କଟକ : ଓଡିଶା ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ଉଚ୍ଛେଦ ପାଇଁ କେଉଁ କ୍ଷମତା ବଳରେ ନିଷ୍ପତ୍ତି ନିଆଯାଇଛି। ଆଜି ହାଇକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମାମଲାର ଶୁଣାଣି କରି ଏଭଳି ପ୍ରଶ୍ନ କରିଛନ୍ତି। ଏଥିସହିତ ସ୍ୟାଟ୍‌ରେ ବିଚାରାଧୀନ ମାମଲାର ଶୁଣାଣି ପ୍ରସଂଗରେ ମଧ୍ୟ ହାଇକୋର୍ଟ ସରକାରଙ୍କ ନିକଟରୁ ସ୍ପଷ୍ଟୀକରଣ ଲୋଡିଛନ୍ତି। ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିକୁ ଚାଲେଞ୍ଜ କରି ଦାୟର ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଏଭଳି ସ୍ପଷ୍ଟୀକରଣ ଲୋଡ଼ିବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧କୁ ଧାର୍ଯ୍ୟ କରିଛନ୍ତି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ସମସ୍ତ ମାମଲାର ଏକତ୍ର ଶୁଣାଣି ହୋଇଥିଲା। କେନ୍ଦ୍ର ସରକାର ସ୍ୟାଟ୍ ଉଚ୍ଛେଦ ପାଇଁ ପ୍ରକାଶ କରିଥିବା ବିଜ୍ଞପ୍ତି ଆଇନ ଅନୁସାରେ ଗ୍ରହଣୀୟ ନ‌ୁହେଁ। ସ୍ୟାଟ୍ ଉଚ୍ଛେଦ ପାଇଁ କେବଳ ଦେଶର ସଂସଦର କ୍ଷମତା ରହିଛି ବୋଲି ଆବେଦନକାରୀ ଓଏଟି ବାର୍ ଆସୋସିଏସନ୍ ପକ୍ଷରୁ ଦର୍ଶାଯାଇଥିଲା।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କେନ୍ଦ୍ର ପର୍ସୋନେଲ୍, ପବ୍ଲିକ୍ ଗ୍ରିଭାନ୍‌ସେସ୍ ଆଣ୍ଡ୍ ପେନସନ୍ ମନ୍ତ୍ରାଳୟ ପକ୍ଷରୁ ସ୍ୟାଟ୍ ଉଚ୍ଛେଦ ନେଇ ପ୍ରକାଶିତ ଗେଜେଟ ନୋଟିଫିକେସନକୁ ଚାଲେଞ୍ଜ କରି କଟକ ଓଏଟି ବାର୍ ଆସୋସିଏସନ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଛନ୍ତି।

The post ସ୍ୟାଟ୍‌ ଉଚ୍ଛେଦ ମାମଲାରେ ସ୍ପଷ୍ଟୀକରଣ ଲୋଡ଼ିଲେ ହାଇକୋର୍ଟ : କେଉଁ କ୍ଷମତା ବଳରେ ନିଆଯାଇଛି ନିଷ୍ପତ୍ତି? first appeared on Sambad.



from ଜିଲ୍ଲା – Sambad https://ift.tt/35ySpB5