ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ବଜାର ମଝିରେ ଗୁଳି ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରିଥିବା କହୁଛି। ହେଲେ ଗଞ୍ଜାମ ଏସ୍‌.ପିଙ୍କ ତତ୍ତ୍ବାବଧାନରେ ଗଠିତ ତିନିଟି ସ୍ବତନ୍ତ୍ର ଟିମ୍‌ର ଚଢ଼ଉ ଜାରି ରହିଥିଲେ ସୁଦ୍ଧା ଅଭିଯୁକ୍ତଙ୍କ ନିକଟରେ ପୁଲିସ ପହଞ୍ଚି ପାରିନାହିଁ। ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ଏହି ୩ ସ୍ବତନ୍ତ୍ର ପୁଲିସ ଟିମ୍‌ ସମୁଣ୍ଡଳ ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ସନ୍ଦେହରେ ୫ଜଣଙ୍କୁ ଅଟକ ରଖି ପୁଲିସ ଜେରା କରୁଛି। ଅନ୍ୟପକ୍ଷରେ ଘୁମୁସର ବିଜେପିର ଏକ ପ୍ରତିନିଧି ଦଳ ସୁମଣ୍ଡଳ ଯାଇ ମୃତକଙ୍କ ପରିବାରକୁ ଭେଟିବା ସହିତ ଘଟଣାସ୍ଥଳ ଅନୁଧ୍ୟାନ କରି ଫେରିଛନ୍ତି।

ସମୁଣ୍ଡଳ ବାସିନ୍ଦା ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଦେବରାଜ ସାହୁ ବିଜେଡିର ଜଣେ ବରିଷ୍ଠ ଓ ସକ୍ରିୟ ସଦସ୍ୟ ଥିଲେ। ତାଙ୍କର ସୁମଣ୍ଡଳରେ ବାଲି ଓ ଗୋଡ଼ି ଆଦି ନିର୍ମାଣ ସାମଗ୍ରୀର ଏକ ଡିପୋ ବ୍ୟବସାୟ ରହିଛି। ଏଥିସହ ସେ ଜଣେ ଠିକାଦାର ଥିଲେ। ସମୁଣ୍ଡଳ ଅଞ୍ଚଳରେ ତାଙ୍କର ବେଶ୍‌ ଦବ୍‌ଦବା ରହିଥିଲା। ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କଲେ ଏହି ହତ୍ୟାକାଣ୍ଡ ସୁପରକଳ୍ପିତ ଓ ଯୋଜନାବଦ୍ଧ ଥିବା ସ୍ପଷ୍ଟ। ଦେବରାଜଙ୍କୁ ଯେଭଳି ଅତର୍କିତ ଓ ଅତି ନିକଟରୁ ଦୁଇ ଜଣ ଦୁର୍ବୃତ୍ତ ୧୦ ରାଉଣ୍ଡ୍‌ ଗୁଳି ଚଳାଇଲେ, ସେଥିରୁ ଗୋଟିଏ ପ୍ରୟାସରେ ତାଙ୍କୁ ସବୁଦିନ ଲାଗି ରାସ୍ତାରୁ ହଟାଇ ଦେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ସ୍ପଷ୍ଟ ହୋଇଛି। ତେବେ ହତ୍ୟା ପଛରେ କାରଣ କ’ଣ, ପରଦା ପଛରେ କିଏ ଅଛନ୍ତି ଏବଂ ହତ୍ୟାକାରୀ କେଉଁମାନେ ସେ ନେଇ ଏବେ ସବୁ ମହଲରେ ସଂଶୟ ଓ ଚର୍ଚ୍ଚା ଜୋର ଧରିଛି। ଦେବରାଜଙ୍କ ନିଧନ ପରେ ତାଙ୍କ ସାନପୁଅ ଗଣମାଧ୍ୟମକୁ କହିଥିଲେ, କେଉଁ କାରଣରୁ ଏହା ଘଟିଛି ଏବଂ କିଏ କରିଛି ଆମେ କିଛି ଜାଣିନାହୁଁ। ପୂର୍ବରୁ ସୁମଣ୍ଡଳ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସହ ବାପାଙ୍କର ଗତ କିଛିଦିନ ତଳେ ଗଣ୍ଡଗୋଳ ହୋଇଥିଲା ବୋଲି ସେ କହିଥିଲେ।

ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ଆଲୋଚନା ଅନୁଯାୟୀ, ୨୦୧୪ ସାଧାରଣ ନିର୍ବାଚନ ସମୟରେ ସୁମଣ୍ଡଳ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସହ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ତିକ୍ତତା ରହିଥିଲା। ଏହି ତିକ୍ତତା ପଞ୍ଚାୟତ ନିର୍ବାଚନ ସମୟରେ ଆହୁରି ଉଗ୍ର ହୋଇଥିଲା। ଏହା କ୍ରମଶଃ କୁହୁଳିବାରେ ଲାଗିଥିଲା। ଦେବରାଜଙ୍କ ସହ ଉକ୍ତ ବ୍ୟକ୍ତିଙ୍କ ଗତ ୫ରୁ ୬ମାସ ତଳେ ଗଣ୍ଡଗୋଳ ହୋଇଥିଲା। ଏହି ଶତ୍ରୁତାରୁ ହତ୍ୟାକାଣ୍ଡ ଘଟି ଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ କହିଛନ୍ତି, ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ୨ଜଣ ଏସ୍‌ଡିପିଓ ଓ ୩ଜଣ ଥାନା ଅଧିକାରୀଙ୍କୁ ନେଇ ଏହି ଘଟଣାର ତଦନ୍ତ ଜାରି ରହିଛି। କେଉଁ ମାନେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ତାହାର ସୂଚନା ମିଳିସାରିଛି। ୪ରୁ ୫ ଜଣଙ୍କୁ ଆଣି ପଚରାଉଚରା ଚାଲିଛି। ହତ୍ୟାକାଣ୍ଡ ପଛର କାରଣ ଅଭିଯୁକ୍ତମାନେ ଗିରଫ ହେଲା ପରେ ହିଁ ସ୍ପଷ୍ଟ ହେବ। ଖୁବଶୀଘ୍ର ଅଭିଯୁକ୍ତଙ୍କ ଗିରଫ ହେବେ ବୋଲି ଏସ୍‌ପି ଶ୍ରୀ ରାଏ କହିଛନ୍ତି।

The post ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣା : ୩ ଟିମ୍‌ର ଚଢ଼ଉ ଜାରି, ୫ ଅଟକ first appeared on Sambad.



from ଜିଲ୍ଲା – Sambad https://ift.tt/3c8FjhU