ରାଉରକେଲା: ଚଳିତ ବଜେଟ୍‌ରେ ରାଜ୍ୟର ପ୍ରମୁଖ ରେଳପଥର ଦୋହରୀକରଣ, ବିକାଶ ପାଇଁ ମୋଟ ୬ ହଜାର ୯୯୫ କୋଟି ୫୮ ଲକ୍ଷ ଅନୁଦାନ ମିଳିଛି। ବହୁପ୍ରତୀକ୍ଷିତ ୫୪ କି.ମି. ତାଳଚେର-ବିମଳାଗଡ ନୂଆ ଲାଇନ ପାଇ ପୁଣି ୧୦ କୋଟି ଆର୍ଥିକ ଅନୁଦାନ ମିଳିଛି। ଅନୁରୂପ ଭାବେ ମନୋହପୁର-ବନ୍ଧମୁଣ୍ଡା ତୃତୀୟ ରେଳ ଲାଇନ ପାଇଁ ୪୦ କ‌ୋଟି, ରାଉରକେଲା-ଝାରସୁଗୁଡା ତୃତୀୟ ଲାଇନ୍‌କୁ ୨୩୦ କ‌ୋଟି, ବନ୍ଧମୁଣ୍ଡା -ରାଞ୍ଚି ଦ୍ବିତୀୟ ଲାଇନ୍‌ ପାଇଁ ୩୨ କୋଟିର ଆର୍ଥିକ ଅନୁଦାନ ମିଳିଛି। ଏଥିସହ ବନ୍ଧମୁଣ୍ଡା-ରାଉରକେଲା ଚତୁର୍ଥ ଲାଇନ ପାଇଁ ୨୦ କୋଟି , ଚମ୍ପାଝରଣ -ବିମଳାଗଡ (୨୧ କି.ମି.) ପାଇଁ ୨ କୋଟି, ଡୁମେର୍ତ୍ତା-ବିଶ୍ରା ଲିକ୍‌ ଲାଇନ ପାଇଁ ୨୭ କୋଟିର ଆର୍ଥିକ ଅନୁଦାନ ମିଳିଛି।

ପୂର୍ବରୁ ଏସବୁ ଲାଇନର କାମ ଚାଲିଛି। ବି‌ଶେଷ କରି ରାଉରକେଲା-ଝାରସୁଗୁଡା ତୃତୀୟ ରେଳ ଲାଇନ କାମ ଝାରସୁଗୁଡାର ବାମରା ପର୍ଯ୍ୟନ୍ତ ଶେଷ ହୋଇଛି। ବ୍ରାହ୍ମଣୀ ନଦୀରେ ତୃତୀୟ ରେଳ ପୋଲ ନିର୍ମାଣ କାମ, ଜରେଇକେଲାରୁ ବନ୍ଧମୁଣ୍ଡା ପର୍ଯ୍ୟନ୍ତ କାମ ମଧ୍ୟ ଶେଷ ହୋଇଛି। ପାନପୋଷ ଷ୍ଟେସନ ନିକଟରୁ ରାଉରକେଲା ଷ୍ଟେସନ ପର୍ଯ୍ୟନ୍ତ ରେଳ ଲାଇନ୍‌ କାମ ବାକି ରହିଛି। ହାୱଡା-ମୁମ୍ବାଇ ରେଳ ଲାଇନରୁ ପ୍ରାୟ ୬୦ ଫୁଟ୍ ପର୍ଯ୍ୟନ୍ତ ରେଳବାଇ ଜାଗା ଖାଲି କରିବାକୁ ପ୍ରଶାସନ ସହଯୋଗ ଲୋଡାଯାଇଛି।

ପୂର୍ବରୁ କେବଳ ମାଲଗୋଦାମ ଗୋଟିଏ ବସ୍ତି ଉଚ୍ଛେଦ ହୋଇଥିଲା। ଅବଶିଷ୍ଟ ୯ ବସ୍ତିର ପ୍ରାୟ ୧୦୦୦ ପରିବାରକୁ ଖାଲି କରିବାକୁ ଅନେକଥର ନୋଟିସ୍‌ କରାଯାଇଛି। କିନ୍ତୁ ଏସବୁ ବସ୍ତି ଉଚ୍ଛେଦ କରିବାରେ ପ୍ରଶାସନ ବିଫଳ ହୋଇଛି। ସେପଟେ ବସ୍ତି ଉଚ୍ଛେଦ ପ୍ରତିବାଦରେ ବସ୍ତିର କିଛି ଲୋକ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ବିଚାର କରି ଗତ ବର୍ଷକ ତଳେ ରେଳବାଇ ସପକ୍ଷରେ ରାୟ ଦେଇଥିଲେ। ଏହା ସତ୍ବେ ୯ ବସ୍ତିବାସିନ୍ଦାଙ୍କୁ ଖାଲି କରାଯାଇ ପାରି ନାହିଁ।

ଇତି ମଧ୍ୟରେ ରେଳବାଇ ଓ ଜିଲ୍ଲା ପ୍ରଶାସନ ସ୍ତରରେ ଅନେକବାର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ବୈଠକରେ ବସ୍ତି ଉଚ୍ଛେଦ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ସମୟରେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏବେ ପୁଣି ଆର୍ଥିକ ବଜେଟ୍‌ରେ ରାଉରକେଲା-ଝାରସୁଗୁଡା ତୃତୀୟ ରେଳଲାଇନ କାମ ପାଇଁ ୨୩୦ କ‌ୋଟି ମିଳିଛି। ତେବେ ଆଗାମି ଦିନରେ ତୃତୀୟ ରେଳଲାଇନ ନିର୍ମାଣରେ ପ୍ରତିବନ୍ଧକ ସାଜିଥିବା କୁମ୍ଭାରପଡା, ବିରଜାପାଲି, ଗଙ୍ଗାଧରପାଲି, କୋଏଲବ୍ୟାଙ୍କ, ଏଫ୍‌ସିଆଇ ବସ୍ତିକୁ ଖାଲି କରିବାରେ ଜିଲ୍ଲା ପ୍ରଶାସନ କେତେଦୂର ସକ୍ଷମ ହେଉଛି, ତା ଉପରେ ସମସ୍ତଙ୍କ ନଜର ରହିଛି।

The post ରାଉରକେଲା-ଝାରସୁଗୁଡା ତୃତୀୟ ଲାଇନକୁ ୨୩୦ କୋଟି, ଉଚ୍ଛେଦ ହେବ ୯ ବସ୍ତିର ୧୦୦୦ ପରିବାର first appeared on Sambad.



from ଜିଲ୍ଲା – Sambad https://ift.tt/3jkKsoS