ଜଗତସିଂହପୁର ଟାଉନ୍: ନଦୀକୁ ଜବରଦଖଲ କରି ମାଫିଆମାନେ ତାର ପ୍ରବାହକୁ ରୋକ୍ ଲଗାଉଥିବା ବେଳେ ରାଜସ୍ବ ଅଧିକାରୀମାନେ ଚୁପ୍‌ ବସିଛନ୍ତି। ସରକାରୀ ଜମି ଜବରଦଖଲ ହେଲେ କେତେ ନହେଲେ ବା କେତେ! ବେଆଇନ ଆଡ଼ିବନ୍ଧ ଯୋଗୁଁ ଜଟାଧାରୀ ମୁହାଣ ପୋତି ହୋଇଗଲା ହେଲେ ଏବେ ବି ଚେତା ପଶୁ ନାହିଁ। ସାଧାରଣ ଲୋକଙ୍କ ପାଇଁ ନୁହେଁ ବରଂ ପକେଟ୍ ଗରମ କରୁଥିବା ମାଫିଆଙ୍କ ପାଇଁ ବାବୁମାନେ କାମ କରୁଥିବା ଅଭିଯୋଗ ଉଠୁଛି। ହଂସୁଆରେ ଆଡ଼ିବନ୍ଧ ୫ ହଜାର ପରିବାରର ଜୀବନଜୀବିକାରେ ବାଡ଼ ପକାଇ ଦେଇଛି।
ଜଟାଧାରୀ ମୁହାଣରେ ହଜାର ହଜାର ବେଆଇନ ଆଡ଼ି ବନ୍ଧ ଘଟଣାକୁ ନେଇ ପ୍ରଥମେ ‘ସମ୍ବାଦ’ରେ ଅନୁସନ୍ଧାନ ମୂଳକ ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶ ପରେ ଏରସମା ତହସିଲଦାର ବାଧ୍ୟବାଧକତାରେ ଆଡିବନ୍ଧ ଭାଙ୍ଗିବାକୁ ବାହାରିଥିଲେ। କେବଳ ଜାଲ ତଳକୁ ଖସାଇ ଆଡି ବନ୍ଧ ଭଙ୍ଗା ଯାଉଥିବା କହିଥିଲେ। କିନ୍ତୁ ପୁନର୍ବାର ଅଭିଯୋଗ ଓ ଜିଲ୍ଲାପାଳଙ୍କ ତାଗିଦ ପରେ ନଦୀଶଯ୍ୟାରୁ ଆଡିବନ୍ଧ ଭାଙ୍ଗିଲେ।

ଅତ୍ୟନ୍ତ ଚତୁରତାର ସହ ହାତଗଣତି କେତୋଟି ଆଡ଼ିବନ୍ଧ ଭାଙ୍ଗି ଦେଇ ସବୁ ସଫା ହୋଇ ଗଲା ବୋଲି କହି ଫଟୋ ଉଠାଇ ଜିଲ୍ଲାପାଳଙ୍କୁ ପଠାଇ ତହସିଲଦାର ବାବୁ କାମ ସାରି ଦେଇଥିଲେ। କିନ୍ତୁ ଗ୍ରାଉଣ୍ତ ଜିରୋରେ ବାସ୍ତବ ସ୍ଥିତି ଭିନ୍ନ। ସ୍ଥିତି ଯଥା ପୂର୍ବଂ ତଥା ପରଂ। ଭଙ୍ଗା ଆଡ଼ିବନ୍ଧ ପୁଣି ଠିଆ ହେଲାଣି। ରାଜସ୍ବ ନିରୀକ୍ଷକ, ତହସିଲଦାର ସମସ୍ତେ ଉଦାସୀନ। ଯଦି ଏବର୍ଷ ବେଆଇନ ଆଡ଼ି ବନ୍ଧ ସମ୍ପୂର୍ଣ୍ଣ ଭଙ୍ଗା ନଯାଏ ତେବେ ଜିଲ୍ଲା ପୂର୍ବ ବର୍ଷ ଅପେକ୍ଷା ଆହୁରି ଅଧିକ ବଡ଼ ବିପଦକୁ ସାମ୍ନା କରିବ ବୋଲି ଆଲୋଚନା ହେଉଛି। କନ୍ଦରପୁର ନିକଟରୁ ବାହାରି ଥିବା ହଂସୁଆ ନଦୀ ଦେଇ ସମଗ୍ର ଜିଲ୍ଲାର ଉଦ୍‌ବୃତ୍ତ ଜଳ ଜଟାଧାରୀ ମୁହାଣ ଦେଇ ସମୁଦ୍ରକୁ ନିସ୍କାସନ ହୋଇଥାଏ।

