କେନ୍ଦୁଝର : କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗର ଟେଣ୍ଡର ପ୍ରକ୍ରିୟାରେ ନକଲି ଦସ୍ତାବିଜ୍‌ ଦେଇ ଟେଣ୍ଡର ହାତେଇବାରେ ସଫଳ ହୋଇଥିବା ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ସୁରେନ୍ଦ୍ର ଭୂୟାଁ ଏବଂ ଗଦାଧର ନାୟକଙ୍କ ନାମରେ ଲାଗିଛି ଦଫା ୪୨୦। ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପି.କେ.ମିଶ୍ର ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୪୨୦ ଏବଂ ୪୬୮ ଦଫା‌ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ‌କରିଛି। କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗରେ ଟେଣ୍ଡର କେଳେଙ୍କାରୀକୁ ନେଇ ବାରମ୍ବାର ‘ସମ୍ବାଦ’ରେ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇବା ପରେ ପ୍ରଥମେ ଟେଣ୍ଡର ପ୍ରକ୍ରିୟ‌ାରୁ ଏମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏବେ ଥାନାରେ ମାମଲା ରୁଜୁ ହେବା ପରେ ସମଗ୍ର ଟେଣ୍ଡର ପ୍ରକ୍ରିୟାର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୯ ତାରିଖରେ ଅଧୀକ୍ଷଣ ଯନ୍ତ୍ରୀ ପି.କେ.ମିଶ୍ର ଟାଉନ ଥାନାରେ ଚିଠି ନଂ-୩୩୪ ଏବଂ ଚିଠି ୩୩୫ ରେ ଅଭି‌‌ଯୋଗ କରିଥିଲେ। ଏହି ଅଭିଯୋଗରେ ସେ ଗଦାଧର ନାୟକ ଏବଂ ସୁରେନ୍ଦ୍ର ଭୂୟାଁଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ନକଲି ବାଲାନସ୍‌ ସିଟ୍‌ ଏବଂ ପ୍ରଫିଟ୍ ଆଣ୍ଡ ଲସ୍‌ ଷ୍ଟେଟମେଣ୍ଟ ଦେଇଥିବା ଦର୍ଶାଇଛନ୍ତି। କେନ୍ଦୁଝର ଟାଉନ ଥାନାରେ କେସ୍‌ ନଂ-୪୫ରେ ସୁରେନ୍ଦ୍ର ଭୂୟାଁଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ବେଳେ କେସ୍‌ ନଂ-୪୬ରେ ଗଦାଧର ନାୟକଙ୍କ ନାମରେ ମାମଲା ରୁଜୁ କରାଯାଇଛି।

ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ୟା‌କେଜ ନଂ-ଓଆର-୧୭-୬୪୨ ଅର୍ଥାତ ହାଟଡିହି ଠାରୁ ରୁଗୁଡି ସାହି ପର୍ଯ୍ୟନ୍ତ ରାସ୍ତା କାମ ପାଇଁ ଟେଣ୍ଡର ପ୍ରକ୍ରିୟାରେ ସୁପର କ୍ଲାସ କଣ୍ଟ୍ରାକ୍ଟର ଗଦାଧର ନାୟକ ଆବେଦନ କରି ସଫଳ ହୋଇଥିଲେ। ଟେଣ୍ଡର ପ୍ରକ୍ରିୟାରେ ସେ ଦାଖଲ କରିଥିବା ବାଲାନସ୍‌ ସିଟ୍‌ ଏବଂ ଲସ୍‌ ଆଣ୍ଡ ପ୍ରଫିଟ୍‌ ଷ୍ଟେଟମେଣ୍ଟ ନକଲି ଥିଲା। ୨୦୧୯ ମସିହା ପାଇଁ ଗଦାଧର ନାୟକ ନିଜର ଲସ୍‌ ଆଣ୍ଡ ପ୍ରଫିଟ୍‌ ଷ୍ଟେଟମେଣ୍ଟ ବିବରଣୀରେ ନିଜର କାରବାର ୧୫ କୋଟି ୨ ଲକ୍ଷ ୩୪ ହଜାର ୩୮୦ ଟଙ୍କା ଦର୍ଶାଇଥିଲେ। ୨୦୨୦ ମସିହା ପାଇଁ ନିଜର ଲସ୍‌ ଆଣ୍ଡ ପ୍ରଫିଟ୍‌ ଷ୍ଟେଟ୍‌ମେଣ୍ଟ ବିବରଣୀରେ ନିଜର କାରବାର ୧୯ କୋଟି ୮୦ ଲକ୍ଷ ୩୫,୬୭୦ ବୋଲି ଦର୍ଶାଇଛନ୍ତି। ଯାହାକି ସଂପୂର୍ଣ୍ଣ ନକଲି ଦସ୍ତାବିଜ୍‌ ବୋଲି ଜଣାପଡ଼ିଥିଲା।

ଗୋପୀନାଥପୁର-‌ଗୋନାସିକା (ଓଆର ୧୭-୬୨୪)ରାସ୍ତା ପାଇଁ ନକଲି ଦସ୍ତାବିଜ୍‌ ଦାଖଲ କରିଥିଲେ ସୁପର କ୍ଲାସ କଣ୍ଟ୍ରାକ୍ଟର ସୁରେନ୍ଦ୍ର ଭୂୟାଁ। ଏ ସଂପର୍କରେ ଖବର ମିଳିବା ପରେ ସମ୍ବାଦ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା। ଅନୁସନ୍ଧାନ ଅନୁସାରେ, ୨୦୧୯ ମସିହା ଶ୍ରୀ ଭୂୟାଁ ନିଜର ଲସ୍‌ଆଣ୍ଡ ପ୍ରଫିଟ୍ ବିବରଣୀରେ ନିଜର କାରବାର ୧୫ କୋଟି ୮୦ ଲକ୍ଷ ୩୬ ହଜାର ୯୮୦ ବୋଲି ଦର୍ଶାଇବା ସହିତ ୨୦୨୦ ମସିହା ପାଇଁ ନିଜର ପ୍ରଫିଟ୍ ଆଣ୍ଡ ଲସ୍ ବିବରଣୀରେ ନିଜର କାରବାର ୧୬ କୋଟି ୪୧ ଲକ୍ଷ ୧୫ ହଜାର ୯୫୦ ବୋଲି ଦର୍ଶାଯାଇଥିଲେ।

ଏହି ମାମଲା ସଂପର୍କରେ ଟାଉନ ଥାନା ଅଧିକାରୀ ପ୍ରମୋଦିନୀ ସାହୁଙ୍କୁ ପଚାରିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କ ଠାରୁ ଅଭିଯୋଗ ପାଇଛୁ। ଏହି ଅଭିଯୋଗ ପାଇବା ପରେ ମାମଲା ପଞ୍ଜିକୃତ ହୋଇ ତଦନ୍ତ ଆରମ୍ଭ ହୋଇଛି। ଯିଏ ବି ଦୋଷୀ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

The post ଗ୍ରାମ୍ୟ ଉନ୍ନୟନ ରାସ୍ତାକାମ ଟେଣ୍ଡରରେ ଅନିୟମିତତା : ୨ ଠିକାଦାରଙ୍କ ନାଁରେ ‘୪୨୦’ first appeared on Sambad.



from ଜିଲ୍ଲା – Sambad https://ift.tt/3oClylu