କଟକ: କଟକରେ ଧରାପଡ଼ିଥିବା ୪ଜଣ ଉତ୍ତରପ୍ରଦେଶ କାନପୁରର ଏଟିଏମ୍‌ ଲୁଟେରା ଗ୍ୟାଙ୍ଗ୍‌ ଉଚ୍ଚଶିକ୍ଷିତ। ନୂଆପଡ଼ା ଅଞ୍ଚଳରେ ଏକ ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌ ଯୋଜନା ବେଳେ ମଧୁପାଟଣା ପୁଲିସ ସେମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ କାନପୁରର ଦିବାକାନ୍ତ ଯାଦବ(୩୪) ଓ ଅମନ୍‌ ବାଜପେୟୀ(୨୭) ବିବିଏର ଛାତ୍ର ହୋଇଥିବାବେଳେ ସୁନିଲ ତ୍ରିପାଠୀ(୩୪) ଏମବିଏ ଛାତ୍ର। ସେହିପରି ହିମା˚ଶୁ ଦୁବେ(୨୪) ଜଣେ ଗ୍ରାଜୁଏଟ୍‌। ଏହି ଗ୍ୟାଙ୍ଗ୍‌ ଗୁଗୁଲ୍‌ ମ୍ୟାପ୍‌ ଦେଖି ବିଭିନ୍ନ ରାଜ୍ୟରେ ଥିବା ଏଟିଏମ୍‌ ଠାବ କରୁଥିଲେ। ଫାଙ୍କା ସ୍ଥାନରେ ଥିବା ଏଟିଏମ୍‌ କାଉଣ୍ଟରରୁ ଡକାୟତି କରୁଥିବା ପୁଲିସ ତଦନ୍ତରୁ ଜାଣବାକୁ ପାଇଛି।

ସୂଚନା ଅନୁଯାୟୀ, ନୂଆପଡ଼ା ଲେବର କଲୋନି ନିକଟରେ ଥିବା ଏକ ପଡ଼ିଆରେ ଗଲା ୭ ତାରିଖ ରାତି ପ୍ରାୟ ୧ଟା ୩୦ ବେଳେ ସ˚ଘବଦ୍ଧ ଭାବେ ଦୁର୍ବୃତ୍ତମାନେ ନୂଆପଡ଼଼ା ଛକରେ ଥିବା ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏଟିଏମ୍‌ ଲୁଟ୍‌ କରିବାକୁ ଯୋଜନା କରୁଥିଲେ। ଏହି ସମୟରେ ମଧୁପାଟଣା ଥାନା ପୁଲିସ ଖବର ପାଇ ପଡ଼ିଆରେ ପହଞ୍ଚିଲା ବେଳକୁ ଉପରୋକ୍ତ ୪ ଯୁବ ଡକାୟତ ଥିବା ଦଳ ଧରାପଡ଼ିଥିବା ବେଳେ ଜଣେ ଖସିଯାଇଥିଲା। ସେମାନଙ୍କ ନିକଟରୁ ପୁଲିସ ୨୨ଟି ଏଟିଏମ୍‌ କାର୍ଡ, ଗ୍ୟାସ୍‌ ସିଲିଣ୍ତର, କଟର‌୍‌ ମେସିନ୍‌, ଭୁଜାଲି, ୩୮ ହଜାର ୫୦୦ ଟଙ୍କା, ତିନୋଟି ସେଲୋ ଟେପ୍‌, ୫ଟି ମୋବାଇଲ୍‌ ଫୋନ୍‌ ସମେତ ଏକ ଧଳା ରଙ୍ଗର ମାରୁତି ସୁଜୁକି ଡିଜାୟାର‌୍‌(ୟୁପି-୭୮ ଇଡବ୍ଲୁ ୫୯୦୪) ଜବତ କରିଛି।

ଏହି ଗ୍ୟାଙ୍ଗକୁ ଜେରା କରିବା ପରେ ଏମାନେ ଅନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ୍‌ ବୋଲି ଜଣାପଡ଼ିଥିଲା। ଏହି ଗ୍ୟାଙ୍ଗ୍‌ ଉତ୍ତରପ୍ରଦେଶ, ଛତିଶଗଡ଼, ବିହାର, ଝାରଖଣ୍ତ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗରେ ଅଧିକ ସକ୍ରିୟ ବୋଲି ପୁଲିସର ପ୍ରମାଣ ହସ୍ତଗତ ହୋଇଛି। ଏମାନେ ନିଜ ସମ୍ପର୍କିୟ, ଗାଁ ଲୋକ କିମ୍ବା ବେରୋଜଗାରୀ ଯୁବକଙ୍କ ନାଁରେ ବ୍ୟାଙ୍କ୍‌ରେ ଆକାଉଣ୍ଟ୍‌ ଖୋଲିଥାନ୍ତି। ସେମାନଙ୍କ ଆକାଉଣ୍ଟ ଖୋଲିବା ପରେ ଏଟିଏମ୍‌ କାର୍ଡ ଆଣି ନିଜ ପାଖରେ ରଖନ୍ତି। ରାଜ୍ୟରୁ ରାଜ୍ୟ ବୁଲି ଉକ୍ତ ଏଟିଏମ୍‌ କାର୍ଡ ବ୍ୟବହାର କରି ଟଙ୍କା ଉଠାନ୍ତି।

