ମାଲକାନଗିରି: ସାଧାରଣତନ୍ତ୍ର ଦିବସ ଅବସରରେ ଦନ୍ତେୱାଡା ପୁଲିସକୁ ମିଳିଛି ବଡ ସଫଳତା। ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲା ପୁଲିସ ନିକଟରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଦନ୍ତେଵାଡା ଜିଲ୍ଲାର ଦୁର୍ଗମ ଏବଂ ମାଓ ପ୍ରବଣ ଅଂଚଳ ହେଉଛି ଚିକପାଲ। ଏଠାରେ ପ୍ରଥମଥର ପାଇଁ ଲୋକେ ତ୍ରିରଙ୍ଗା ଉଡାଇଥିଲେ। ଏହି କାର୍ଯ୍ୟକ୍ରମରେ  ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଏହି ଅବସରରେ ସେଠାରେ ନାଚଗୀତର ଆୟୋଜନ ମଧ୍ୟ କରାଯାଇଥିଲା।

ଏସ୍‌ପି ଅଭିଷେକ ପଲ୍ଲବ ମଧ୍ୟ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସହ ନାଚିଥିଲେ। ଏଥିସହ ଛୋଟ ପିଲାମାନଙ୍କ ସହ ଏସ୍ପି‌ ଶ୍ରୀ ପଲ୍ଲବ ହାତକୁ ହାତ ଧରି ପାରଂପାରିକ ଆଦିବାସୀ ଗୀତରେ ନାଚିଥିଲେ। ଚିକପାଲ ଗ୍ରାମ ସମେତ ଆଖପାଖର ବହୁ ଗ୍ରାମର ଲୋକେ ଏଠାରେ ଉପସ୍ଥିତ ରହି ମାଓବାଦୀଙ୍କ ହାତ ଛାଡିଥିବା କହିଥିଲେ। ଆଗକୁ ପୁଲିସକୁ ସହଯୋଗ କରିବା ସହ ଏହି ଅଂଚଳର ବିକାଶ ପାଇଁ ଚିନ୍ତା କରିବେ ବୋଲି କହିଥିଲେ।

ଦନ୍ତେୱାଡା ଜିଲ୍ଲାକୁ ମାଓ ମୁକ୍ତ କରିବା ପାଇଁ ସମସ୍ତଙ୍କୁ ପୁଲିସ ଆହ୍ବାନ କରିଥିଲା। ନକ୍ସଲ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖିସୁରେ କଟାଇବାକୁ ମଧ୍ୟ ଅନୁରୋଧ କରାଯାଇଥିଲା। ଆତ୍ମସମର୍ପଣ ନିୟମ ଅନୁଯାୟୀ ସମସ୍ତ ନକ୍ସଲଙ୍କୁ ଆତ୍ମନିର୍ଭରଶୀଳ କରାଯିବା ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୨୭୨ ଜଣ ଆତ୍ମସମର୍ପଣ କରିଥିବା ବେଳେ ଆହୁରି ନକ୍ସଲ ଆଗକୁ ଆସି ମୁଖ୍ୟସ୍ରୋତରେ ସାମିଲ ହେଉଥିବା ପୁଲିସ କହିଛି। ସଂଗଠନରେ ଆଗ ଭଳି ଲକ୍ଷ୍ୟ ଓ ଉଦେଶ୍ୟ ନେଇ କାମ କରାଯାଉନଥିବା କୁହାଯାଇଛି।

The post ସାଧାରଣତନ୍ତ୍ର ଦିବସ ଅବସରରେ ହିଂସା ଛାଡ଼ିଲେ ୨୪ ମାଓବାଦୀ, ପୁଲିସ ନିକଟରେ କଲେ ଆତ୍ମସମର୍ପଣ first appeared on Sambad.



from ଜିଲ୍ଲା – Sambad https://ift.tt/3qWW2Ji