ଘୁ.ଉଦୟଗିରି / ଦାରିଙ୍ଗବାଡ଼ି : ଚଳିତମାସରେ ପାରଦ ତଳମୁହାଁ ହୋଇ ରେକର୍ଡ କରିଛି। କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଘୁ.ଉଦୟଗିରି ଅଂଚଳରେ ବୁଧବାର ପାରଦ ସର୍ବନିମ୍ନ ୩.୬ଡିଗ୍ରି ରେକର୍ଡ କରାଯାଇଛି। ଗତକାଲି ସର୍ବନିମ୍ନ ତାପମାତ୍ର ୪.୪ ଡିଗ୍ରି ରହିଥିଲା। ଏହାର ପ୍ରଭାବରେ ସାରାଅଞ୍ଚଳରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ସାଧାରଣତଃ ଫେବ୍ରୁଆରି ମାସରେ ଏହିଭଳି ଶୀତ କେବେ ଅନୁଭୂତ ହୋଇନଥାଏ। କିନ୍ତୁ ଚଳିତବର୍ଷ ପୂର୍ବ ବର୍ଷମାନଙ୍କର ରେକର୍ଡ ଭାଙ୍ଗି ହାଡ଼ଭଙ୍ଗା ଶୀତ ଜାରିରହିଛି। ଏହାର ପ୍ରଭାବରେ ସହର ତଥା ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ଜାଡ଼ ଯୋଗୁଁ ସାଧାରଣ ଲୋକ ନିଆଁ ଉପରେ ଭରସା କରି ରହୁଛନ୍ତି। ସ୍ଥାନେ ସ୍ଥାନେ ନିଆଁ ଜାଳି ଲୋକ ବସୁଥିବା ଦେଖିବାକୁ ମିଳିଛି।

ପାଣିପାଗ ବିଭାଗ ସୂଚନାନୁସାରେ, ଆଗାମୀ ତିନିଦିନ ପର୍ଯ୍ୟନ୍ତ ଥଣ୍ଡା ଜାରି ରହିବ। ସେହିପରି କୁହୁଡ଼ି ମଧ୍ୟ ସାରାଅଞ୍ଚଳରେ ଜାରି ରହିଛି। କୁହୁଡି ଯୋଗୁଁ ପ୍ରତ୍ୟକ ଦିନ ଛୋଟ ମୋଟ ଦୁର୍ଘଟଣା ଘଟୁଥିବା ଖବର ଆସୁଛି। ସେହିପରି, ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ ପୁଣି ଶୀତ ଫେରିଛି। ବାଡ଼ାବାଙ୍ଗା, ଦନେକବଡ଼ି, ସିମନବାଡ଼ି, ସାଲେଜୁ, ପ୍ଲିହେରୀ ଭଳି ଅନ୍ୟ ଅଞ୍ଚଳରେ ତାପମାତ୍ରା ସର୍ବନିମ୍ନ ସ୍ତରରେ ପହଞ୍ଚିଥିବା ଜଣାପଡ଼ିଛି। ଥଣ୍ଡାର ମାତ୍ରା ବୃଦ୍ଧି ପାଇବା ଫଳରେ ଦିନତମାମ କୋହଲା ପବନ ବହୁଛି । ଏଥିପାଇଁ ସକାଳୁ ସକାଳୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକ ଦାରିଙ୍ଗବାଡ଼ିର ପ୍ରବଳ ଥଣ୍ଡାର ମଜା ନେଉଥିବା ମଧ୍ୟ ଦେଖିବାକୁ ମିଳିଛି।

The post ଘୁ.ଉଦୟଗିରିରେ ପାରଦ ୩.୬ଡିଗ୍ରି, ବିଭିନ୍ନ ସ୍ଥାନରେ ତୁଷାରପାତ first appeared on Sambad.



from ଜିଲ୍ଲା – Sambad https://ift.tt/36Gox6j