Sambad

ଟଙ୍କା ଉଠାଣ ସମୟରେ ୫ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଏଟିଏମ୍‌ ମେସିନ୍‌କୁ କୌଶଳକ୍ରମେ ଆଉଟ୍‌ ଅଫ୍‌ ଅର୍ଡର କରି ଟଙ୍କା କାଢ଼ି ନିଅନ୍ତି। ଏହି ସମୟରେ ସେମାନେ କଷ୍ଟମର୍‌ କେୟାରକୁ ଫୋନ୍‌ କରି ଅଭିଯୋଗ କରନ୍ତି ଯେ ଟଙ୍କା ଉଠାଣ ସମୟରେ ମେସିନ୍‌ ଅଚଳ ହୋଇଯିବାରୁ ଟଙ୍କା ଆକାଉଣ୍ଟରୁ ଉଠାଯାଇଥିବା ସ˚କ୍ରାନ୍ତରେ ମୋବାଇଲ୍‌କୁ ‌ମେସେଜ୍‌ ଆସିଛି। କିନ୍ତୁ ଏଟିଏମ୍‌ରୁ କୌଣସି ଟଙ୍କା ବାହାରି ନଥିବା ମିଛରେ କହିଥାନ୍ତି। ଏଭଳି ଅଭିଯୋଗ ପାଇବା ପରେ କଷ୍ଟମର୍‌ କେୟାର୍‌ ପକ୍ଷରୁ ତାଙ୍କ ଟଙ୍କା ଫେରସ୍ତ କରିଥାଏ।

କିନ୍ତୁ ଏମାନେ କୌଶଳକ୍ରମେ ପୂର୍ବରୁ ଟଙ୍କା ଉଠାଣ କରିଥିବାରୁ ଦୁଇଗୁଣ ଅର୍ଥ ତାଙ୍କ ଆକାଉଣ୍ଟ୍‌କୁ ଆସିଥାଏ। ଏଭଳି କାରନାମା କରୁଥିବାରୁ ଏହି ଗ୍ୟାଙ୍ଗ୍‌ ନିକଟରୁ ୨୨ଟି ଏଟିଏମ୍‌ କାର୍ଡ ପୁଲିସ ଜବତ କରିଛି। ଅନ୍ୟ ଏକ ଢଙ୍ଗରେ ଏମାନେ ଏଟିଏମ୍‌ରୁ ବି ଟଙ୍କା ଲୁଟ୍‌ କରିଥାନ୍ତି। ନିଚ୍ଛାଟିଆ ସ୍ଥାନରେ ଥିବା ଏଟିଏମ୍‌କୁ ଗ୍ୟାସ୍‌ ସିଲିଣ୍ତର, ଗ୍ୟାସ୍‌ କଟର ଏବ˚ ଅନ୍ୟ ଯନ୍ତ୍ରପାତି ବ୍ୟବହାର କରି ମେସିନ୍‌ରୁ ସବୁତକ ଟଙ୍କା କାଢ଼ି ନିଅନ୍ତି। ଯେଉଁ ଅଞ୍ଚଳରେ ଏକାଧିକ ଏଟିଏମ୍‌ ଥାଏ ସେହି ଅଞ୍ଚଳକୁ ଟାର୍ଗେଟ୍‌ କରିଥାନ୍ତି। ଯଦି କୌଣସି ଏଟିଏମ୍‌ରେ ଟଙ୍କା ନଥାଏ ତୁରନ୍ତ ଅନ୍ୟ ଏକ ଏଟିଏମ୍‌ କାଟିଥାନ୍ତି। ଟଙ୍କା ଲୁଟ୍‌ ପରେ ତୁରନ୍ତ ଉକ୍ତ କାର‌୍‌ରେ ରାଜ୍ୟ ବାହାରକୁ ରାତାରାତି ଚାଲିଯାଉଥିବା ମଧୁପାଟଣା ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଯେଉଁ ରାଜ୍ୟରେ ଏହି ଗ୍ୟାଙ୍ଗ୍‌ ଅପରାଧ ଘଟାଇଛି, କମିସନରେଟ୍‌ ପୁଲିସ ଉକ୍ତ ରାଜ୍ୟର ପୁଲିସ ବିଭାଗ ସହିତ ଯୋଗାଯୋଗ କରି ଅପରାଧ ରେକର୍ଡ ଖୋଜୁଥିବା ସୂଚନା ମିଳିଛି।

The post କଟକରେ ୟୁପିର ଉଚ୍ଚଶିକ୍ଷିତ ଡକାୟତ; ୪ କୁଖ୍ୟାତ ଏଟିଏମ୍‌ ଲୁଟେରା ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/3tzI3LP