
ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଥିବା ଉତ୍କଣ୍ଠା ଆଜି ବଡ଼ଦାଣ୍ଡରେ ଅନୁଭବ ହୋଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ବିଗତ ୮ ଦିନର ଦର୍ଶନ ଭିତରେ ଆଜି ବି ରେକର୍ଡ ସଂଖ୍ୟକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।
ଗତକାଲି ପ୍ରାୟ ୫ହଜାର ଭକ୍ତ କୋଭିଡ୍ ରିପୋର୍ଟ ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଆଜି କୋଭିଡ୍ ରିପୋର୍ଟ ଦେଖାଇ ୬ହଜାରୁ ଅଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ସେପଟେ ବେଳାଭୂମିରେ ବି ଆଜି ଖଚାଖଚ୍ ଭିଡ଼ ଦେଖିବାକୁ ମିଳିଥିଲା। ଲାଇଟ୍ ହାଉସଠାରୁ ଦିଗବାରେଣି ପର୍ଯ୍ୟନ୍ତ ବେଳାଭୂମି ପ୍ରବଳ ଭିଡ଼ ରହିଛି। କୋଭିଡ୍ ରିପୋର୍ଟ କଟକଣା ପାଇଁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ପାରୁନଥିଲେ। ଏହା ଭକ୍ତ ଓ ଭଗବାନଙ୍କ ଭିତରେ ପ୍ରତିବନ୍ଧକ ସାଜିଥିଲା। କିନ୍ତୁ ଗତ ଚାରିଦିନ ହେବ ଶ୍ରୀମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଶନିବାର ଓ ରବିବାର ଛୁଟିଦିନ ଥିବାରୁ ବହୁ ସଂଖ୍ୟାରେ ଭକ୍ତ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏଥିପାଇଁ ଆଜି ବଡ଼ଦାଣ୍ଡ ଦିନତମାମ ଗହଳଚହଳ ରହିଥିଲା। ଭକ୍ତମାନେ ଜଗନ୍ନାଥ ବଲ୍ଲଭରେ ଗାଡ଼ି ପାର୍କିଂ ପରେ ଧାଡ଼ିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସ୍ବତନ୍ତ୍ର କିଓସ୍କରେ ପରିଚୟପତ୍ର ଓ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ଦର୍ଶନ କରିଥିଲେ। ସିଂହଦ୍ବାରରେ ପ୍ରବେଶ ପରେ ଉତ୍ତରଦ୍ବାରରେ ପ୍ରସ୍ଥାନ କରିଥିଲେ। ଅନ୍ୟପଟେ ଆଜି ପୁରୀ ବେଳାଭୂମି ସହ ବ୍ଲୁ ଫ୍ଲାଗ୍ ବିଚ୍ରେ ବି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବ୍ଲୁ ଫ୍ଲାଗ ବିଚ୍ ବୁଲିବା ପାଇଁ ପର୍ଯ୍ୟଟକଙ୍କ ଧାଡ଼ି ଲାଗିଛି। କୋଭିଡ୍-୧୯ କଟକଣାର ୯ ମାସ ପରେ ଏତେ ସଂଖ୍ୟାରେ ପର୍ଯ୍ୟଟକ କେବେ ବି ପୁରୀ ବେଳାଭୂମିରେ ଦେଖିବାକୁ ମିଳି ନଥିଲା। ଆଜି ପର୍ଯ୍ୟଟକମାନେ ବେଳାଭୂମି ବୁଲିବା ସହ ସମୁଦ୍ର ବୁଡ଼ ପକାଇ ଘରକୁ ଫେରିଛନ୍ତି। ପଶ୍ଚିମବଙ୍ଗ ବହୁ ପର୍ଯ୍ୟଟକ ସପରିବାର ଏଠାକୁ ବୁଲି ଆସିଥିବା ଦେଖିବାକୁ ମିଳିଛି।
The post ମହାପ୍ରଭୁଙ୍କୁ ଦର୍ଶନ କଲେ ୬ହଜାର ଭକ୍ତ, ଭାଙ୍ଗିଲା ୮ ଦିନର ଦର୍ଶନ ରେକର୍ଡ first appeared on Sambad.
from ଜିଲ୍ଲା – Sambad https://ift.tt/3hZ7KQq
0 Comments