
ସୁନ୍ଦରଗଡ଼ : ପାକିସ୍ତାନ ଜେଲରେ ୨୦ ବର୍ଷ ବନ୍ଦୀ ଜୀବନ ବିତାଇ ୨୫ ବର୍ଷ ପରେ ନିଜ ଗାଁକୁ ଫେରିଥିବା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ କଟଙ୍ଗ ପଞ୍ଚାୟତ ଜଙ୍ଗରପଡ଼ାର ମାର୍କୁସ କୁଲୁ ଓରଫ ବିର୍ଜୁ କୁଲୁ ପୁଣି ପାକିସ୍ତାନ ଫେରିଯିବାକୁ ଚାହୁଛନ୍ତି। ଏପରିକି ଏଥିପାଇଁ ଥରେ ଉଦ୍ୟମ ମଧ୍ୟ କରିସାରିଛନ୍ତି। ଜାନୁଆରି ୨ ତାରିଖ ରାତିରେ ସେ ପାକିସ୍ତାନ ଯିବା ଉଦ୍ଦେଶ୍ୟରେ ଘରୁ ବାହାରି ତାଳଚେର ଚାଲି ଯାଇଥିବାବେଳେ ସେଠାରୁ ତାଙ୍କୁ ଫେରାଇ ଅଣାଯାଇଥିଲା।
ଚର୍ଚ୍ଚିତ ବିର୍ଜୁଙ୍କ ପାକିସ୍ତାନ ଚାଲିଯିବା ଇଚ୍ଛା ଜିଲ୍ଲା ତଥା ରାଜ୍ୟରେ ପୁଣି ଚର୍ଚ୍ଚାର ବିଷୟ ହୋଇଛି। କାହିଁକି ବିର୍ଜୁ ନିଜ ଜନ୍ମମାଟିରେ ରହିବାକୁ ଚାହୁ ନାହାନ୍ତି, ପାକିସ୍ତାନରୁ ଫେରିବାର ଦୁଇ ମାସ ମଧ୍ୟରେ କେଉଁଥିପାଇଁ ଗାଁରୁ ତାଙ୍କ ମନ ଛାଡ଼ିଯାଇଛି, ପାକିସ୍ତାନ ପ୍ରତି ଏତେ ଆଗ୍ରହର କାରଣଟି କ’ଣ? ଏହି ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଏହା ମଧ୍ୟରେ ଗାଁ ଲୋକ ଓ ତାଙ୍କ ଆତ୍ମୀୟଙ୍କ ସବୁଠାରୁ ବଡ଼ ଅଭିଯୋଗ ହେଲା, ସାମାନ୍ୟ ମାନସିକ ବିକୃତି ଥିବା ବିର୍ଜୁଙ୍କୁ ପ୍ରଶାସନ ଆବଶ୍ୟକ ଚିକିତ୍ସା ସେବା ସହ ଅନ୍ୟ ସୁବିଧା ସହାୟତା ଦେବାରେ ବିଶେଷ ଆଗ୍ରହ ବା ତତ୍ପରତା ପ୍ରକାଶ କରୁନାହିଁ। ସେ ଫେରିବା ପରେ ୨୦୨୦ ନଭେମ୍ବର ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ତ୍ବରିତ ସହାୟତା ଦେଇଥିଲା। ତାଙ୍କୁ ଅନ୍ନପୂର୍ଣ୍ଣା କାର୍ଡ, ଦୁଇ ମାସର ୨୫ କେଜି ଚାଉଳ, ଜିଲ୍ଲା ରେଡକ୍ରସରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ତାଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଓ ତାଙ୍କ ଜୀବନଜୀବିକା ପାଇଁ ସବୁ ପ୍ରକାର ସହାୟତା, ସହଯୋଗ ଦିଆଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ଅନ୍ୟପଟେ କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭ୍ରାମ୍ୟମାଣ ଚିକିତ୍ସକ ଦଳ ସେଦିନ ଓ ତା’ ପର ଦୁଇ ଦିନ ଯାଇ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି କ’ଣ ସବୁ ଔଷଧ ଦେଇଥିଲେ। ଏହା ପରେ କିନ୍ତୁ ସମସ୍ତେ ବିର୍ଜୁକୁ ଭୁଲିଯାଇଥିବା ଅଭିଯୋଗ ହେଉଛି।
