ମହାକାଳପଡା: ଗତକାଲି ବିଳମ୍ବିତ ରାତିରେ ମହାକାଳପଡା ବ୍ଲକ ରାମନଗର ପଞ୍ଚାୟତ ଦରିଆପାରି ମା’ ରାମଚଣ୍ତୀ ମନ୍ଦିରରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିର ପୂଜାରୀଙ୍କୁ କବାଟ କିଳି ଏହି କାଣ୍ଡ ଭିଆଇଛନ୍ତି। ଏହି ଘଟଣାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ପୁଲିସ କେନ୍ଦ୍ରାପଡ଼ା ଟାଉନ୍‌ ଥାନାରେ ଅଟକ କରିଛି। ଅଭିଯୁକ୍ତମାନେ ରାଜନଗର ଅଂଚଳର ବୋଲି କୁହାଯାଉଛି। ସେମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ସେମାନଙ୍କଠାରୁ ଚୋରି ସୁନା ଓ ରୂପା ଅଳଙ୍କାର ଜବତ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ ୧ଟାରେ ଅଭିଯୁକ୍ତମାନେ ମନ୍ଦିର ପରିସରରେ ରହୁଥିବା ପୂଜାରୀ ପର୍ଶୁରାମ ସାମନ୍ତରାୟଙ୍କୁ ବାହାର ପଟୁ କବାଟ ବନ୍ଦ କରି ଦେଇଥିଲେ। ମନ୍ଦିରର ଗ୍ରୀଲ ଓ କବାଟ ତାଲା ଭାଙ୍ଗି ମା’ଙ୍କ ଅଳଙ୍କାର ସମେତ ଓ ଟ୍ରେଜେରୀରେ ଥିବା ୨ଟି ମଙ୍ଗଳ ସୂତ୍ର, ୩ଟି ପଦକ, ୩ଟି ରୂପା ହାର ଓ ଗୋଟିଏ ଲେଖାଏ ରୂପା ମୁକୁଟ ଓ ରୂପା ଖଣ୍ତା ଆଦି ଚୋରି କରି ନେଇଥିଲେ।

Sambad

ପୂଜାରୀ ଚୋରି ସମ୍ପର୍କରେ ଜାଣିପାରି ମନ୍ଦିରର ଟହଲିଆ ବିଶ୍ବରଂଜନ ବେରାଙ୍କୁ ଫୋନ କରି ଜଣାଇଥିଲେ। ସେ ସ୍ଥାନୀୟ ଲୋକଙ୍କୁ ଧରି ଆସିବା ବେଳକୁ ଚୋରମାନେ ସେଠାରୁ ଖସି ପଳାଇଥିଲେ। ଜମ୍ବୁ ମେରାଇନ ଥାନା ଅଧିକାରୀ ମହେଶ୍ବର ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ଅନ୍ୟପକ୍ଷରେ ଚୋରିକୁ ନେଇ ଆଜି ସକାଳୁ ବିଜେପି ନେତା ବିଜୟ ପ୍ରଧାନଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ପ୍ରଭାକରପୁର ଖରିନାସୀ ରାସ୍ତାରେ ଟାୟାର ଜାଳି ଅବରୋଧ କରିବା ସହିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଥିଲେ। ସକାଳ ପ୍ରାୟ ୧୦ଟାରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ ମନ୍ଦିର ନିକଟରେ ପହଞ୍ଚି ପୁଲିସ ଓ ମନ୍ଦିର ଟ୍ରଷ୍ଟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। ପରେ ଜିଲ୍ଲା ପୁଲିସ ବିଭାଗ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଥିଲା। ପୁଲିସ ମୋବାଇଲ ଟ୍ରାକିଂ କରି କେନ୍ଦ୍ରାପଡା ଟାଉନ ଥାନା ଅଂଚଳରେ ଲୁଚି ରହିଥିବା ୩ ଅଭିଯୁକ୍ତଙ୍କୁ ଧରିଥିଲା। ସେମାନଙ୍କଠାରୁ ଜବତ ଅଳଙ୍କାର ମନ୍ଦିର ଟ୍ରଷ୍ଟ କର୍ମକର୍ତ୍ତାଙ୍କ ଦ୍ବାରା ଚିହ୍ନଟ କରାଯାଇଛି। ସେମାନଙ୍କୁ କେନ୍ଦ୍ରାପଡ଼ା ଟାଉନ୍‌ ଥାନାରେ ଅଟକ ରଖାଯାଇ ପଚରାଉଚୁରା ଚାଲିଛି।

The post ପୂଜାରୀଙ୍କୁ କବାଟ କିଳି ମନ୍ଦିରରୁ ଲୁଟ୍‌; ଟାୟାର ଜାଳି ରାସ୍ତାରୋକ କେନ୍ଦ୍ରାପଡ଼ାରୁ ୩ ଅଟକ first appeared on Sambad.



from ଜିଲ୍ଲା – Sambad https://ift.tt/2Y9L3Qw