
ସୁନ୍ଦରଗଡ଼ : ଗାଁ ରାସ୍ତାରେ ନୁହେଁ, ସ୍ବତନ୍ତ୍ର କରିଡରରେ କୋଇଲା ପରିବହନ ହେଉଥିବା ଓ ପରିବେଶ ମଞ୍ଜୁରି ସମସ୍ତ ସର୍ତ୍ତର ସଠିକ୍ ଅନୁପାଳନ ହେଉଥିବା ମିଛ ରିପୋର୍ଟ ବଳରେ ଏମସିଏଲ୍ କୁଲଡା ଖଣି ୩୦ ବର୍ଷ ପାଇଁ ହାତେଇ ନେଇଥିବା ଖଣି ପ୍ରଭାବିତ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ୨୫ ବର୍ଷ ହେଲା ଗାଁ ରାସ୍ତାରେ କୋଇଲା ପରିବହନ କରୁଥିବା ଓ ହେମଗିର ବ୍ଲକ୍ର ଡୁଡୁକା ଓ ଟାଙ୍ଗରପାଲି ବ୍ଲକ୍ର ଉଜ୍ବଳପୁର ଗାଁକୁ ଏଡ଼ାଇ ଦୁଇଟି ୨ କିଲୋମିଟର ବିଶିଷ୍ଟ ବାଏପାସ ରାସ୍ତା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବାଏପାସ୍ ବା ସ୍ବତନ୍ତ୍ର କୋଲ୍ କରିଡର ନିର୍ମାଣ କରି ନଥିବା ବେଳେ କେମିତି ଏପରି ମିଛ ରିପୋର୍ଟ ଦେଇ ଏମସିଏଲ ହାତରେ ଖଣିକୁ ଟେକି ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି। ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ରିପୋର୍ଟର ଯାଞ୍ଚ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
ଗାଁ ରାସ୍ତାରେ କୋଇଲା ପରିବହନ ବନ୍ଦ ଦାବିରେ ଟପରିଆ ଠାରେ ୧୩ ଦିନ ହେଲା ଧାରଣା ଦେଇଥିବା ଜନଶକ୍ତି ବିକାଶ ପରିଷଦ ସହ ଆଲୋଚନା କରିବାକୁ ୨୯ରେ ଧାରଣାସ୍ଥଳକୁ ଯାଇଥିବା ଜିଲ୍ଲାପାଳଙ୍କ ଆଗରେ ଲୋକେ ଏହି ପ୍ରଶ୍ନ ଉଠାଇ ଏମସିଏଲ ଯଦି ସ୍ବତନ୍ତ୍ର କରିଡର ନିର୍ମାଣ କରିଛି, ତେବେ ସେ କରିଡରରେ କୋଇଲା ପରିବହନ କରୁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି। ଏ ମିଛ ରିପୋର୍ଟ ଏମସିଏଲକୁ ଅଡ଼ୁଆରେ ପକାଇ ଦେଇଛି। ୧୩ ଦିନ ହେଲା ଛତିଶଗଡ଼କୁ କୋଇଲା ପରିବହନ ବନ୍ଦ ରହିଛି। ଏହାମଧ୍ୟରେ ୫ ଲକ୍ଷ ଟନ୍ କୋଇଲା ପରିବହନ ହୋଇପାରି ନାହିଁ।
ପ୍ରକାଶଯୋଗ୍ୟ, ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ (ଏମଓଇଏଫସିସି) ପ୍ରଭାବ ଆକଳନ ବିଭାଜନ ନିଜ ମନିଟରିଂ ରିପୋର୍ଟରେ ଦର୍ଶାଇଥିଲା ଯେ, ଏମସିଏଲ ଗାଁ ରାସ୍ତାକୁ ଏଡ଼ାଇ ସ୍ବତନ୍ତ୍ର କରିଡରରେ କୋଇଲା ପରିବହନ ସହ ମଞ୍ଜୁରି ପରିବେଶ ଆଇନର ସଠିକ ଅନୁପାଳନ କରୁଛି। ୨୦୧୯ ଡିସେମ୍ବର ୨ରେ ଏହି ରିପୋର୍ଟ ଦାଖଲ ହେବା ପରେ ପରେ ମୂଲ୍ୟନିରୂପଣ ବିଶେଷଜ୍ଞ କମିଟି (ଏକ୍ସପର୍ଟ ଏଫ୍ରିଜଲ କମିଟି) ର ୨୦୧୯ ଡିସେମ୍ବର ୫ରେ ଅନୁଷ୍ଠିତ ବୈଠକରେ କୁଲଡା ଖଣିକୁ ୩୦ ବର୍ଷ ବା ଆଜୀବନ (ଲାଇଫ୍ଟାଇମ୍) ସମ୍ପ୍ରସାରଣ ପାଇଁ ସୁପାରିସ କରିଥିଲେ। ଏହା ପରେ ଏମଓଇଏଫସିସି ଏମସିଏଲ ହାତରେ ପ୍ରତି ବର୍ଷ ୧୦ ମିଲିୟନ ଟନ୍ରୁ ୧୪ ମିଲିୟନ ଟନ୍କୁ ବୃଦ୍ଧି କରି ୩୦ ବର୍ଷ ପାଇଁ କୁଲଡା ଖଣିକୁ ଟେକି ଦେଇଛି। ପରିବେଶ ମଞ୍ଜୁରି ସର୍ତ୍ତରେ, ଖଣି କାର୍ଯ୍ୟ ଓ ଖଣିଜ ଦ୍ରବ୍ୟ ପରିବହନରେ ବ୍ୟବହୃତ ରାସ୍ତାରେ ହେଉଥିବା ଧୂଳିକୁ ୨୪ ଘଣ୍ଟା ପାଣି ସିଞ୍ଚନ କରି ହ୍ରାସ ଘଟାଇବା, ଖଣି ପାର୍ଶ୍ବବର୍ତ୍ତୀ ଗାଁ ଲୋକଙ୍କ ଜୀବନଜୀବିକାର ବିକାଶ, ତାଲିମ ପ୍ରଦାନ କରି ସେମାନଙ୍କୁ ରୋଜଗାରକ୍ଷମ କରିବା, ଧୂଳିକୁ ଦମନ ପାଇଁ ଖଣି ସୀମାରେ ୭୫ ମିଟର ଓସାରରେ ସବୁଜ ବଳୟ ସୃଷ୍ଟି ଓ ଗାଁ ଭିତରେ କୋଇଲା ପରିବହନକୁ ସମ୍ପୂର୍ଣ୍ଣ ଏଡ଼ାଇବାକୁ ବାଏପାସ ବା ସ୍ବତନ୍ତ୍ର କରିଡର ନିର୍ମାଣ କରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଏମସିଏଲ ଏସବୁ ସର୍ତ୍ତର ଖୋଲା ଉଲ୍ଲଂଘନ କରି ସ୍ଥାନୀୟ ଜନଜୀବନକୁ ମରଣମୁହଁକୁ ଠେଲି ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି।
The post ଏମ୍ସିଏଲ୍ର କୋଇଲା ପରିବହନ ମିଛ! ଜିଲ୍ଲାପାଳ କହିଲେ ତଦନ୍ତ ହେବ first appeared on Sambad.
from ଜିଲ୍ଲା – Sambad https://ift.tt/39zJJwC
0 Comments