କଟକ : ରାଜ୍ୟର ସମସ୍ତ ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ କାର୍ଯ୍ୟକାରୀ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ସବୁ ଜିଲ୍ଲାରେ ସ୍ବାଧୀନ ବ୍ୟକ୍ତିଙ୍କୁ ଖାଦ୍ୟ ସୁରକ୍ଷା ଆଇନର ଧାରା ୧୫ ଅନୁସାରେ ଜିଲ୍ଲା ଗ୍ରିଭାନ୍ସ ରିଡ୍ରେସାଲ ଅଫିସର (ଡିଜିଆର୍‌ଓ) ଭାବେ ନିଯୁକ୍ତି ପ୍ରସଂଗରେ ପକ୍ଷ ରଖିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବିଭିନ୍ନ ଜିଲ୍ଲାରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଡିଜିଆର୍‌ଓ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଏଥିଯୋଗୁଁ ଖାଦ୍ୟ ସୁରକ୍ଷା ଆଇନରେ ହେଉଥିବା ଅଭିଯୋଗ ଉପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇ ପାରୁନାହିଁ ବୋଲି ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକମାନେ ନିଜ ପ୍ରାଥମିକ ଦାୟିତ୍ବ ସଂପାଦନରେ ବ୍ୟସ୍ତ ରହୁଥିବାବେଳେ ଡିଆରଜିଓ ଦାୟିତ୍ବ ନିର୍ବାହ ପାଇଁ ଅଧିକ ସମୟ ଦେବା ସମ୍ଭବ ହୋଇ ପାରୁନାହିଁ। ଏଭଳିସ୍ଥଳେ ବିଭିନ୍ନ ଜିଲ୍ଲାରେ ବିଶେଷ କରି ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଉପଯୁକ୍ତ କାର୍ଯ୍ୟକାରୀ ପାଇଁ ସ୍ବାଧୀନ ବ୍ୟକ୍ତିଙ୍କ ନିଯୁକ୍ତି ଉପରେ ପରବର୍ତ୍ତୀ ଶୁଣାଣି ସମୟରେ ପକ୍ଷ ରଖିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହିତ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଧାରା ୨୮ ଅନୁସାରେ ସୋସିଆଲ ଅଡିଟ କରାଯିବା ପ୍ରସଂଗରେ ଶୁଣାଣି ହୋଇଥିଲା। ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ କୋଭିଡ-୧୯ ସ୍ଥିତି ଯୋଗୁଁ ଲୋକମାନେ ଏକତ୍ରିତ ହେବା ଉପରେ ଅଙ୍କୁଶ ରହିଛି। ଏଭଳି ସ୍ଥିତିରେ ସୋସିଆଲ ଅଡିଟ ସ୍ଥଗିତ ଥିଲା। ଜାନୁଆରି ୬ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସୋସିଆଲ ଅଡିଟ ପ୍ରକ୍ରିୟା କ୍ଷେତ୍ରରେ ତ୍ବରିତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଥିଲା ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ପରବର୍ତ୍ତୀ ଶୁଣାଣି ସମୟରେ ସୋସିଆଲ ଅଡିଟ ସଂପର୍କିତ ଅଗ୍ରଗତି ନେଇ ସରକାରଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଧାରା ୨୯ ଅନୁସାରେ ଭିଜିଲାନ୍ସ କମିଟି (ଯାଞ୍ଚ କମିଟି) ଗଠନ କରାଯିବା କଥା। କିନ୍ତୁ ଏପରି କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଥିଲା। ପ୍ରକୃତ ସ୍ଥିତି କଣ, ଯଥେଷ୍ଟ ସଂଖ୍ୟକ ଅଭିଯୋଗ ରହିଛି କି ନାହିଁ ଯାହା ପାଇଁ ଯାଞ୍ଚ କମିଟି ଗଠନ ଜରୁରୀ ‌ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣଶି ମାର୍ଚ୍ଚ ୨୪କୁ ଧାର୍ଯ୍ୟ କରାଯାଇଛି।

The post ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ଉପରେ ହାଇକୋର୍ଟଙ୍କ ଗୁରୁତ୍ବ first appeared on Sambad.



from ଜିଲ୍ଲା – Sambad https://ift.tt/3tqzcvB