
ପଟାଙ୍ଗି : ଆନ୍ଧପ୍ରଦେଶର ପଞ୍ଚାୟତ ନିର୍ବାଚନକୁ ନେଇ ଚର୍ଚ୍ଚାରେ ଥିବା କୋଟିଆରେ ଆଜି ପାଦ ପକାଇଛି ପ୍ରଶାସନ। ଦକ୍ଷିଣାଞ୍ଚଳ ରାଜସ୍ବ କମିସନର୍ ଟି. ଆପାଙ୍ଗ ଆଓ ଏହି ବିବାଦୀୟ ଅଞ୍ଚଳ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ, ଗ୍ରାମବାସୀଙ୍କ ସହ କୌଣସି ଆଲୋଚନା କରିନଥିବା ଜଣାପଡ଼ିଛି।
ଓଡ଼ିଶାର ସୀମାନ୍ତ ପଞ୍ଚାୟତ କୋଟିଆକୁ ନେଇ ଚାଲିଥିବା ବିବାଦ ଚରମ ସୀମାରେ ପହଞ୍ଚିଛି। ଆସନ୍ତା ସପ୍ତାହରେ କୋଟିଆର ତିନୋଟି ଗାଁରେ ଆନ୍ଧ୍ର ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ସୀମାନ୍ତର କେତେକ ଗାଁ ଭାଗ ନେଉଥିବାରୁ ପୁଣି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏମିତି ଘଡ଼ିସନ୍ଧି ସମୟରେ ରାଜସ୍ବ କମିସନରଙ୍କ କୋଟିଆ ଗସ୍ତ ବହୁ ଗୁରୁତ୍ବ ରଖିଥିଲା। ଏହି ଗସ୍ତ ସଂପର୍କରେ ପୂର୍ବରୁ ଖବର ପାଇ କୋଟିଆବାସୀ ଅପେକ୍ଷାରେ ରହିଥିଲେ। କିନ୍ତୁ କମିସନର୍ ଗ୍ରାମବାସୀଙ୍କ ସହ କୌଣସି ପ୍ରକାର ଆଲୋଚନା କରିନଥିବା ଜଣାପଡ଼ିଛି। କୋଟିଆରୁ ଧୂଳିପଦର ରାସ୍ତାରେ ସାଲୁର ହୋଇ ବ୍ରହ୍ମପୁର ଫେରି ଯାଇଥିବା ସୂଚନା ମିଳିଛି।
ଏହାକୁ ନେଇ ସୀମାନ୍ତବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କର ଜଣେ ଉଚ୍ଚପାହ୍ୟାର ଅଧିକାରୀ କୋଟିଆ ଯିବେ ଅଥଚ ଲୋକଙ୍କ ସହ ଆଲୋଚନା କରିବେନି, ତା’ହେଲେ ଲୋକମାନଙ୍କ ସମସ୍ୟାର କିଭଳି ସମାଧାନ ହେବ ବୋଲି ପ୍ରଶ୍ନ କରିଛନ୍ତି।
The post ବିବାଦୀୟ କୋଟିଆରେ ପ୍ରଶାସନ ପହଞ୍ଚିଲା first appeared on Sambad.
from ଜିଲ୍ଲା – Sambad https://ift.tt/2MBelpa
0 Comments