
କଟକ: ବିଡାନାସୀ ପେଟାନାଳ ଅଞ୍ଚଳରେ ସ୍ପେଶାଲ ସ୍କ୍ବାଡ଼ ଓ ବିଡାନାସୀ ପୁଲିସର ମିଳିତ ଚଢାଉରେ ଦୁଇ ହଜ଼ାର ବୋତଲ ଦେଶୀ ମଦ ଜବତ କରାଯିବା ସହ ଜଣେ ମଦ ଦୋକାନୀ ଓ ଦୁଇ ଜଣ ମଦ ମାଫିଆଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ଚାଉଳିଆଗଞ୍ଜ ଅପର୍ଣ୍ଣାନଗର ଶାନ୍ତିବିହାର ଅଞ୍ଚଳର ଶ୍ରୀଧର ସାହୁ ନାମକ ଜଣେ ମଦ ବେପାରୀ କିଛି ଦିନ ହେବ ସିଡିଏ ଅଞ୍ଚଳରେ ଗୋଟିଏ ଦେଶୀ ମଦ ଦୋକାନ ଖୋଲିଥିଲେ। ଏହି ମଦକୁ ଚଢା ଦରରେ ବିକ୍ରି କରିବା ପାଇଁ ସେ ପେଟାନାଳ ଅଞ୍ଚଳରେ ଗୋଟିଏ ଭଡା ଘର ନେଇ ଦେଶୀ ମଦ ଲୁଚାଇ ରଖି କଟକ ଓ କଟକ ବାହାରର ବିଭିନ୍ନ ଜାଗାକୁ ପଠାଉଥିଲେ। ଏ ସଂକ୍ରାନ୍ତରେ ସ୍ପେଶାଲ ସ୍କ୍ବାଡ ଖବର ପାଇବା ପରେ ସେଠାରେ ଚଢାଉ କରି ପ୍ରାୟ ୮୦ ପେଟି ମଦ ଜବତ କରିବା ସହ ମଙ୍ଗଳାବାଗ ଅଞ୍ଚଳର ପ୍ରମୋଦ ପୃଷ୍ଟି ଓ ସନ୍ତୋଷ ସାହୁକୁ ଗିରଫ କରିଥିଲେ।
ଆଜି ଏହି ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି। ଆଗାମୀ ଦିନରେ ଏହିପରି ଚୋରା ମଦ କାରବାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଏଥିରେ ସମ୍ପୃକ୍ତ ଅନ୍ୟ ଚାରି ଜଣଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସ୍ପେଶାଲ ସ୍କ୍ବାଡ ଆଇଆଇସି ଅଜୟ କୁମାର ଦାସ ସୂଚନା ଦେଇଛନ୍ତି।
The post ଦୁଇ ହଜ଼ାର ବୋତଲ ମଦ ଜବତ; ତିନି ମଦ ମାଫିଆ ଗିରଫ first appeared on Sambad.
from ଜିଲ୍ଲା – Sambad https://ift.tt/3bzCHb2
0 Comments