
ଦେଓଗାଁ: ବଲାଙ୍ଗୀର ଜିଲ୍ଲାର ଚର୍ଚ୍ଚିତ ଶୁଲିଆ ଯାତ୍ରା ପୀଠ ଏଥର ବି ରକ୍ତରଞ୍ଜିତ ହୋଇଛି। ମଙ୍ଗଳବାର ବହୁ ସଂଖ୍ୟାରେ ବଳି ଦିଆଯାଇଛି। କୋଭିଡ କଟକଣା କୋହଳ ହେବା ପରେ ଏହା ହେଉଛି ଜିଲ୍ଲାର ବଡ଼ ଯାତ୍ରା। କୋଭିଡ ନିୟମ ମଧ୍ୟରେ ଯାତ୍ରା ଆୟୋଜନ ପାଇଁ ନିଷ୍ପତ୍ତି ହୋଇଥିଲା। ସୋମବାର ରାତିରେ ପାରମ୍ପରିକ ନିଶି ପୂଜା ପରେ ମଙ୍ଗଳବାର ଭୋର୍ରୁ ଖଇରଗୁଡ଼ା ଓ କୁମୁରିଆ ଖଳାରେ ଆରମ୍ଭ ହୋଇଛି ଶୁଲିଆ ଯାତ୍ରା।
ପ୍ରଥମେ ଶୁଲିଆ ଦେହେରିଆମାନେ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଶୋଭାଯାତ୍ରାରେ ବାହାରିଥିଲେ ଖଇରଗୁଡ଼ା ଗାଁରୁ। ପାଟ ବୁକା (ବୋଦା) ଧରି ଶୁଲିଆ ଖଳାରେ ପୂଜାର୍ଚ୍ଚନା କଲା ପରେ ବଳିଦିଆ ପରମ୍ପରା ଆରମ୍ଭ ହୋଇଥିଲା। ଚଳିତବର୍ଷ କୋଭିଡ କଟକଣା ଥିବାରୁ ଯାତ୍ରା ପୀଠରେ ଦୋକାନ ବଜାର ଖୋଲିବାକୁ ପ୍ରଶାସନ ବାରଣ କରିଛି। ଅନ୍ୟପଟେ ପ୍ରଥା ବଜାୟ ରଖିବାକୁ ପୀଠରେ ବଳି ଦିଆଯାଇଛି ବୋଲି ବଡ଼ ଖଳାର ଦେହେରୀ ସୋମନାଥ ଦେହେରିଆ କହିଛନ୍ତି।
ବଲାଙ୍ଗୀର ଉପଜିଲ୍ଲାପାଳ ସୁଧାକର ନାୟକ, ଦେଓଗାଁ ତହସିଲଦାର ନାରାୟଣ ସାହୁ, ବଲାଙ୍ଗୀର ପୁଲିସ ଏସ୍ଡ଼ିପିଓ ଶ୍ରୀମନ୍ତ ବାରିକ, ତୁଷୁରା ଥାନା ଆଇଆଇସି ଯଶୋବନ୍ତ ପ୍ରଧାନୀ ଦୁଇଟି ଖଳାକୁ ପରିଦର୍ଶନ କରି ଯାତ୍ରାସ୍ଥଳରେ ଡେରା ପକାଇଛନ୍ତି। ସୂଚନାଯୋଗ୍ୟ ଯେ, ଦେଓଗାଁ ବ୍ଲକ ଅନ୍ତର୍ଗତ କୁଲୁତାପଡ଼ା ପଞ୍ଚାୟତର ଖଇରଗୁଡ଼ା ଓ କୁମୁରିଆ ଗାଁରେ ପୌଷ ମାସ ଶୁକ୍ଳପକ୍ଷର ପ୍ରଥମ ମଙ୍ଗଳବାର ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଆଦିବାସୀ ପରମ୍ପରାର ଏହି ଯାତ୍ରାରେ ଫୁଲ, ଧୂପ, ନଡ଼ିଆ ଭୋଗ ସହ ପୋଢ଼, ମେଣ୍ଢା, ବୋଦା ବଳି ଦେଇ ମାନସିକ କରିଥିବା ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଥାନ୍ତି।
The post ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ବହୁ ସଂଖ୍ୟାରେ ଦିଆଗଲା ବଳି first appeared on Sambad.
from ଜିଲ୍ଲା – Sambad https://ift.tt/3inrYUg
0 Comments