋଇଥିବା ବେଳେ ଏହାର ଚାଳକ ଜଣକ ଫେରାର ହୋଇଯାଇଛି। ଗିରଫ ଯୁବକ ଜଣକ ହେଲେ ଜିତେନ ସାମଲ। ଇଣ୍ତିଆନ ଅଏଲରୁ ଏହି ତେଲ ତଟରକ୍ଷୀ ବାହିନୀକୁ ଯାଉଥିବା ବେଳେ ଜିତେନ ଉକ୍ତ ଟ୍ୟାଙ୍କରରୁ ତେଲ ରଖୁଥିଲେ ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏକ ବିଶ୍ବସ୍ତ ସୂତ୍ରରୁ ପୁଲିସକୁ ଖବର ମିଳିଥିଲା ଯେ, ଜିତେନ ବେଆଇନ ଭାବେ ତେଲ କାରବାର କରୁଛି। ଗତକାଲି ରାତିରେ ଏକ ଟ୍ୟାଙ୍କଲର ମହାବୀର ହୋଟେଲ ପଛ ପଟେ ଲାଗିଛି ଓ ସେଠାରୁ ତେଲ କଢ଼ା ଯାଉଛି। ଖବରପାଇ ପୁଲିସ ସେଠାରେ ଚଢ଼ାଉ କରିବାରୁ ଟ୍ୟାଙ୍କର(ଓଆର୦୫ ଏଏ–୧୧୭୫)ର ଚାଳକ ଓ ତେଲ ନେବା ପାଇଁ ଜିତେନ ଆଣିଥିବା ଏକ ୭୦୯ ଗାଡ଼ି(ଓଆର୦୫ ଏଏବି ୫୬୫୧)ର ଚାଳକ ସେଠାରୁ ଫେରାର ହୋଇଯାଇଥିଲେ।
ପୁଲିସ ଜିତେନକୁ ଗିରଫ କରି କୋର୍ଟଚାଲାଣ କରିଛି। ମାତ୍ର ଏତିକିରେ ପୁଲିସକୁ ଏକ ବଡ଼ ସଫଳତା ମିଳିଲା ବୋଲି କହିବା ଆଦୌ ଠିକ୍ ହେବ ନାହିଁ। ଅସଲରେ ଏହି ଚୋରା ତେଲ ପଛରେ ଏକ ବଡ଼ ଧରଣର ରାକେଟ୍ ଥିବା ଜଣାପଡ଼ିଛି। ତଦନ୍ତରୁ ଜଣାପଡ଼ିଛି ଏହି ଟ୍ୟାଙ୍କରଟି ପ୍ରଥମ ଥର ପାଇଁ ଏଠାକୁ ଆସି ନାହିଁ। ପୂର୍ବରୁ ମଧ୍ୟ ବାରମ୍ବାର ଏଠାରେ ତେଲ ଖାଲି କରିଛି। ମାତ୍ର ଏ ସମ୍ପର୍କରେ ତେଲ ଦେଉଥିବା ଇଣ୍ତିଆନ ଅଏଲ କିମ୍ବା ରଖୁଥିବା ସଂସ୍ଥା କେମିତି କିଛି ଜାଣି ପାରୁନଥିଲେ, ତାହା ସନ୍ଦେହ ଘେରରେ। ବରିଷ୍ଠ ଅଧିକାରୀମାନଙ୍କର ସମ୍ପୃକ୍ତି ନଥିଲେ ହେଁ ମାତ୍ର ଉଭୟ ସଂସ୍ଥାର ତେଲ ଲୋଡ୍ ଓ ଅନଲୋଡ୍ ଦାୟିତ୍ବରେ ଥିବା କର୍ମଚାରୀଙ୍କ ସଂପୃକ୍ତି ନିଶ୍ଚିତଭାବେ ରହିଛି। ଏହି ଚୋରା ତେଲକୁ ମହଜୁଦ କରି ବଜାର ଦର ଠାରୁ ୧୦-୧୫ ଟଙ୍କା କମ୍ରେ ବିକ୍ରି କରାଯାଉଥିଲା। ଗତକାଲି ୩୩ ବ୍ୟାରେଲ ତେଲ ଧରାପଡ଼ିଛି। ଗୋଟିଏ ବ୍ୟାରେଲରେ ୨୦୦ ଲିଟର ଡିଜେଲ ରହିବା କ୍ଷମତା ରହିଛି।
ଏଣୁ ଏମିତି ହିସାବ କଲେ ପୁଲିସ ୬,୬୦୦ ଲିଟର ତେଲ ଜବତ କରିଛି। ଏହି ଜବତ ତେଲର ଦାମ୍ ୫ ଲକ୍ଷ ଟଙ୍କା ହେବ। ଏତେ ଟଙ୍କା ନେବା ପରେ ଉକ୍ତ ଚାଳକ ଜଣକ କ’ଣ କରୁଥିଲା, ଏହା ତଦନ୍ତ ପରିସରଭୁକ୍ତ ହେବା ଆବଶ୍ୟକ। ଯାହା ଜଣାପଡ଼ିଛି ପ୍ରତି ମାସରେ ଚାଳକ ଜଣକ ତେଲ ବିକ୍ରି କରି ୩ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରେ। ଏଥିରେ ସ୍ଥାନୀୟ ରାଜନେତାଙ୍କଠାରୁ ଆରମ୍ଭ କରି ଇଣ୍ତିଆନ ଅଏଲ, ତେଲ୍ ଅନଲୋଡ୍ କରିବାକୁ ଥିବା ସଂସ୍ଥାର କର୍ମଚାରୀ ଓ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଏହି ଟଙ୍କାର ଭାଗ ପହଞ୍ଚୁଥିବା ଆଶଙ୍କା ଦୃଢ଼ ହୋଇଛି। ଆଜି ଉଦୟବିହାର ଜଗନ୍ନାଥ ମନ୍ଦିର ନିକଟରେ ଥିବା ଏକ ମାର୍କେଟ୍ କମ୍ପ୍ଲେକ୍ସରେ ପ୍ରଭାକର ଜେନାଙ୍କ ଦୋକାନ ଘରେ ଚଢ଼ାଉ କରାଯାଇ ଦୁଇଟି ବ୍ୟାରେଲ ଅର୍ଥାତ ୨୦୦ ଲିଟର ଡିଜେଲ ଜବତ କରାଯାଇଛି। ଏଣୁ ଏ ନେଇ ଅଧିକ ତଦନ୍ତ ଚାଲିଛି। ଯେଉଁମାନଙ୍କର ଏହା ମାମଲାରେ ସମ୍ପୃକ୍ତି ଥିବା ଜଣାପଡ଼ିବ, ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଇନ୍ସପେକ୍ଟର ପ୍ରଭାସ ଚନ୍ଦ୍ର ସାହୁ କହିଛନ୍ତି।
The post ଉଦୟବଟରୁ ଜବତ ଚୋରା ତେଲ ପଛରେ ବଡ଼ ରାକେଟ୍; ଟ୍ୟାଙ୍କର୍ ଚାଳକର ମାସିକ ରୋଜଗାର ୩ ଲକ୍ଷ first appeared on Sambad.
from ଜିଲ୍ଲା – Sambad https://ift.tt/3pIqNli
0 Comments