ଭଦ୍ରକ: ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନିର୍ଦେଶକ୍ରମେ ଓ ଜିଲ୍ଲା ଅବକାରୀ ଅଧୀକ୍ଷକ ଗୌତମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ଦେଶୀ ଜବତ କରାଯାଇଛି। ଏଥିସହିତ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ ଓ କ୍ଷିତିଶ ଦାସ ଏବଂ ଭ୍ରାମ୍ୟମାଣ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଭଦ୍ରକ ଆଗରପଡ଼ା ବଜ଼ାର ନିକଟରେ ଥିବା ଏକ ଦୋକାନ ଘରେ ଚଢ଼ାଉ କରାଯାଇ ୪୫୦ ଲିଟର ଦେଶୀ ରନ୍ଧା ମଦ ଓ ଗୋଟିଏ ମୋଟର ସାଇକେଲ (ଓଡି-୨୨ପି-୮୯୦୭) ଜବତ କରାଯିବା ସହିତ ୩ ଜଣଙ୍କୁ ଗିରଫ କରାଯାଇଛି ।

ସେହିପରି ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଞ୍ଜୁରୀରୋଡ଼ ବଜ଼ାର ଓ ନାଆମୀ କଲେଜ ଛକ ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଦୁଇଗୋଟି ମୋଟର ସାଇକେଲରୁ ( ଓଡି-୨୨ଏଚ୍-୪୧୯୦, ଓଆର୍-୨୨-୭୧୩୭) ୧୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହିତ ୨ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ଚଢାଉରେ ସମୁଦାୟ ୫୫୦ ଲିଟର ଦେଶୀ ମଦ ଓ ୩ଟି ମୋଟର ସାଇକେଲ ଜବତ ହେବା ସହିତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।
ଉକ୍ତ ଚଢାଉରେ ଏ.ଏସ୍.ଆଇ ଭବେଶ ଦାସ ଓ ପ୍ରହଲ୍ଲାଦ ସାମଲ , କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଶିବପ୍ରସାଦ ସାହୁ, ଖଗେଶ୍ୱର ଜେନା, ଅନବାଦିତ୍ୟ ବାରିକ, ଜେମାମଣି ଜାମୁଦା ପ୍ରଭୃତି ସାମିଲ ଥିଲେ। ଏନେଇ ଅବକାରୀ ବିଭାଗ ପକ୍ଷରୁ ୪ଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି।

The post ଭଦ୍ରକ ଜିଲ୍ଲାରେ ୫୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ  first appeared on Sambad.



from ଜିଲ୍ଲା – Sambad https://ift.tt/3nZ5WrU