Sambad

ଏବେ ଗୋଡାଠାରୁ ଆରମ୍ଭ କରି ଗଡ଼ହରିଶପୁର, ପଦ୍ମପୁର, ଆମ୍ବିକି, ଜପା ପଞ୍ଚାୟତ ସହ ଜଟାଧାରୀ ମୁହାଣ ପର୍ଯ୍ୟନ୍ତ ନଦୀ ଶଯ୍ୟାରେ ବେଆଇନ ଆଡ଼ି ବନ୍ଧ ରହିଛି। ଫଳରେ ନଦୀଜଳର ପ୍ରବାହରେ ରୋକ୍ ଲାଗିଛି। ମହାବାତ୍ୟା ପରେ ପରେ କିଛି ମୁଷ୍ଟିମେୟ ଲୋକ ସ୍ଥାନୀୟ ଲୋକଙ୍କୁ ଡରାଇ ଧମକାଇ ନଦୀରେ ବେଆଇନ ଆଡ଼ିବନ୍ଧ ନିର୍ମାଣ କରି କଙ୍କଡ଼ା ଓ ମାଛ ଚାଷ କରୁଛନ୍ତି। ରାସାୟନିକ ଔଷଧ ବ୍ୟବହାର ଦ୍ବାରା ଜଳ ମଧ୍ୟ ଦୂଷିତ ହେଉଛି। ଏହି ନଦୀ ମାଫିଆମାନେ କୋଟି କୋଟି ଟଙ୍କା ବେଆଇନ ଭାବେ ରୋଜଗାର କରୁଛନ୍ତି। କୋଟି କୋଟି ଟଙ୍କାର ରାଜସ୍ବ ହାନି ସହ ଲୋକଙ୍କ ସମସ୍ୟା ବି ବଢ଼ୁଛି।

୧୯୭୧ରେ ୩୦ରୁ ଅଧିକ ଗାଁ ଲୋକେ ମିଶି ସେମାନଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଜଟାଧାରୀ ମୁହାଣ ଖୋଳିଥିଲେ। ସେବେଠାରୁ ଆଉ ମୁହାଣ ଖୋଳା ଯାଇ ପାରିନାହିଁ। ୨୦ ବର୍ଷ ତଳେ ନଦୀର ସ୍ରୋତ ପ୍ରଖର ଥିବାରୁ ସମୁଦ୍ର ଜୁଆର ଛାଡ଼ିବା ବେଳେ ପାଣି ସହ ବାଲି ଗୁଡ଼ିକ ସମୁଦ୍ରକୁ ଚାଲି ଯାଉଥିଲା। ହେଲେ ଯେବେଠାରୁ ବେଆଇନ ଆଡ଼ିବନ୍ଧ କରାଯାଇଛି ସେବେଠାରୁ ନଦୀର ସ୍ରୋତ ଶୁଖିଲାଣି, ମାତ୍ର ଆଣ୍ଠୁଏ ପାଣି ଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ନଦୀକୁ ଜୀବନଜୀବିକା ଭାବେ ବ୍ୟବହାର କରୁଥିବା ୫ ହଜାରରୁ ଅଧିକ ପରିବାର ସର୍ବାଧିକ ପ୍ରଭାବିତ। ମୁଷ୍ଟିମେୟ ସେମାନଙ୍କୁ ନଦୀରୁ ମାଛ ମାରିବାକୁ ଦେଉ ନାହାନ୍ତି। ନଦୀ ଶଯ୍ୟାକୁ ମୁହାଣ ମୁହଁ ପର୍ଯ୍ୟନ୍ତ ଖୋଳିବା ସହ ବେଆଇନ ଆଡ଼ିବନ୍ଧକୁ ଭାଙ୍ଗିବାକୁ ସ୍ଥାନୀୟ ଲୋକ ଦାବି କରି ଆସୁଛନ୍ତି। ତିର୍ତ୍ତୋଲ ନିର୍ବାଚନ ସମୟରେ ହଂସୁଆ ନଦୀ ପୁନରୁଦ୍ଧାର କରାଯିବ ବୋଲି ସବୁ ଦଳର ନେତା ରାଜନୈତିକ ପ୍ରସଙ୍ଗ କରିଥିଲେ। ଶାସକ ଦଳ ବିଜୟୀ ହେଲା ପରେ ମଧ୍ୟ ହଁସୁଆ ପୁନରୁଦ୍ଧାର ପ୍ରତିଶ୍ରୁତି ଫାଇଲ ତଳେ ଚାପି ହୋଇଗଲା। ଗତ ବର୍ଷ ଜଳ ନିଷ୍କାସନ ସମସ୍ୟା କାରଣରୁ ପ୍ରାୟ ୧୦ ହଜାରରୁ ଅଧିକ ହେକ୍ଟର ଚାଷ ଜମିରେ ଧାନ ଫସଲ ନଷ୍ଟ ହେଲା। ଲୋକଙ୍କ ଘରେ ପାଣି ପଶିଲା। ତଥାପି ସରକାର, ଜନ ପ୍ରତିନିଧି କିମ୍ବା ପ୍ରଶାସନର ଚେତା ପଶୁ ନାହିଁ।

The post ସମ୍ବାଦ ଗ୍ରାଉଣ୍ତ ଜିରୋ; ଜୀବିକାରେ ବାଡ଼ ହଂସୁଆ ‘ଆଡ଼ିବନ୍ଧ’; ୫ ହଜାର ପରିବାର ବିପନ୍ନ first appeared on Sambad.



from ଜିଲ୍ଲା – Sambad https://ift.tt/3oC1IXB