ରଥଯାତ୍ରା ପ୍ରସ୍ତୁତି ଆରମ୍ଭ : ଆଜି କାଠକଟା ଅନୁକୂଳ

ମାଳ, ମାହାର୍ଦ୍ଦ ଧରି ନୟାଗଡ଼ରେ ପହଞ୍ଚିଲେ ସ୍ବତନ୍ତ୍ର ପ୍ରତିନିଧି ଦଳ
କାଠ କଟା ପୂର୍ବରୁ ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ହେବ ପୂଜାର୍ଚ୍ଚନା

ପୁରୀ/ନୟାଗଡ଼ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଠାରୁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଛି। ରଥ ନିର୍ମାଣ ପାଇଁ ଆବଶ୍ୟକ ରଥକାଠ କଟା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ୪ ଜଣିଆ ସ୍ବତନ୍ତ୍ର ପ୍ରତିନିଧି ଦଳ ମାଳ, ମାହାର୍ଦ୍ଦ ସହ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ନେଇ ଆଜି ସଂଧ୍ୟାରେ ନୟାଗଡ଼ ବନଖଣ୍ଡ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥ କାଠ ଅମିନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ଠାରୁ ନୟାଗଡ଼ ଡିଏଫ୍ଓ ଧନରାଜ ଏଚ୍‌ଡି ଆଜ୍ଞାମାଳ ଓ ମାହାର୍ଦ୍ଦ ଗ୍ରହଣ କରିଛନ୍ତି। ଆସନ୍ତାକାଲି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍‌ ବଡ଼ମୂଳ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଆଜ୍ଞାମାଳ ନେଇ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ନୟାଗଡ଼ ବନଖଣ୍ଡରୁ ରଥକାଠ କଟା ପର୍ବ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

The post ରଥଯାତ୍ରା ପ୍ରସ୍ତୁତି ଆରମ୍ଭ : ଆଜି କାଠକଟା ଅନୁକୂଳ first appeared on Sambad.



from ଜିଲ୍ଲା – Sambad https://ift.tt/3sbMP1r

Post a Comment

0 Comments