
ରାଉରକେଲା : ଜଙ୍ଗଲ ଭିତରେ ଚାଲିଛି କୁକୁଡା ଲଢ଼େଇ। କୁକୁଡ଼ା ଲଢ଼େଇକୁ ନେଇ ବାଜି ଖେଳ ହେଉଛି। ପୁଣି ସାଙ୍ଗରେ ଚାଲୁଛି ଜୁଆର ଅନ୍ୟଏକ ରୂପ -ଘୁଡଘୁଡ ପଟି। ପେଣ୍ଠସ୍ଥଳୀ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲ। କେଉଁଠି ସପ୍ତାହରେ ୩ ଦିନ ତ କେଉଁଠି ୪ ଦିନ। ଯାତ୍ରା, ମେଳା ଲାଗିଲା ପରି ଜମୁଛି ହଜାର ହଜାର ଲୋକଙ୍କ ଭିଡ। ଆୟୋଜକଙ୍କ ଭିତରୁ ଅଧାରୁ ଅଧିକ ଓଡ଼ିଶା, ବାକି ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳର। କୁକୁଡ଼ା ଲଢ଼େଇ ସହିତ ଗୋଟିଏ ଗୋଟିଏ ଜାଗାରେ ପକାଯାଉଛି ୪ରୁ ୫ଟି ଘୁଡଘୁଡ ପଟି। ବାଜି ଲାଗୁଛି ଶହେ ୨ ଶହରୁ ଆରମ୍ଭ କରି ୩୦ରୁ ୪୦ ହଜାର ଟଙ୍କା। ଘୁଡ଼ଘୁଡ଼ ପଟିରେ ଲୋକେ ଜିତୁଛନ୍ତି କମ୍, ହାରୁଛନ୍ତି ବେଶି। ଦିନକୁ ଆୟୋଜକମାନେ ରୋଜଗାର କରୁଛନ୍ତି ୧୫ରୁ ୨୦ ଲକ୍ଷ। ପୂର୍ବାହ୍ନ ପ୍ରାୟ ୧୧ଟାରୁ ସଂଧ୍ୟା ପର୍ଯ୍ୟନ୍ତ ବେଧଡ଼କ ଚାଲୁଛି ଜୁଆ ଖେଳ। ଏଥିରେ ସର୍ବସ୍ବାନ୍ତ ହେଉଛନ୍ତି ଅନେକ ଚାଷୀ ଓ ଦିନ ମଜୁରିଆ ପରିବାର। ଝାଳବୁହା ପରିଶ୍ରମ କରି ଯାହା ରୋଜଗାର କରୁଛନ୍ତି, ସେସବୁକୁ ଜୁଆ ଖେଳରେ ଉଡାଇ ଦେଉଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ଏଥିରେ ଭାଗ ନେଉଥିବା ଝାଡ଼ଖଣ୍ଡ ସୀମାନ୍ତକୁ ଲାଗିଥିବା ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ, କୁଆରମୁଣ୍ଡା, ବିଶ୍ରା ଓ ଲାଠିକଟା ବ୍ଲକର ଅଧିକାଂଶ ଲୋକଙ୍କ ଘରେ ଦିନକୁ ଦୁଇବେଳା ଠିକ୍ ଭାବେ ଖାଇବାକୁ ମିଳେନାହିଁ। ଅର୍ଥ ଅଭାବରୁ ଅନେକ ଘରେ ପାରିବାରିକ ହିଂସା ଚାଲିଥାଏ। ମାତ୍ର ଲଗାତାର ଭାବେ ଚାଲିଥିବା ଏଭଳି ବେଆଇନ କାର୍ଯ୍ୟକୁ ରୋକି ପାରୁନି ସ୍ଥାନୀୟ ପୁଲିସ। ନରୋକିବା ପଛରେ ରହିଛି ମୋଟା ଅଙ୍କର ହାତଗୁଞ୍ଜା। ଆୟୋଜକ ଓ ସ୍ଥାନୀୟ ପୁଲିସ ମଧ୍ୟରେ ଭିତିରି ବୁଝାମଣାରେ ଚାଲିଛି ସବୁକିଛି। ବର୍ତ୍ତମାନ ବିଶ୍ରା ଥାନାଠାରୁ ମାତ୍ର ୩୦ କି.ମି. ଦୂର ଝାଡ଼ଖଣ୍ଡର ହୁର୍ଦ୍ଦା ଫାଣ୍ଡି ଜମତାଇ ଜଙ୍ଗଲ, ନୂଆଗାଁ ବ୍ଲକ ହାତୀବାରି ଥାନାରୁ ୭ କି.