ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ମଙ୍ଗଳବାର ଦିନ ଜଣେ ସୁରକ୍ଷା କର୍ମଚାରୀଙ୍କ ମୃତ୍ୟୁକୁ ନେଇ ନୂଆପଡ଼ା ସ୍ବାସ୍ଥ୍ୟ ବିଭାଗ ସମସ୍ୟାରେ ପଡ଼ିଛି। ପରିବାର ଲୋକ କରୋନା ଟିକା ନେଲା ପରେ ଦେହ ଅସୁସ୍ଥ ହୋଇ ଶେଷରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ମୃତ ପରିବାରଙ୍କୁ କ୍ଷତିପୂରଣ ଦାବି କରି ପରିବାର ଲୋକ ଓ ସୁରକ୍ଷା କର୍ମଚାରୀମାନେ ମୁଖ୍ୟ ଡାକ୍ତରଖାନା ସମ୍ମୁଖରେ ଧରଣା ଦେଇଥିଲେ।

ମିଳିଥିବା ଖବର ଅନୁଯାୟୀ ନୂଆପଡ଼ା ଜିଲ୍ଲା ଟାନୁୱାଟ ପଞ୍ଚାୟତ ଦିଆନମୁଣ୍ଡା ଗ୍ରାମର ଗୁରୁପ୍ରସାଦ କେଉଁଟଙ୍କ ସାନ ପୁଅ ନାନକରାମ କେଉଁଟ (୨୬) ୨ ମାସ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା କର୍ମଚାରୀ ଭାବେ କାମ କରୁ୍ଥିଲେ। ନାନକରାମ ନୂଆପଡ଼ା କୋଭିଡ ଡାକ୍ତରଖାନାରେ ମଧ୍ୟ ସିକୁରିଟ ଭାବେ କାମ କରିଥିବା ବେଲେ ବର୍ତ୍ତମାନ ନୂଆପଡ଼ା ମୁଖ୍ୟ ଡାକ୍ତଖାନରେ କାମ କରୁଥିଲେ। ଜାନୁଆରି ୨୩ ତାରିଖରେ ନୂଆପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ନାନକରାମ କରୋନା ଟିକା ନେଇଥିଲେ। ପରେ ସେ ତାଙ୍କ ଅବସ୍ଥା ଧୀରେଧୀରେ ଅସୁସ୍ଥ ଅନୁଭବ କରୁଥିବା କଥା ଘର ଲୋକଙ୍କୁ କହିଥିଲା। ହେଲେ ଘର ଲୋକ କିଛି ହେବ ନାହିଁ ବୋଲି କହିବାରୁ ଡ୍ୟୁଟି କରୁଥିଲେ। ହେଲେ ୨୫ ତାରିଖ ଦିନ ଡ୍ୟୁଟି ସମୟରେ ଗୁରୁତର ହୋଇଥିଲେ। ତାଙ୍କୁ କିଛି କର୍ମଚାରୀ ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ହେଲେ ରକ୍ତବାନ୍ତି କରିବାରୁ ଡାକ୍ତର ଯୁବକଙ୍କୁ ତୁରନ୍ତ ବୁର୍ଲା ନେବାକୁ କହିଥିଲେ। ପରେ ପରିବାର ଲୋକ ଯୁବକଙ୍କୁ ବୁର୍ଲା ନେବା ପରେ ସେଠାରେ ଡାକ୍ତର ମୃତ ଘୋଷଣ କରିଥିଲେ। ପରେ ଶବକୁ ନେଇ ପରିବାର ନୂଆପଡ଼ା ପହଞ୍ଚିବା ପରେ ସିକୁରିଟି କର୍ମଚାରୀଙ୍କ ପରିବାରକୁ କ୍ଷତିପୂରଣ ନଦେବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରିବାକୁ ମନା କରି ମୁଖ୍ୟ ଡାକ୍ତରଖାନା ସମ୍ମୁଖରେ ପରିବାର ଓ ସୁରକ୍ଷା କର୍ମଚାରୀ ସଂଘ ଧାରଣାରେ ବସିଥିଲେ। ଘଟଣାସ୍ଥଳକୁ ନୂଆପଡ଼ା ସିଡିଏମଓ ପହଞ୍ଚି ସୁରକ୍ଷା କର୍ମଚାରୀ ଓ ପରିବାରଙ୍କ ସହ ଆଲୋଚନା କରିଥିଲେ। ହେଲେ ପରିବାର ଲୋକେ କ୍ଷତିପୂରଣ ନଦେବା ପର୍ଯ୍ୟନ୍ତ ଶବ ବ୍ୟବଛେଦ କରାଯିବ ନାହିଁ ବୋଲି ଜିଦରେ ରହିଛନ୍ତି। ପରେ ଘଟଣାସ୍ଥଳକୁ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ପହଞ୍ଚ ଆଲୋଚନା କରି ନୂଆପଡ଼ା ରେଡ଼କ୍ରସରୁ ୨୫ ହଜାର ଓ ସିକୁରିଟି କମ୍ପାନିରୁ ୨୫ ହଜାର ଓ ମୋଟ ୫୦ ହଜାର ଟଙ୍କା ଦେବା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିରୁ ସହାୟତାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହାର କରିଥିଲେ।

ଏହା ଉପରେ ନୂଆପଡ଼ା ସିଡିଏମଓ କାଳୀପ୍ରସାଦ ବେହେରା କହିଛନ୍ତି ପରିବାର ଲୋକ କରୋନା ଟୀକା ଦେବା ପରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। କିନ୍ତୁ କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି କହିଛନ୍ତି। ଅନ୍ୟପକ୍ଷେ କୋଭିଡ ଟିକାକରଣ ମୁଖପାତ୍ର ବିନୋଦ ବିହାରୀ ରଥ କହିଛନ୍ତି ଯେ ଟିକା ପାଇଁ ମୃତ୍ୟୁ ହୋଇନାହିଁ। ମୃତ ଯୁବକଙ୍କର ରକ୍ତହୀନତା ହେତୁ ସେ ରକ୍ତବାନ୍ତି କରିବାରୁ ତାଙ୍କୁ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ରକ୍ତ ମଧ୍ୟ ଦିଆଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ବୁର୍ଲାକୁ ପଠାଯାଇଥିଲା। ସେଠାରେ ଉକ୍ତ ଯୁବକର ମୃତ୍ୟୁ ହୋଇଥିବା କହିଛନ୍ତି। ପ୍ରକାଶ ମୃତ ଯୁବକର ଫେବ୍ରୁଆରି ୧୯ ତାରିଖ ଦିନ ବିବାହ ହେବାର ଥିଲା। ସେଥିପାଇଁ ବିବାହ କାର୍ଡ ଛପା ବି ସରିଥିଲା।

The post ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା କର୍ମଚାରୀଙ୍କ ମୃତ୍ୟୁ first appeared on Sambad.



from ଜିଲ୍ଲା – Sambad https://ift.tt/3iP8ZlH