
କଟକ: ‘ଆମ ହଷ୍ଟେଲ ଆମକୁ ଦିଅ।’ ଦୁଇ ଦୁଇ ଥର ଏସ୍ସିବି ଅଧୀକ୍ଷକଙ୍କୁ ଲିଖିତ ଭାବେ ଜଣାଇବା ପରେ ମଧ୍ୟ ହଷ୍ଟେଲ ଖାଲି ହୋଇ ନଥିଲା। ରବିବାର ଥିଲା ଶେଷ କଣ୍ଟ। ସୋମବାର ସକାଳୁ ଅଢ଼େଇ ଶହରୁ ଅଧିକ ସ୍ନାତକ ନର୍ସିଂ ଛାତ୍ରୀ ନିଜ ନିଜ ଅଭିଭାବକଙ୍କ ସହିତ ନିଜ ଜିନିଷପତ୍ର ଧରି ହଷ୍ଟେଲରେ ପହଞ୍ଚିଥିଲେ। ସେଠାରେ କୋଭିଡ୍ କାର୍ଯ୍ୟରେ ନିୟୋଜିତ ଡାକ୍ତରମାନେ ରହୁଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ହେଲେ, ନର୍ସିଂ ଛାତ୍ରୀମାନେ କହିଥିଲେ, ‘ତୁରନ୍ତ ସେମାନଙ୍କୁ ଖାଲି କରି ଆମ ହଷ୍ଟେଲ ଆମ ଛାଡ଼, ଆମେ ଆଉ ଅନ୍ଲାଇନ୍ରେ ପଢ଼ିବୁନି। ଆମକୁ ଅଫ୍ଲାଇନ୍ରେ ପାଠ ପଢାଯାଉ’ ବୋଲି ଦାବି କରିଥିଲେ। ଦୀର୍ଘ ସମୟ ଧରି ହୋ-ହାଲ୍ଲା ପରେ ଛାତ୍ରୀନିବାସରୁ ଡାକ୍ତର ଓ ଡାକ୍ତରୀ ଛାତ୍ରଙ୍କୁ ଖାଲି କରାଯାଇ ଅନ୍ୟତ୍ର ରହିବାର ବ୍ୟବସ୍ଥା କରାଯାଇଥିଲା। ଶେଷରେ ଅଢ଼େଇଶହ ନର୍ସିଂ ଛାତ୍ରୀ ନିଜ ହଷ୍ଟେଲରେ ରହିଥିଲେ।
ଏଠାରେ ସୂଚନାଯୋଗ୍ୟ, ଛାତ୍ରୀମାନଙ୍କ କହିବା କଥା ହେଲା- ସ୍କୁଲ, କଲେଜ, ଅଙ୍ଗନବାଡି ସବୁ ଖୋଲିଲାଣି। ଆମେମାନେ ନର୍ସଂ ଛାତ୍ରୀ। ତାଲିମ୍ ନ ନେଲେ କେତେଦିନ ଏମିତି ଅନ୍ଲାଇନ୍ରେ ପାଠ ପଢିବୁ?’ ଯେହେତୁ ସ୍ନାତକ ଛାତ୍ରୀନିବାସରେ କୋଭିଡ୍ କାର୍ଯ୍ୟ କରୁଥିବା ଡାକ୍ତରମାନେ ରହୁଥିଲେ, ତେଣୁ ଛାତ୍ରୀନିବାସ ଖୋଲାଯାଉ ନଥିଲା।
ଗତ ଜାନୁଆରି ୨୫ରେ ଛାତ୍ରୀନିବାସ ଖାଲି କରିବା ପାଇଁ ଛାତ୍ରୀମାନେ ଏସ୍ସିବି ଅଧୀକ୍ଷକଙ୍କ ଲିଖିତ ଭାବେ ଅଭିଯୋଗ କରିଥିଲେ। ଫେବ୍ରୁଆରି ୭ସୁଦ୍ଧା ହଷ୍ଟେଲ ନ ଛାଡ଼ିଲେ ୮ତାରିଖରେ ସେମାନେ ଆସି ଜବରଦସ୍ତ ରହିବେ ବୋଲି ମଧ୍ୟ ଲିଖିତ ଭାବେ ଜଣାଇଥିଲେ। କିନ୍ତୁ ସେମାନଙ୍କ କଥା କେହି ଶୁଣି ନଥିଲେ। ସେହି ନିଷ୍ପତ୍ତି ଅନୁସାରେ ଆଜି ସକାଳୁ କିଏ କୋରାପୁଟ, କିଏ ମାଲକାନଗିରି ତ’ ଆଉ କିଏ କଳାହାଣ୍ଡିରୁ ନିଜ ଜିନିଷପତ୍ର ଧରି ଏଠାରେ ପହଞ୍ଚିଥିଲେ। ଦୀର୍ଘ ସମୟ ଧରି ଛାତ୍ରୀନିବାସ ସମ୍ମୁଖରେ ବସି ରହିଥିଲେ। ଏସ୍ସିବି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନ ନେବାରୁ ହୋ-ହାଲ୍ଲା କରିବା ପରେ ଶେଷରେ ଅପରାହ୍ଣରେ ଛାତ୍ରୀନିବାସ ଖାଲି କରାଯାଇଥିଲା ଓ ନର୍ସିଂ ଛାତ୍ରୀମାନେ ସେଠାରେ ରହିଥିଲେ। ୪୦୦ଶହ ପିଲାଙ୍କ ପାଇଁ ଥିବା କୋଠାରେ ମାତ୍ର ୩୦ଜଣ ଡାକ୍ତରଙ୍କୁ ରଖାଯାଇ ସମ୍ପୂର୍ଣ୍ଣ କୋଠାକୁ ବନ୍ଦ ରଖାଯିବା ଓ ଆମ ପାଠପଢ଼ାରେ ବାଧା ସୃଷ୍ଟି କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ବିଏସ୍ସି ନର୍ସିଂ କଲେଜ ପ୍ରନ୍ସିପାଲ ବିଜୟଲକ୍ଷ୍ମୀ ଦାସଙ୍କୁ ଯୋଗାଯୋଗ କରାଯିବାରୁ ଏବେ ଅନ୍ଲାଇନ୍ରେ କ୍ଲାସ୍ ଚାଲିଛି, ଅଫ୍ଲାଇନ୍ରେ କେବେ ଚାଲିବ ସେ ସଂପର୍କରେ ନିଷ୍ପତ୍ତି ନିଆଯାଇ ନଥିବା ସୂଚନା ଦେଇଛନ୍ତି।
The post କୋଭିଡ୍ ଡ୍ୟୁଟି କରୁଥିବା ଡାକ୍ତର ଓ ଡାକ୍ତରୀ ଛାତ୍ର ରହୁଥିଲେ; ଆନ୍ଦୋଳନ କରି ନିଜ ହଷ୍ଟେଲରେ ରହିଲେ ନର୍ସିଂ ଛାତ୍ରୀ first appeared on Sambad.
from ଜିଲ୍ଲା – Sambad https://ift.tt/2Ofltrr
0 Comments