କଟକ/ସାଲେପୁର: ସାଲେପୁର ଥାନା ବାଲିସାହି ପଞ୍ଚାୟତର ମାଛୁଆତି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରାତି ପ୍ରାୟ ୮ଟାରେ  ସାନଭାଇର ଫାର୍ଶା ଚୋଟରେ ବଡ଼ଭାଇ ଗୁରୁତର ଆହତ ହୋଇଥିଲେ। ବଡ଼ଭାଇଙ୍କୁ ସାଲେପୁର ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସଂକଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା। ପରେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ସାଲେପୁର ପୁଲିସ ନାବାଳକ ଓ ତାର ମାଆକୁ ସାଲେପୁର ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ମାଛୁଆତି ଗ୍ରାମର ଲକ୍ଷ୍ମଣ ମଲ୍ଲିକଙ୍କ ବଡ଼ପୁଅ ସତ୍ୟପ୍ରକାଶ ମଲ୍ଲିକ(୧୮) ବଜାରରୁ ଘରକୁ ଫେରୁଥିଲେ। ଏହି ସମୟରେ ସ୍ଥାନୀୟ ମଙ୍ଗଳା ମନ୍ଦିର ନିକଟ ଅନ୍ଧାରିଆ ସ୍ଥାନରେ ପୂର୍ବରୁ ମାରଣାସ୍ତ୍ର ଧରି ପ୍ରସ୍ତୁତ ହୋଇ ରହିଥିବା ସତ୍ୟପ୍ରକାଶଙ୍କ ଦାଦାପୁଅ ଭାଇ (ସେହି ଗ୍ରାମର ଶତ୍ରୁଘ୍ନ ମଲ୍ଲିକଙ୍କ ନାବାଳକ ପୁଅ)(୧୬ବର୍ଷ) ହଠାତ୍‌ ସତ୍ୟପ୍ରକାଶଙ୍କ ବେକକୁ ଲକ୍ଷ୍ୟ କରି ଫାର୍ଶାରେ ଚୋଟ ପକାଇଥିଲେ। ସେ ଘୁଞ୍ଚି ଯିବାରୁ ଛାତିରେ ଚୋଟ ବାଜିଥିଲା। ଫଳରେ ପ୍ରଚୁର ରକ୍ତସ୍ରାବ ହେବା ସହ ସତ୍ୟପ୍ରକାଶ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ ବୋଲି ବାପା ଲକ୍ଷ୍ମଣ ମଲ୍ଳିକ ସାଲେପୁର ଥାନାରେ ଅଭିଯୋଗ କରିଥିଲେ। ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସତ୍ୟପ୍ରକାଶଙ୍କର ମୃତ୍ୟୁ ଘଟିଛି।

The post ଫାର୍ଶାରେ ଭାଇକୁ ହାଣିଲା ଭାଇ: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ first appeared on Sambad.



from ଜିଲ୍ଲା – Sambad https://ift.tt/3qLbsQR