ମି ଦୂର ପରବା ଗାଁ ନିକଟ ଜଙ୍ଗଲ ସମେତ ବୀରମିତ୍ରପୁର, ଲାଠିକଟା, ଜରେଇକେଲା, ମନୋହରପୁର, ପଞ୍ଚପହିଆ ଓ ଧନାପାଲି ଆଦି ସ୍ଥାନରେ ଚାଲୁଛି କୁକୁଡା ଲଢ଼େଇ ଓ ଘୁଡ଼ଘୁଡ଼ ପଟି ଖେଳ। ସେଥିରେ ସାମିଲ ହେଉଛନ୍ତି ନୁଆଗାଁ, ହାତୀବାରି, ପୁରୁଣାପାଣି, କୋକେରମା, କରଡେଗା, ଝରିପାଣି, ବନ୍ଧମୁଣ୍ଡା, ବୀରମିତ୍ରପୁର, ଲାଠିକଟା ଓ ଭାଲୁଲତା ଆଦି ପଞ୍ଚାୟତର ଶହ ଶହ ଲୋକ। ସେମିତି ସାରନଗରୀ, ଜଲଦା ସମେତ ରାଉରକେଲାର ଶହ ଶହ ଛୋଟ ବ୍ୟବସାୟୀ ମଧ୍ୟ ସେଠାକୁ ଯାଉଛନ୍ତି। ଜୁଆର ନିଶା ଏମାନଙ୍କୁ ରୋକିପାରୁନି।
ଏବେ ଲ୍ୟାମ୍ପସ୍ରେ ଧାନ ସଂଗ୍ରହ ଓ ପନିପରିବା ଭଲ ଉତ୍ପାଦନ ହେଉଥିବାରୁ ଲୋକଙ୍କ ହାତରେ ଟଙ୍କା ଅଛି। ତେଣୁ ଖେଳ ପୂର୍ବାପେକ୍ଷା ଜୋରଦାର୍ ଚାଲିଛି। ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ହାଟରେ ନିଜର ଉତ୍ପାଦିତ ପନିପରିବା ବିକି ଯାହା ପାଉଛନ୍ତି, ତା’କୁ ଧରି କୁକୁଡା ଲଢ଼େଇରେ ପହଞ୍ଚି ଯାଉଛନ୍ତି। ଟଙ୍କା ତକ ସେଠାରେ ଉଡାଇ ଦେଇ ଖାଲି ହାତରେ ଘରକୁ ଫେରୁଛନ୍ତି। ଧାନ ଚାଷୀଙ୍କ ମଧ୍ୟ ସେହି ଅବସ୍ଥା। ଲ୍ୟାମ୍ପ୍ରେ ଧାନ ବିକୁଛନ୍ତି। ଟଙ୍କା ଆସିଲା ମାତ୍ରେ ବ୍ୟାଙ୍କ୍ରୁ ଉଠାଇ ଚାଲିଯାଉଛନ୍ତି ଜୁଆ ଖେଳକୁ। ବର୍ଷକ ଯାକର ଝାଳବୁହା ଅର୍ଥ ମାତ୍ର କେଇ ମିନିଟ୍ରେ ବରବାଦ କରି ଦେଉଛନ୍ତି। ଟଙ୍କା ଚାଲିଯିବା ପରେ ମଦ ପିଉଛନ୍ତି ଓ ପରିବାର ସହ ପାଟିତୁଣ୍ଡ କରୁଛନ୍ତି। ସୀମାନ୍ତ ବ୍ଲକଗୁଡ଼ିକରେ ଥିବା ଅନେକ ଗାଁରେ ଏହା ନିତିଦିନିଆ ଘଟଣା ହୋଇଥିଲେ ମଧ୍ୟ ସ୍ଥାନୀୟ ପୁଲିସ ନିରବ ରହିଛି। ଜୁଆ ଖେଳକୁ ନେଇ ହିଂସାକାଣ୍ଡ ବି ଘଟୁଛି। ନିକଟରେ ଜମତାଇ ଜଙ୍ଗଲରେ ଚାଲୁଥିବା କୁକୁଡା ଲଢ଼େଇରୁ ଘଟିଥିବା ହିଂସାକାଣ୍ଡ ଏହାର ଜ୍ବଳନ୍ତ ଉଦାହରଣ। ୨୦୨୦ ନଭେମ୍ବର ୧୪ରେ କୁକୁଡା ଲଢ଼େଇ ଆୟୋଜନ କରୁଥିବା ମଦନ ମାଝି (୪୫)ଙ୍କୁ କିଛି ଯୁବକ ଗୁଳି କରି ନିର୍ମମ ଭାବେ ହତ୍ୟା କରିଥିଲେ। ଏମିତି ଆହୁରି ଅନେକ ହିଂସାକାଣ୍ଡ ଘଟିଛି। ଯେ ପର୍ଯ୍ୟନ୍ତ ସ୍ଥାନୀୟ ପୁଲିସ ଏହାକୁ ବନ୍ଦ ନକରିଛି, ସେ ପର୍ଯ୍ୟନ୍ତ ଆହୁରି ଅନେକ ପରିବାରକୁ ଜୁଆ ଉଜାଡି ଚାଲିଥିବ, ଏଥିରେ ଦ୍ବିମତ ନାହିଁ।
The post ସର୍ବସ୍ୱାନ୍ତ କରୁଛି କୁକୁଡା ଲଢ଼େଇ ଓ ଘୁଡ଼ଘୁଡ଼ ପଟି : ଝାଳବୁହା ରୋଜଗାର ବରବାଦ କରୁଛନ୍ତି ଚାଷୀ, ଦିନ ମଜୁରିଆ first appeared on Sambad.
from ଜିଲ୍ଲା – Sambad https://ift.tt/3icuKeS
0 Comments