ଜଗତସିଂହପୁର ଟାଉନ୍: ଦୀର୍ଘ ନଅମାସର ବ୍ୟବଧାନ ପରେ ଆଜି ସ୍କୁଲ୍ ଖୋଲିଛି। ଆଜି ପ୍ରଥମ ଦିନ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅଭିଭାବକ, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା।
ଜିଲ୍ଲାରେ ଆଜି ୨୮୯ଟି ହାଇସ୍କୁଲ୍ ଖୋଲିବାକୁ ଅନୁମତି ଦିଆଯାଇଥିଲା। ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରାଙ୍କ ସୂଚନା ଅନୁସାରେ ଏହି ୨୮୯ଟି ସ୍କୁଲ୍‌ରେ ପ୍ରାୟ ୧୫ହଜାର ୨୩ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ଆଜି ଜିଲ୍ଲାରେ ୫୯ ପ୍ରତିଶତ ଉପସ୍ଥାନ ମିଳିଛି। ତେବେ, ପ୍ରଥମ ଦିନ ହୋଇଥିବାରୁ, ୫୯ ପ୍ରତିଶତ ଉପସ୍ଥାନ ଏକ ଶୁଭ ସୂଚନା ବୋଲି ଶିକ୍ଷା ବିଭାଗ କହିଛି। ଆଜି ସ୍କୁଲ୍ ଖୋଲିବା ପାଇଁ ପ୍ରା‌ଶାସନିକ ସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏତେ ମାସ ପରେ ସ୍କୁଲ୍ ଖୋଲୁଥିବାରୁ ଶ୍ରେଣୀ ଗୃହ, ବିଦ୍ୟାଳୟ ପରିସରକୁ ଗତକାଲିଠାରୁ ଭଲ ଭାବେ ସଫା ଓ ବିଶୋଧନ କରାଯାଇଥିଲା। ପ୍ରତ୍ୟେକ ଶ୍ରେଣୀଗୃହରେ ଯେମିତି ୨୦ରୁ ଅଧିକ ପିଲା ବସିବେ ନାହିଁ ସେଥିପ୍ରତି ଧ୍ୟାନ ଦିଆଯାଇଥିଲା।

ଆଜି ପିଲାମାନେ ସ୍କୁଲକୁ ଆସିବା ପରେ ସେମାନଙ୍କୁ ସାମାଜିକ ଦୂରତା ଭିତରେ ଠିଆକରି ହାତ ସାନିଟାଇଜ୍‌ କରାଯାଇଥିଲା। ବିଦ୍ୟାଳୟ ଶିକ୍ଷକ-ଶିକ୍ଷୟିତ୍ରୀ ସେମାନଙ୍କ ନିକଟରେ ଅଭିଭାବକଙ୍କ ଅନୁମତିପତ୍ର ଯାଞ୍ଚ କରିବା ପ‌ରେ ସ୍କୁଲ ଭିତରକୁ ଛଡ଼ାଯାଇଥିଲା। ପରୀକ୍ଷା ହଲ୍‌ ଭଳି କେଉଁ ସିଟ୍‌ରେ କେଉଁ ପିଲା ବସିବେ ‌ତାହା ନମ୍ବରିଙ୍ଗ୍ କରାଯାଇଥିଲା। ରିସେସ୍‌ ସମୟରେ ପୁନର୍ବାର ପିଲାମାନଙ୍କ ପାଇଁ ହାତଧୁଆର ବ୍ୟବସ୍ଥା କରାଯାଇଥିବାବେଳେ ଖାଇବା ସମୟରେ କାହାରିକୁ ବାହାରକୁ ଛଡ଼ା ଯାଇ ନଥିଲା। ପୂର୍ବରୁ ଅନ୍ଲାଇନ୍ କ୍ଲାସ୍‌ କରାଯାଉଥିଲେ ହେଁ ଆଜି ବିଦ୍ୟାଳୟକୁ ଆସି ପାଠ ପଢ଼ିବାକୁ ପିଲାମାନେ ଅଧିକ ପସନ୍ଦ କରିଥିବା ଦେଖାଯାଇଛି। ଜିଲ୍ଲାର ସମସ୍ତ ବ୍ଲକ୍‌ରେ ତହସିଲଦାର, ବିଡିଓ, ବିଇଓ ଏବଂ ଅନ୍ୟ ପ୍ରାଶାସନିକ ଅଧିକାରୀ ସ୍କୁଲ୍ଗୁଡ଼ିକୁ ପରିଦର୍ଶନ କରି କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ପରଖିଥିଲେ। ତେବେ କାଁ ଭାଁ କେତେକ ସ୍ଥାନରେ ନିୟମ ସାମାନ୍ୟ ଉଲ୍ଲଂଘନ ହୋଇଥିବାବେଳେ ଅନ୍ୟ ପ୍ରାୟ ସବୁଠା‌ରେ କଡ଼ାକଡ଼ି କୋଭିଡ୍‌ ଗାଇଡ୍‌ ଲାଇନ୍‌ ପାଳନ କରାଯାଇଥିଲା।

The post ପ୍ରଥମ ଦିନ ୫୯ ପ୍ରତିଶତ ଉପସ୍ଥାନ; ବିଦ୍ୟାଳୟକୁ ଫେରିବାକୁ ବ୍ୟଗ୍ର ଥିଲୁ,ଏବେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବୁ first appeared on Sambad.



from ଜିଲ୍ଲା – Sambad https://ift.tt/3bnltza