କଣ୍ଟାମାଳ/ପଲଶାଗୋରା : ସଉଦା କରିବାକୁ ଯାଇ ଆଉ ଫେରିଲେ ନାହିଁ। ଦୁର୍ଘଟଣାରେ ଚାଲିଗଲେ ମା, ପୁଅ ଓ ଝିଅ। ଏମିତି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ। ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତଗର୍ତ ମନମୁଣ୍ଡା – କଣ୍ଟାମାଳ ୪୧ ନଂ ରାଜ୍ୟ ରାଜପଥର ଗୋପାଳମାଲ୍ ଛକ ନିକଟରେ ଗୁରୁବାର ପୂର୍ବାହ୍ନ ୧୦ଟାରେ ଏକ ହାଇୱା ଧକ୍କାରେ ଏକ ଯାତ୍ରୀବାହୀ ଅଟୋ ଚୂର୍‌ମାର୍‌ ହୋଇଯାଇଛି। ଅଟୋରେ ଥିବା ସୁରୁସୁତା ନାଗ (୫୦), କଳାବତୀ ନାଗ (୨୨), ବାବୁଲା ନାଗ (୧୪) ଓ ଅଟୋ ଚାଳକ ଗଣେଶ ତାଣ୍ଡି (୪୨)ଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ ଫଗୁନାମାଲ୍ ଗ୍ରାମର ଗଣେଶ ତାଣ୍ଡି (୪୨) ନିଜ ଅଟୋ (ଓଡି ୩୧ ଏଫ୍‌ ୭୭୨୬)ରେ ବଡ଼ ଭଉଣୀ ସୁରୁସୁତା, ଭାଣିଜୀ କଳାବତୀ ଓ ଭଣଜା ବାବୁଲା ନାଗଙ୍କୁ ନେଇ ପଲସାଗୋରାକୁ ସଉଦା କରିବାକୁ ଆସୁଥିଲେ। ପଛପଟରୁ ଦ୍ରୁତଗତିରେ ଆସୁଥିବା ଏକ ହାଇୱା (ଓଆର୍‌ ୩୧-୨୨୨୩) ଅଟୋକୁ ଧକ୍କା ଦେବା ସହ ୧୦୦ ମିଟର ଘୋଷାଡ଼ି ନେଇ ଏକ ଚାଷ ଜମି‌ରେ ପକାଇ ଦେଇଥିଲା। ଏଥିରେ ଅଟୋଟି ଚୂର୍‌ମାର୍‌ ହୋଇଯାଇଥିଲା। ଘଟଣାସ୍ଥଳରେ ସୁରୁସୁତା, କଳାବତୀ ଓ ବାବୁଲାଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ଶରୀର ବିଭିନ୍ନ ଅଙ୍ଗ ଛିଣ୍ଡି ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏଥିରେ ଗଣେଶ ଗୁରୁତର ହୋଇଥିଲେ। ଏହା ଜଣାପଡ଼ିବା ପରେ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ମନମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଷ୍ଟାଫ୍‌ମାନଙ୍କ ସହ ପହଞ୍ଚିଥିଲେ। ମୃତ ଓ ଆହତଙ୍କୁ ଦମକଳ ବାହିନୀ ସହାୟତାରେ ସୋନପୁର ଡାକ୍ତରଖାନାକୁ ନିଆଯାଇଥିଲା। ଗଣେଶଙ୍କୁ ପରେ ବୁର୍ଲା ଭିମ୍‌ସାର୍‌କୁ ପଠାଇଥିଲେ। ସେଠାରେ ଗଣେଶଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ହାଇୱା ଛାଡ଼ି ଚାଳକ ଫେରାର୍‌ ହୋଇଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଲୋକେ ରାସ୍ତାରୋକ କରିଥିଲେ।

କଣ୍ଟାମାଳ ବିଡିଓ ବନ୍ଦନା ଖଟୁଆ, ତହସିଲଦାର ଅର୍ଜୁନ ପ୍ରଧାନ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ବିଡିଓ ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୬ ହଜାର ଟଙ୍କା ପ୍ରଦାନ କରିଥିଲେ। ସେହିପରି ଡମ୍ପର ମାଲିକ ଜୟରାମ ପୂଝାରୀ ମଧ୍ୟ ୫୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହା ପରେ ରାସ୍ତା ଅବରୋଧ ହଟିଥିଲା। ମୃତକଙ୍କ ଶବ ବ୍ୟ‌ବଚ୍ଛେଦ ପରେ ପରିବାର ଲୋକଙ୍କୁ ପ୍ରଦାନ କରାଯାଇଥିଲା। ଗାଁରେ ଗୋଟିଏ ଜୁଇରେ ପୁଅ, ଝିଅଙ୍କ ସହ ମାର ଜୁଇ ଜଳିଥିଲା। ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

The post ଅଟୋକୁ ଧକ୍କାଦେଲା ହାଇୱା : ଅଟୋଚାଳକ ସହ ଭଉଣୀ, ଭାଣିଜୀ ଓ ଭଣଜା ମୃତ, ଗୋଟିଏ ଜୁଇରେ ଜଳିଲା ଚିତା first appeared on Sambad.



from ଜିଲ୍ଲା – Sambad https://ift.tt/2NgbKAH