ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ଼ ସଦର ଥାନା ଅଧୀନ ଯଦୁପୁରର ନାବାଳିକା ଅମ୍ରିତାସ୍ନେହା ସାହୁ(ପରୀ) ହତ୍ୟା ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଆନାଲିସିସ୍‌ ଟେଷ୍ଟ କରାଯିବ। ଏ ନେଇ ଆଜି ନୟାଗଡ଼ ପକ୍‌ସୋ କୋର୍ଟରେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍‌ଆଇଟି) ଆବେଦନ କରିଛନ୍ତି। ଅନ୍ୟପକ୍ଷରେ, ସରୋଜ ନାବାଳକ ବୋଲି ତାଙ୍କ ଓକିଲ ପ୍ରଫୁଲ୍ଲ ଶତପଥୀ କୋର୍ଟରେ ପ୍ରମାଣପତ୍ର ଦାଖଲ କରିଛନ୍ତି।

ଦାଖଲ ହୋଇଥିବା ପ୍ରମାଣପତ୍ରରୁ ଜଣାପଡ଼ିଛି ଯେ, ସରୋଜ ଜନ୍ମ ୬/୨/ ୨୦୦୩। ଅର୍ଥାତ୍‌ ସରୋଜ ଏବେ ବି ନାବାଳକ । ସରୋଜକୁ ବାଲ ସୁଧାର ଗୃହକୁ ପଠାଇବା ବଦଳରେ ଏସ୍‌ଆଇଟି ଜେଲ୍‌ କିଭଳି ପଠାଇଲା ବୋଲି ତାଙ୍କ ଓକିଲଙ୍କ ଯୁକ୍ତି ଦର୍ଶାଇଛନ୍ତି। ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ସରୋଜକୁ ୧୮ ବର୍ଷରୁ ଅଧିକ ଦର୍ଶାଇବା ପାଇଁ ଯେଉଁ ଓସିଫିକେସନ୍‌ ଟେଷ୍ଟ କରାଯାଇଛି ତାହା ସନ୍ଦେହଜନକ। କୋର୍ଟ ବିଚାର ପାଇଁ ଏହି ପ୍ରମାଣପତ୍ରକୁ ଗ୍ରହଣ କରିଛନ୍ତି। ଏଥିସହିତ, ଆସନ୍ତାକାଲି ଏହାର ଶୁଣାଣି ପାଇଁ ଦିନଧାର୍ଯ୍ୟ କରିଛନ୍ତି। ଶୁଣାଣି ସମୟରେ ହାଜର ହେବା ପାଇଁ ସରୋଜର ମା’ଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟଙ୍କର ଆଜିର ଶୁଣାଣି ପରେ ଓଫିକେସନ୍‌ ପରୀକ୍ଷାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଯଦି ଓଫିକେସନ୍‌ ଟେଷ୍ଟ ଆଧାରରେ ଦର୍ଶାଯାଇଥିବା ସରୋଜର ୧୮ ବର୍ଷ ବୟସକୁ କୋର୍ଟ ଗ୍ରହଣ ନକରନ୍ତି କିମ୍ବା ତା’ର ଜନ୍ମପ୍ରମାଣ ପତ୍ର ଗ୍ରହଣ କରି ନାବାଳକ ସାବ୍ୟସ୍ତ କରନ୍ତି, ତା’ହେଲେ ଏସ୍‌ଆ‌ଇଟିକୁ ବଡ଼ ଝଟ୍‌କା ଲାଗିପାରେ। ଏହି ଆଧାରରେ ସରୋଜକୁ ବାଳ ସୁଧାର ଗୃହକୁ ମଧ୍ୟ ପଠାଇ ଦିଆଯାଇପାରେ। ସରୋଜ ବିଚାରାଧୀନ କଏଦୀ ଭ‌ାବେ ଜେଲ୍‌ରେ ରହୁଥିବାରୁ, ୧୪ ଦିନ ବ୍ୟବଧାନରେ ନିୟମ ଅନୁଯାୟୀ ଆଜି ତାକୁ ପୁଣି ଅପରାହ୍ନ ପ୍ରାୟ ୪ଟାବେ‌ଳେ କୋର୍ଟରେ ହାଜର କରାଯାଇଥିଲା। ସନ୍ଧ୍ୟା ୬ଟାରେ କୋର୍ଟରୁ ପୁଣି ତାକୁ ନୟାଗଡ଼ ଖୁଣ୍ଟୁବନ୍ଧ ସବ୍‌ଜେଲ୍‌କୁ ପଠାଇ ଦିଆଯାଇଛି।

The post ପରୀ ହତ୍ୟାକାଣ୍ଡ ମାମଲା : ଅଭିଯୁକ୍ତ ସରୋଜର ନାର୍କୋ‌ ଟେଷ୍ଟ ପାଇଁ ଆବେଦନ first appeared on Sambad.



from ଜିଲ୍ଲା – Sambad https://ift.tt/38Vuxsk