ଦୁଇ ମାସ ମଧ୍ୟରେ ଆଉ କୌଣସି ଡାକ୍ତର କି ସ୍ବାସ୍ଥ୍ୟକର୍ମୀ ତାଙ୍କ ଘର ଦୁଆର ମାଡ଼ି ନଥିବା କି ତାଙ୍କ ଚିକିତ୍ସା ନେଇ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଏହା ଛଡ଼ା ପୈତୃକ ଘର ନଥିବାରୁ ସମ୍ପର୍କୀୟ ଭାଇ ବୋହୂ ଆଶ୍ରିତା କୁଲୁଙ୍କ ଘରେ ଆଶ୍ରୟ ନେଇଥିବା ବିର୍ଜୁଙ୍କୁ ଏଯାଏ ଆବାସ ପ୍ରଦାନ କରାଯାଇନାହିଁ। ଭୋଟର ଓ ଆଧାରକାର୍ଡ ନଥିବାରୁ ତାଙ୍କ ବ୍ୟାଙ୍କ ପାସବୁକ୍ ଖୋଲାଯାଇ ପାରୁ ନଥିବାବେଳେ ଅନ୍ୟ ସହାୟତା ମିଳି ନାହିଁ। ବିର୍ଜୁ ମୁହଁ ଖୋଲି କିଛି କହୁ ନଥିଲେ ମଧ୍ୟ ଏସବୁ କାରଣରୁ ସେ ଏଠାରେ ରହିବାକୁ ଚାହୁ ନଥିବା ଚର୍ଚ୍ଚା ହେଉଛି। ତେବେ ପାକିସ୍ତାନ ପ୍ରତି ତାଙ୍କ ଆଗ୍ରହ ବଢ଼ିବାର କାରଣ ଜଣାପଡ଼ି ନାହିଁ।
ସୂଚନାଯୋଗ୍ୟ, ମାନସିକ ଅନଗ୍ରସର ବିର୍ଜୁ ଆଜକୁ ୨୫ ବର୍ଷ ତଳେ କୌଣସି ଏକ ଦିନ ଘରୁ ଚାଲିଯାଇ ଅଜ୍ଞାତରେ ପାକିସ୍ତାନ ସୀମା ଭିତରକୁ ପଶିବା ପରେ ପାକିସ୍ତାନ ସୈନ୍ୟମାନେ ଧରି ପାକିସ୍ତାନ ଜେଲରେ ବନ୍ଦୀ କରି ରଖିଥିଲେ। ଦୀର୍ଘ ୨୦ ବର୍ଷ ସଜା କାଟିବା ପରେ ସେ ନିର୍ଦ୍ଦୋଷ ଜାଣି ପାକିସ୍ତାନ ସରକାର ଆଜକୁ ୨ ମାସ ତଳେ ୨୦୨୦ ଅକ୍ଟୋବର ୨୬ ତାରିଖରେ ଭାରତକୁ ହସ୍ତାନ୍ତର କରିଥିଲେ ଓ ବିର୍ଜୁ ଭାରତ ମାଟିରେ ପାଦ ଦେଇଥିଲେ। ତାଙ୍କୁ ଅମୃତସର ନାରାୟଣଗଞ୍ଜ ଏକାନ୍ତବାସ କକ୍ଷରେ ରଖାଯାଇଥିଲା। ସେଠାରୁ ଓଡ଼ିଶା ସରକାର ତଥା ଜିଲ୍ଲା ପ୍ରଶାସନର ସହାୟତାରେ ଏକ ସ୍ବତନ୍ତ୍ର ବଲେରୋ ଯୋଗେ ନଭେମ୍ବର ୧୩ରେ ନିଜ ଜନ୍ମମାଟି ଡଙ୍ଗରପଡାରେ ପହଞ୍ଚିଥିଲେ ବିର୍ଜୁ।
The post ଏଠି ମନ ଲାଗୁନି, ପାକିସ୍ତାନ ପାଇଁ ବ୍ୟାକୁଳ ବିର୍ଜୁ first appeared on Sambad.
from ଜିଲ୍ଲା – Sambad https://ift.tt/3q0ZQJ9
0 Comments