ଖୁଣ୍ଟୁଣୀ : ବିନା କ୍ଷତିପୂରଣରେ ଜମି ଉପର ବିଦ୍ୟୁତ ତାର ଟଣାକୁ ନେଇ କଟକ ଜିଲ୍ଲା ଖୁଣ୍ଟୁଣୀ ଅଞ୍ଚଳରେ ଘଟିଛି ତୁମୁଳକାଣ୍ଡ। ବିଦ୍ୟୁତ ତାର ଟଣାକୁ ବିରୋଧ କରୁଥିବା ଚାଷୀଙ୍କୁ ପୁଲିସ ଘଉଡାଇବାକୁ ଉଦ୍ୟମ କରିଥିବା ବେଳେ କ୍ଷତିପୂରଣ ଦାବି କରିଥିବା ଚାଷୀ ପୁଲିସ ଉପରକୁ ବୋମା ଫିଙ୍ଗିଛନ୍ତି। ଏହି ଘଟଣାରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ବୋମା ଫିଙ୍ଗିଥିବା ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ସୂଚନା ଅନୁଯାୟୀ ଖୁଣ୍ଟୁଣୀ ଥାନା ଘଣ୍ଟିଖାଲ ପଞ୍ଚାୟତ ଚନ୍ଦ୍ରାବଳିଶ୍ୟାମପୁର ମୌଜାରେ ପ୍ରତିଷ୍ଠା କରାଯାଇଥିବା ଏକ ସିମେଣ୍ଟ କମ୍ପାନିକୁ ୧୩୨ କେଭି ବିଦ୍ୟୁତ୍‌ ସଂଯୋଗ ନିମନ୍ତେ ଓପିଟିସିଏଲ ପକ୍ଷରୁ ଟାୱାର ଲାଇନ୍‌ ତାର ଟାଣିବା କାର୍ଯ୍ୟ ଚାଲି ଥିଲା। ଆଜି ପୂର୍ବାହ୍ନରେ ଡାଳଭାଗ ଗ୍ରାମର କେତେକ ଚାଷୀଙ୍କୁ ନ ଜଣାଇ ସେମାନଙ୍କ ଜମିରେ ଓପିଟିସିଏଲ୍‌ କର୍ତ୍ତୃପକ୍ଷ ପୁଲିସ ଉପସ୍ଥିତିରେ ଏଲ୍‌-୧୭ରୁ ଏଲ୍‌-୧୯ ନମ୍ବର ଟାୱାରକୁ ତାର ଟାଣୁଥିଲେ। ଏ ସମ୍ପର୍କରେ ଖବର ପାଇ ଟାୱାର ଲାଇନ୍‌ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଡାଳଭାଗ ଗ୍ରାମର ଚାଷୀ ସେଠାରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିବା ସହ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଥିଲେ। ମାଜିଷ୍ଟ୍ରେଟ ସୁଧାଂଶୁ ଶେଖର ସାଓ, ଚୌଦ୍ୱାର ଏସ୍‌ଡିପିଓ ପ୍ରଶାନ୍ତ ମଲ୍ଲ, ଖୁଣ୍ଟୁଣୀ ଥାନା ଆଇଆଇସି ସୁଚିତ୍ରବୀର୍ଯ୍ୟ ଦାସ, ଗୁରୁଡ଼ିଝାଟିଆ ଥାନା ଆଇଆଇସି ସମୀର ପଣ୍ଡାଙ୍କ ପ୍ରମୁଖଙ୍କ ଉପସ୍ଥିତିରେ ଓପିଟିସିଏଲ୍‌ ଏସ୍‌ଡିଓ ଏସ୍‌.କେ. ପଟ୍ଟନାୟକ ଚାଷୀଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ। କିନ୍ତୁ ଜଣେ ଚାଷୀ ଓପିଟିସିଏଲ୍‌ କର୍ତ୍ତୃପକ୍ଷ ମାନମାନି କରୁଥିବା ଅଭିଯୋଗ କରିବା ସହ ତାଙ୍କ ଜମିରେ ତାର ଟାଣିବାକୁ ଦେବେ ନାହିଁ ବୋଲି କହିଥିଲେ। ହାତରେ ବୋମା ଧରି ଥିବା ଉକ୍ତ ଚାଷୀଙ୍କୁ ଏସ୍‌ଡିପିଓ ଶ୍ରୀ ମଲ୍ଲ ଓ ଆଇଆଇସି ଶ୍ରୀ ଦାସ ପଛପଟୁ ଧରିବାକୁ ଉଦ୍ୟମ କଲା ବେଳେ ସେ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ବୋମା ମାଡ଼ରେ ଓଏସ୍‌ଏପି ପ୍ରଥମ ବାଟାଲିଅନ୍‌ର ଲାନ୍ସ ନାୟକ ରଞ୍ଜନ କୁମାର ନାୟକଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ସୂଚନା ମିଳିଛି। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ସଂକ୍ରାନ୍ତରେ ଖୁଣ୍ଟୁଣୀ ପୁଲିସ ନିଜ ଆଡ଼ୁ ଥାନାରେ ଏକ ମାମଲା ରୁଜୁ କରିଛି। ଘଟଣାସ୍ଥଳରୁ ବୋମାର ଟୁକୁଡ଼ା ଜବତ କରି ପୁଲିସ ତଦନ୍ତ ଚଳାଇଛି।

The post ଖୁଣ୍ଟୁଣୀରେ ପୁଲିସକୁ ବୋମାମାଡ଼ first appeared on Sambad.



from ଜିଲ୍ଲା – Sambad https://ift.tt/3boxG6N