କୋଣାର୍କ : ଚଳିତବର୍ଷ କୋଭିଡ୍‌ କଟକଣା ମଧ୍ୟରେ ହେବ ଚନ୍ଦ୍ରଭାଗା ମାଘମେଳା। ପ୍ରଥମଥର ପାଇଁ ମାଘସପ୍ତମୀ ବୁଡ଼ରେ ଶ୍ରଦ୍ଧାଳୁଙ୍କ ସମାଗମ ହେବନାହିଁ। ଏହି ପୁରାଣ ପ୍ରସିଦ୍ଧ ଉତ୍ସବକୁ ଚଳିତବର୍ଷ ମାତ୍ର ୫ ଶହ ଲୋକଙ୍କ ସମାଗମ ହେବ। ମାଘମେଳା ପାଇଁ ଷଷ୍ଠୀ ଅପରାହ୍‌ଣରୁ ସପ୍ତମୀ ମଧ୍ୟାହ୍ନ ପର୍ଯ୍ୟନ୍ତ ଚନ୍ଦ୍ରଭାଗା ମେଳାପଡ଼ିଆ ଓ ତୀର୍ଥ ପୁଷ୍କରିଣୀ ସନ୍ନିକଟ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ। ଚନ୍ଦ୍ରଭାଗା ମାଘମେଳା ପାଇଁ ଆଜି ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଚଳିତ ମାସ ୧୮ ତାରିଖ ଅପରାହ୍ଣରୁ ୧୯ ଅପରାହ୍ଣ ପର୍ଯ୍ୟନ୍ତ ଏହି ପୁରାଣପ୍ରସିଦ୍ଧ ଉତ୍ସବ ଅନୁଷ୍ଠିତ ହେବ। ତେବେ ସବୁବର୍ଷ ଭଳି ଠାକୁରଙ୍କ ନୀତିକାନ୍ତି ହେବା ସହିତ ସଂକୀର୍ତ୍ତନ ସମାରୋହରେ ତିନି ଠାକୁରଙ୍କୁ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ତୀର୍ଥ ପରିସରରେ ଥିବା ମଣ୍ଡପକୁ ବିଜେ କରାଯିବ। ତିନି ଠାକୁରଙ୍କ ସହିତ ସେବାୟତ, ପୁଲିସ ପ୍ରଶାସନର ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିଙ୍କୁ ଯିବାଲାଗି ଅନୁମତି ମିଳିବ। ତେବେ ଯେଉଁମାନଙ୍କୁ ପ୍ରବେଶ ଅନୁମତି ମିଳିବ ସେମାନଙ୍କ ପାଇଁ ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି।

ସ୍ଥାନୀୟ ବିଧାୟକ ତଥା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ବିନୟ ଭୂଷଣ ଦାଶ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ଓବିସିସି ପରିଚାଳନା ନିର୍ଦ୍ଦେଶକ ଜୟକୃଷ୍ଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

The post କୋଭିଡ୍‌ କଟକଣାରେ ହେବ ମାଘମେଳା, ଚନ୍ଦ୍ରଭାଗାରେ ଜାରିହେବ ୧୪୪ ଧାରା first appeared on Sambad.



from ଜିଲ୍ଲା – Sambad https://ift.tt/3avuTXo